ତାଲିମପ୍ରାପ୍ତ ହେବେ ୩୫ ମଡେଲ ଥାନା କର୍ମଚାରୀ

ଚଳିତ ମାସରେ ଉଦ୍‌ଘାଟନ ହେବ ଷ୍ଟୁଡେଣ୍ଟ ପୁଲିସ୍‌ କ୍ୟାଡେଟ୍‌ ସେବା, ଜିଲ୍ଲା ଆଇନ ପରାମର୍ଶଦାତାଙ୍କ ନିଯୁକ୍ତି ନିର୍ଦ୍ଦେଶ

କଟକ: ରାଜ୍ୟରେ ୩୫ଟି ମଡେଲ୍‌ ଥାନାର କର୍ମଚାରୀଙ୍କୁ ତାଲିମ ଦେବେ ରେଞ୍ଜ ଡିଆଇଜି/ଆଇଜି। ଉକ୍ତ ଥାନାରେ ସିସିଟିଏନ୍‌ଏସ୍‌ ଏବ˚ ସିଟିଜେନ୍‌ ପୋର୍ଟାଲ୍‌ ବ୍ୟବସ୍ଥା କାର୍ଯ୍ୟକ୍ଷମ କରାଯିବ। ମଡେଲ୍‌ ଥାନାର ମାନଦଣ୍ତ ଆଧାରରେ ଉକ୍ତ ୩୫ଟି ଥାନାକୁ ପରୀକ୍ଷା କରାଯିବ। ଶ୍ରେଷ୍ଠ ଥାନାକୁ ପୁରସ୍କୃତ କରାଯିବାକୁ ଡିଜି ଡାକ୍ତର ଆର‌୍‌.ପି.ଶର୍ମା ଆଜି ଘୋଷଣା କରିଛନ୍ତି। ଅନ୍ୟପଟେ ଜିଲ୍ଲା ସ୍ତରରେ ଆଇନ ପରାମର୍ଶଦାତା ନିଯୁକ୍ତିକୁ ନେଇ ଡିଜି ଅସନ୍ତୋଷ ପ୍ରକାଶ କରିଛନ୍ତି। ତୁରନ୍ତ ପଦବି ପୂରଣ କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଷ୍ଟୁଡେଣ୍ଟ ପୁଲିସ କ୍ୟାଡେଟ୍‌ ସେବା ଚଳିତ ଡିସେମ୍ବର ଶେଷ ସୁଦ୍ଧା ଭୁବନେଶ୍ବର କ୍ୟାପିଟାଲ୍‌ ହାଇସ୍କୁଲ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବାକୁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି।

