ସମ୍ବଲପୁର ରେଳମଣ୍ଡଳରେ ଟ୍ରେନ୍‌ ବାତିଲ୍‌

ଇସ୍ପାତ, ତପସ୍ୱିନୀ, ପୁରୀ-ଦୁର୍ଗ ଓ ରାଉରକେଲା-କୋରାପୁଟ ଏକ୍ସପ୍ରେସ ଟ୍ରେନର ଅତିରିକ୍ତ ରହଣି

ଭୁବନେଶ୍ବର : ଭିତ୍ତିଭୂମିର ବିକାଶ ପାଇଁ ପୂର୍ବତଟ ରେଳପଥ ସମ୍ବଲପୁର ରେଳମଣ୍ଡଳର ବିଭିନ୍ନ ସ୍ଥାନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଚାଲୁରହିଛି। ତେଣୁ ରେଳ ଚଳାଚଳ କ୍ଷେତ୍ରରେ ବାଧାକୁ ଏଡ଼ାଇବା ପାଇଁ କେତେକ ଟ୍ରେନ୍‌ର ଚଳାଚଳକୁ ବାତିଲ କରିବା ପାଇଁ ନିଷ୍ପତ୍ତି ହୋଇଛି। ଟିଟିଲାଗଡ଼-ରାୟଗଡ଼ା-କୋରାପୁଟ ମାର୍ଗ ଦେଇ ଦୁର୍ଗ ଓ ଜଗଦଳପୁର ମଧ୍ୟରେ ଚଳାଚଳ କରୁଥିବା ଦୁର୍ଗ-ଜଗଦଳପୁର-ଦୁର୍ଗ ଏକ୍ସପ୍ରେସ(୧୮୨୧୧/୧୮୨୧୨)କୁ ଦୁର୍ଗଠାରୁ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଓ ଜଗଦଳପୁରଠାରୁ ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ବାତିଲ କରାଯାଇଛି। ବିଶାଖାପାଟନମ-ରାଇପୁର-ବିଶାଖାପାଟଣା ପାସେଞ୍ଜର(୫୮୫୨୮/୫୮୫୨୭)କୁ ବିଶାଖାପାଟଣାଠାରୁ ଫେବ୍ରୁଆରି ୨୨ ତାରିଖ ପର୍ଯ୍ୟନ୍ତ ଓ ରାଇପୁରଠାରୁ ଫେବ୍ରୁଆରି ୨୩ ତାରିଖ ପର୍ଯ୍ୟନ୍ତ ବାତିଲ ରହିବ।

ଫେବ୍ରୁଆରି ୨୪ ପର୍ଯ୍ୟନ୍ତ ସମ୍ବଲପୁରଠାରୁ ସମ୍ବଲପୁର-କୋରାପୁଟ ପାସେଞ୍ଜର(୫୮୩୦୧) ଓ ସମ୍ବଲପୁର-ଜୁନାଗଡ଼ ରୋଡ୍‌ ପାସେଞ୍ଜର(୫୮୩୦୩), ଦୁର୍ଗ ଠାରୁ ଦୁର୍ଗ-ବିଶାଖାପାଟଣା ପାସେଞ୍ଜର(୫୮୫୨୯), ଟିଟିଲାଗଡ଼ଠାରୁ ଟିଟିଲାଗଡ଼-ରାଇପୁର ପାସେଞ୍ଜର(୫୮୨୧୭) ବାତିଲ ରହିବ। ଫେବ୍ରୁଆରି ୨୪ ପର୍ଯ୍ୟନ୍ତ ବିଶାଖାପାଟଣାଠାରୁ ବିଶାଖାପାଟଣା-ଦୁର୍ଗ ପାସେଞ୍ଜର(୫୮୫୩୦) ଓ ଫେବ୍ରୁଆରି ୨୫ ପର୍ଯ୍ୟନ୍ତ କୋରାପୁଟଠାରୁ କୋରାପୁଟ-ସମ୍ବଲପୁର ପାସେଞ୍ଜର(୫୮୩୦୨), ଜୁନାଗଡ଼ ରୋଡ୍‌ଠାରୁ ଜୁନାଗଡ଼ ରୋଡ୍‌-ସମ୍ବଲପୁର ପାସେଞ୍ଜର(୫୮୩୦୪) ଓ ରାଇପୁରଠାରୁ ରାଇପୁର-ଟିଟିଲାଗଡ଼ ପାସେଞ୍ଜର(୫୮୨୧୮) ବାତିଲ ହୋଇଛି। ଏଥିରେ ସହଯୋଗ କରିବାକୁ ଯାତ୍ରୀମାନଙ୍କୁ ନିବେଦନ କରାଯାଇଛି।

ଅନ୍ୟପକ୍ଷରେ ଇସ୍ପାତ, ତପସ୍ୱିନୀ, ପୁରୀ-ଦୁର୍ଗ ଓ ରାଉରକେଲା-କୋରାପୁଟ ଏକ୍ସପ୍ରେସ ଟ୍ରେନ୍‌ଗୁଡ଼ିକର ଅତିରିକ୍ତ ରହଣି ବ୍ୟବସ୍ଥା ହୋଇଛି। ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ହାୱଡ଼ା-ଟିଟିଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସକୁ ବଡ଼ମାଳଠାରେ, ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସକୁ ମୁରୀବାହଲଠାରେ,ପୁରୀ-ହାଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସକୁ କଲୁଙ୍ଗାଠାରେ ଓ ରାଉରକେଲା-କୋରାପୁଟ-ରାଉରକେଲା ଏକ୍ସପ୍ରେସକୁ ବରପାଲି ଓ ରାଜଗାଙ୍ଗପୁରଠାରେ ଅତିରିକ୍ତ ରହଣି ପାଇଁ ପରୀକ୍ଷାମୂଳକ ଭାବେ ୬ ମାସ ପାଇଁ ବ୍ୟବସ୍ଥା ହୋଇଛି। ଏହି ଟ୍ରେନ୍‌ଗୁଡ଼ିକର ଅନ୍ୟ ରହଣି ସ୍ଥାନ ଓ ସମୟ ସାରଣୀରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର