ଚଳନ୍ତା ଟ୍ରେନ୍‌ରୁ ଯୁବକଙ୍କୁ ଠେଲି ଦେଲେ କିନ୍ନର

ଲୁଟିନେଲେ ୭ ହଜାର ଟଙ୍କା, ମୋବାଇଲ୍‌

ବାରଙ୍ଗ: ଜଣେ ଯୁବକଙ୍କ ଠାରୁ ଟଙ୍କା ଓ ମୋବାଇଲ୍‌ ଫୋନ୍‌ ଲୁଟିବା ପରେ ତାଙ୍କୁ ଚଳନ୍ତା ଟ୍ରେନରୁ ତଳକୁ ଠେଲି ଦେଇଛନ୍ତି ୪ ଜଣ କିନ୍ନର। ଏଭଳି ଏକ ଅଭାବନୀୟ ଘଟଣା ଆଜି ସକାଳେ ବାରଙ୍ଗର କଣ୍ଟାପାଟଣା ଗ୍ରାମ ନିକଟ ରେଳ ପୋଲ ପାଖରେ ଘଟିଛି। ରେଳ ଧାରଣାରୁ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଲୋକେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ଯୁବକ ଜଣକ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ସୂଚନା ଅନୁଯାୟୀ ସଂପୃକ୍ତ ଯୁବକଙ୍କ ନାମ ବନମାଳୀ ସିଂ(୨୫) ଓ ତାଙ୍କ ଘର ବେଲପାଳରେ। ସେ ଗତକାଲି ରାତି ପ୍ରାୟ ୩ଟାରେ ହାଓ୍ଵଡା ଚେନ୍ନାଇ ଏକ୍ସପ୍ରେସ ଟ୍ରେନ୍‌ରେ ଘରକୁ ଫେରୁଥିଲେ। ଟ୍ରେନ୍‌ ଭିତରେ ୪ ଜଣ କିନ୍ନର ତାଙ୍କୁ ଧମକ ଦେଇ ଟଙ୍କା ମାଗିଥିଲେ। ହେଲେ ବନମାଳୀ ଟଙ୍କା ଦେବାକୁ ମନା କରିବାରୁ ବନମାଳୀଙ୍କ ପ୍ୟାଣ୍ଟ ପକେଟ୍‌ରେ ମନିପର୍ସରେ ଥିବା ୭ ହଜାର ଟଙ୍କା ଓ ମୋବାଇଲ୍‌ ଫୋନ୍‌ଟିକୁ ସେମାନେ ଛଡ଼ାଇ ନେଇଥିଲେ। ଉଭୟଙ୍କ ଭିତରେ ଟଣାଓଟରା ଭିତରେ କିନ୍ନର ମାନେ ତାଙ୍କୁ ଧକ୍କା ଦେଇ ଟ୍ରେନ୍‌ରୁ ତଳକୁ ଫିଙ୍ଗି ଦେଇଥିଲେ। ଭୋର ପ୍ରାୟ ୫ଟା ସମୟରେ ବନମାଳୀଙ୍କୁ ସ୍ଥାନୀୟ ଲୋକ ଏଭଳି ଅବସ୍ଥାରେ ଦେଖି ୧୦୮ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। କିନ୍ତୁ ୪ ଘଣ୍ଟା ବିଳମ୍ବରେ ଅର୍ଥାତ ଦିନ ପ୍ରାୟ ୯ଟା ବେଳେ ଏକ ଆମ୍ବୁଲାନ୍ସ ଭୁବନେଶ୍ୱରରୁ ଆସି ବନମାଳୀଙ୍କୁ ଚିକିତ୍ସା ପାଇଁ ନେଇଥିଲା। ଗତ କିଛି ଦିନ ତଳେ ବାରଙ୍ଗ ଷ୍ଟେସନରୁ ଗୋପାଳପୁର ଷ୍ଟେସନ ମଧ୍ୟରେ ଟ୍ରେନ୍‌ରୁ ପଡି ଏକାଧିକ ଗୁରୁତର ଓ ମୃତବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି।

ଏଭଳି ଲଗାତର ଭାବେ ନିର୍ଦ୍ଦିଷ୍ଟ ଜାଗାରେ ଏଭଳି ଘଟଣା ଘଟିି ଚାଲିଥିବାରୁ ଆଜିର ଘଟଣା ସହିତ ପୂର୍ବ ଘଟଣାର ସଂପର୍କ ରହିଥିବା ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ବାରଙ୍ଗ ଜିଆରପି ଫାଣ୍ଡି ପାଖରେ ଏ ସଂପର୍କରେ ସୂଚନା ନଥିବାବେଳେ ସ୍ଥାନୀୟ ଲୋକଙ୍କ ଠାରୁ ମିଳିଥିବା ସୂଚନାକୁ ଆଧାର କରି ଜିଆର୍‌ପି ପୁଲିସ ତଦନ୍ତ ଆରମ୍ଭ କରିଛି। ଉଦ୍ଧାର ଯୁବକର ବାମ ହାତ, ମୁଣ୍ଡରେ ଆଘାତ ଲାଗିଥିବା ବେଳେ ଆଙ୍ଗୁଠି ଛିଣ୍ଡିି ଯାଇଛି।

ସମ୍ବନ୍ଧିତ ଖବର