ରାଜ୍ୟ ପୁଲିସ ଡିଜି ଡାକ୍ତର ଆର‌୍‌.ପି. ଶର୍ମା ଆଜି କଟକ ବକ୍ସିବଜାର ପୁଲିସ ମୁଖ୍ୟାଳୟରେ ଷ୍ଟୁଡେଣ୍ଟ ପୁଲିସ କ୍ୟାଡେଟ୍‌, ମଡେଲ୍‌ ପୁଲିସ ଷ୍ଟେସନ୍‌ ଏବ˚ ପ୍ରତ୍ୟେକ ଜିଲ୍ଲାରେ ଆଇନ ପରାମର୍ଶଦାତା ନିଯୁକ୍ତ ସମ୍ପର୍କରେ ଆଲୋଚନା କରିଥିଲେ। ଭିଡିଓ କନ୍‌ଫରେନ୍ସି˚ ମାଧ୍ୟମରେ ପୁଲିସ ଡିଜି ଜିଲ୍ଲା ଏସ୍‌ପି, କମିସନରେଟ୍‌ ପୁଲିସର ଡିସିପି, ରେଞ୍ଜ ଆଇଜି/ଡିଆଇଜିଙ୍କ ସହିତ ଆଲୋଚନା କରାଯାଇଥିଲା। ଷ୍ଟୁଡେଣ୍ଟ ପୁଲିସ କ୍ୟାଡେଟ୍‌ରେ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ସାମିଲ କରିବା ପାଇଁ ଜିଲ୍ଲା ସ୍ତରରେ ଏସ୍‌ପିମାନେ ସ୍କୁଲ ଚୟନ କରିଛନ୍ତି। ଚୟନ ହୋଇଥିବା ସ୍କୁଲ୍‌ର ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ସହିତ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ପ୍ରଦାନ କରାଯାଇଛି। ଡିସେମ୍ବର ଶେଷ ସୁଦ୍ଧା ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଭୁବନେଶ୍ବର କ୍ୟାପିଟାଲ୍‌ ହାଇସ୍କୁଲ୍‌ରୁ ପ୍ରଥମେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯୋଜନା ଥିବା ବେଳେ ବର୍ତ୍ତମାନ ସୁଦ୍ଧା ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯାଇନାହିଁ। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକ୍ରମେ ତାରିଖ ଘୋଷଣା କରାଯିବ ବୋଲି ସୂଚନା ମିଳିିଛି। ଭୁବନେଶ୍ବର ବାଦ୍‌ ଜିଲ୍ଲା ସ୍ତରରେ ଏସପି/ଡିସିିିପିମାନେ ନିଜ ଅଞ୍ଚଳର ମନ୍ତ୍ରୀ, ବିଧାୟକ, ରେଞ୍ଜ ଆଇଜି/ଡିଆଇଜିଙ୍କ ମାଧ୍ୟମରେ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବାକୁ କହିଛନ୍ତି ପୁଲିସ ଡିଜି। ଯଦି ସମ୍ପୃକ୍ତ ବ୍ୟକ୍ତି ବିଶେଷ ଅନୁପସ୍ଥିତ ରୁହନ୍ତି, ତେବେ ଜିଲ୍ଲା ଏସ୍‌ପି ନିଜେ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିପାରିବେ। ମଡେଲ୍‌ ଥାନାଗୁଡ଼଼ିକ ଉପଯୁକ୍ତ ଭାବେ କାର୍ଯ୍ୟ କରିବା ପାଇଁ ଥାନାର କର୍ମଚାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ପାଇଁ ଡିଜିିପି ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କର୍ମଚାରୀଙ୍କୁ ପ୍ରଯୁକ୍ତି ବିଦ୍ୟା, ସାଧାରଣ ନାଗରିକଙ୍କ ପ୍ରତି ବ୍ୟବହାର ଏବ˚ ଚାପ ମୁକ୍ତ ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯିବ। ରେଞ୍ଜ ଆଇଜି/ଡିଆଇଜି ଏହି ପ୍ରଶିକ୍ଷଣ ପ୍ରଦାନ କରିବା ପାଇଁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ରାଜ୍ୟରେ ୩୫ଟି ମଡେଲ ଥାନାକୁ ପରୀକ୍ଷା କରାଯାଇ ଶ୍ରେଷ୍ଠ ଥାନାକୁ ପୁରସ୍କାର ପ୍ରଦାନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଜିଲ୍ଲାରେ ଆଇନ ପରାମର୍ଶଦାତା ନିଯୁକ୍ତ ପ୍ରସ˚ଗରେ ଡିଜିପି ଆଜି ବୈଠକରେ ସମୀକ୍ଷା କରିଥିଲେ। ୨୪ଟି ଜିଲ୍ଲାରେ ଆଇନ ପରାମର୍ଶଦାତା ନିଯୁକ୍ତି କରିବା ପାଇଁ ଡିଜିପି ନିର୍ଦ୍ଦେଶ ଦେଇଥିଲେ। ସେଥିରୁ ୧୪ଟି ଜିଲ୍ଲାରେ ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଛି। ତୁରନ୍ତ ଅବଶିଷ୍ଟ ଜିଲ୍ଲାରେ ପଦବି ପୁରଣ କରାଯାଇ ବିଭିନ୍ନ ମାମଲାରେ ପୁଲିସ ଅଧିକାରୀଙ୍କୁ ସହଯୋଗ କରିବା ପାଇଁ ବୈଠକରେ ନିଷତ୍ତି ଗ୍ରହଣ କରାଯାଇଛି। ଆୟୋଜିତ ବୈଠକରେ ଡିଜି ଶ୍ରୀ ଶର୍ମାଙ୍କ ସମେତ ପୁଲିସ କମିସନର ସତ୍ୟଜିତ ମହାନ୍ତି, କ୍ରାଇମ୍‌ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ, ଏଡିଜି ବିନୟତୋଷ ମିଶ୍ର, ଆଇଜି ପି.ଏସ୍‌. ରଣପିସେ, ଅରୁଣ ବୋଥ୍ରା, ଅସିତ ପାଣିଗ୍ରାହୀ, ଅମିତାଭ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର