ଅଧିକାଂଶ ଅଫିସରଙ୍କ ବଦଳି ବାତିଲ୍‌ ହେଲା କାହିଁକି?

ଓଏଏସ୍‌ ଅଫିସର ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର : ରାଜ୍ୟ ସରକାର ବରିଷ୍ଠ ଓଏଏସ୍‌ ଅଫିସରସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଏ ସଂକ୍ରାନ୍ତରେ ଆଜି ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଅଧିକାଂଶ ଅଫିସରଙ୍କ ଗତମାସର ବଦଳିକୁ ସରକାର ବାତିଲ୍‌ କରିଛନ୍ତି। କେଉଁ ପରିସ୍ଥିତିରେ ସରକାର ବଦଳି କରିଥିଲେ ଓ କାହା ଚାପରେ ଏସବୁକୁ ବାତିଲ୍‌ କରାଗଲା, ଓ ସେ ସ୍ଥାନରେ ନୂଆ ଅଫିସରଙ୍କୁ ପଠାଗଲା, ତାହା କ୍ଷମତା କରିଡରରେ ଚର୍ଚ୍ଚାର ବିଷୟ ହୋଇଛି।

କେନ୍ଦ୍ରାପଡ଼ା ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ତଥା ବରିଷ୍ଠ ଓଏଏସ୍‌ ଅଫିସର ପ୍ରଦୀପ କିଶୋର ଶତପଥୀଙ୍କୁ ଶକ୍ତି ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ମିଳିଛି। ଷ୍ଟାଫ୍‌ ସିଲେକ୍ସନ କମିସନ ସଚିବ ପଦବିକୁ ହୋଇଥିବା ତାଙ୍କ ପୂର୍ବ ବଦଳିକୁ ସରକାର ବାତିଲ କରିଛନ୍ତି। ଓଡ଼ିଶା ରାଜ୍ୟ ହାଇସିଂ ବୋର୍ଡରେ ଲ୍ୟାଣ୍ଡ ଅଫିସର ଥିବା ସ୍ମିତା ବିଶ୍ୱାଳଙ୍କୁ ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥିବା ଅବନୀକାନ୍ତ ପଟ୍ଟନାୟକଙ୍କୁ ସାଧାରଣ ପ୍ରଶାସନ ବିଭାଗ ଯୁଗ୍ମ ସଚିବ, ପୁରୀ ପିକେଡିଏରେ ସଚିବ ଭାବେ କାର୍ଯ୍ୟ କରୁଥିବା ଦିଲ୍ଲୀପ କୁମାର ପରିଡାଙ୍କୁ କେନ୍ଦ୍ରାପଡ଼ା ଡିଆର୍‌ଡିଏ ପ୍ରକଳ୍ପ ନିର୍ଦେଶକ ଭାବେ ବଦଳି କରାଯାଇଛି।

ପଞ୍ଚାୟତିରାଜ ବିଭାଗରେ ଯୁଗ୍ମ ସଚିବ ଥିବା ମହେଶ୍ୱର ପାଣିଗ୍ରାହୀଙ୍କର କେନ୍ଦ୍ରାପଡା ବଦଳି ବାତିଲ୍‌ ହୋଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଯୁଗ୍ମ ସଚିବ ବିଜୟ କୁମାର ପୃଷ୍ଟିଙ୍କ ପୂର୍ବ ବଦଳି ବାତିଲ୍‌ ହୋଇଛି ଓ ସେ ପୂର୍ବଭଳି ସେହି ବିଭାଗରେ କାର୍ଯ୍ୟ କରିବେ। ତାଙ୍କୁ ସରକାର କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ଭାବେ ପୂର୍ବରୁ ନିଯୁକ୍ତି ଦେଇଥିଲେ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ଯୁଗ୍ମ ସଚିବ ଥିବା ସୁଦର୍ଶନ ପଣ୍ଡା ମଧ୍ୟ ପୂର୍ବଭଳି ତାଙ୍କ ସ୍ଥାନରେ କାର୍ଯ୍ୟ କରିବେ। ତାଙ୍କୁ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ଭାବେ ପୂର୍ବରୁ ବଦଳି ହୋଇଥିଲା। ସେହିଭଳି ପୁରୀ ଡିଆର୍‌ଡିଏ ଅତିରିକ୍ତ ନିର୍ଦେଶକ ଶ୍ରୀକାନ୍ତ ତରାଇ ପୂର୍ବଭଳି ତାଙ୍କ ସ୍ଥାନରେ କାମ କରିବେ। ତାଙ୍କର ପଞ୍ଚାୟତିରାଜ ଯୁଗ୍ମ ସଚିବ ବଦଳି ନିର୍ଦେଶନାମା ବାତିଲ୍‌ ହୋଇଛି।

କଟକ ମହାନଗର ନିଗମର ଡେପୁଟି କମିସନର ମନୋଜ କୁମାର ବେହେରାଙ୍କୁ ଆରଆଇସି ମହାପ୍ରବନ୍ଧକ ଭାବେ ରାଉରକେଲାରେ ନିଯୁକ୍ତି ମିଳିଛି। କଟକ ଉନ୍ନୟନ କର୍ତ୍ତୃପକ୍ଷରେ ଓଏସ୍‌ଡି (ଟାସ୍କଫୋର୍ସ) ଥିବା କବୀନ୍ଦ୍ର କୁମାର ସାହୁଙ୍କୁ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ସୁନ୍ଦରଗଡ ପାନପୋଷରେ ଓଏସ୍‌ଡି ଥିବା ସଚିଦାନନ୍ଦ ସାହୁଙ୍କୁ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ, କଟକ ମହାନଗର ନିଗମର ଏଷ୍ଟାବ୍ଲିସ୍‌ମେଣ୍ଟ ଅଫିସର ରାଧାକ୍ରିଷ୍ଣ ରାଉତଙ୍କୁ ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ ଦାୟିତ୍ୱ ଦିଆଯାଇଛି।

ରେଙ୍ଗାଲି (ଦକ୍ଷିଣ)ରେ ସ୍ପେସାଲ ଏଲ୍‌ଏଓ ଥିବା ନିଗମାନନ୍ଦ ପଣ୍ଡାଙ୍କୁ ଓଡ଼ିଶା ଖଦୀ ଓ ଗ୍ରାମ୍ୟ ଶିଳ୍ପ ବୋର୍ଡର ସଚିବ ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ଝାରସୁଗୁଡା ଡିଆର୍‌ଡିଏର ଅତିରିକ୍ତ ପିଡି ଲିଲି କୁମାରୀ କୁଲୁଙ୍କୁ ସୋନପୁର ଡିଆର୍‌ଡିଏକୁ ଏପିଡି( ପ୍ରଶାସନ) ଭାବେ ବଦଳି କରାଯାଇଛି। ବରଗଡ଼ ପୌର ନିର୍ବାହୀ ଅଧିକାରୀ ଦୋଳମଣି ପଟେଲ୍‌ଙ୍କୁ ଝାରସୁଗୁଡା ଡିଆର୍‌ଡିଏ ଏପିଡି ଭାବେ, ଗୃହ ଓ ନଗର ଉନ୍ନୟନ ବିଭାଗର ଉପଶାସନ ସଚିବ ସୋନିଆ ବେହେରାଙ୍କୁ ଏଲ୍‌ଏଓ ଭାବେ ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ବୋର୍ଡକୁ ବଦଳି କରାଯାଇଛି।

ଗୁୁଣୁପୁର ଉପଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କୁ ବାଲିଗୁଡା ଆଇଟିିଡିଏ ପିଏ, ନୀଳଗିରି ପୂର୍ବତନ ଉପଜିଲ୍ଲାପାଳ ଘାସିରାମ ମୁର୍ମୁଙ୍କୁ ବାଲେଶ୍ୱର ଡିଆଇସି ଜିଏମ୍‌, ଢେଙ୍କାନାଳ ପୂର୍ବତନ ଉପଜିଲ୍ଲାପାଳ ଅବନୀକାନ୍ତ ପଟ୍ଟନାୟକଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗର ଉପଶାସନ ସଚିବ ଭାବେ, ମାଲକାନଗିରି ପୂର୍ବତନ ଉପଜିଲ୍ଲାପାଳ ଦୁର୍ଗା ପ୍ରସାଦ ମହାରଣାଙ୍କୁ ସୂଚନା ଓ ଲୋକସଂପର୍କ ବିଭାଗର ଉପଶାସନ ସଚିବ ଭାବେ ବଦଳି କରାଯାଇଛି।

ଗୃହ ବିଭାଗରେ ଉପଶାସନ ସଚିବ ଥିବା ବିଜୟ କୁମାର ସ୍ୱାଇଁଙ୍କୁ ଭୁବନେଶ୍ୱର ସ୍ମାର୍ଟ ସିିଟି ଲିମିଟେଡ୍‌ର ମହାପ୍ରବନ୍ଧକ(ଅପରେସନ୍‌) ଦାୟିତ୍ୱ ମିଳିଛି। ସେହି ପଦବିରେ ଥିବା ଦୀପକ ରାଉତରାୟଙ୍କୁ ଭୁବନେଶ୍ୱର ମହାନଗର ନିଗମ ଡେପୁଟି କମିସନର ଭାବେ ଅବସ୍ଥାପିତ କରାଯାଇଛି। ଗୃହ ଓ ନଗର ଉନ୍ନୟନ ବିଭାଗରେ ଉପଶାସନ ସଚିବ ଥିବା ସୁଶାନ୍ତ କୁମାର ମିଶ୍ରଙ୍କ ପୁରୀ ଉପଜିଲ୍ଲାପାଳ ଭାବେ ନିଯୁକ୍ତିକୁ ବାତିଲ୍‌ କରାଯାଇଛି। ସେ ପୂର୍ବଭଳି ଗୃହ ଓ ନଗର ଉନ୍ନୟନ ବିଭାଗରେ କାର୍ଯ୍ୟ କରିବେ।

ସମ୍ବନ୍ଧିତ ଖବର