ଅଗଷ୍ଟ ୭ରେ ୨୪ ଘଣ୍ଟିଆ ପରିବହନ ଧର୍ମଘଟ

ଭୁବନେଶ୍ୱର : ଲୋକସଭାରେ ଗୃହୀତ ମୋଟର ଭେଇକିଲ ଆକ୍ଟ ୧୯୮୮ର (ସଂଶୋଧନ) ବିଲ୍‌କୁ ବିରୋଧ କରି ଆସନ୍ତା ୭ ତାରିଖ ଦିନ ଦେଶବ୍ୟାପୀ ପରିବହନ ଧର୍ମଘଟ କରାଯିବ। ଏହି ବିଲ୍‌ରେ ସଂଶୋଧନ ଅଣାଗଲେ ଗାଡ଼ି ମାଲିକ, ଚାଳକ ଭୀଷଣ କ୍ଷତିଗ୍ରସ୍ତ ହେବେ। କେବଳ ବୀମା କମ୍ପାନିଗୁଡ଼ିକ ବ୍ୟତୀତ ଅନ୍ୟ କାହାରି ପାଇଁ ଏହା ହିତକର ସାବ୍ୟସ୍ତ ହେବ ନାହିଁ। ତେଣୁ ଏହାର ପ୍ରତିବାଦରେ ଲକ୍ଷ ଲକ୍ଷ ଅଟୋ, ଟ୍ୟାକ୍ସି, ବସ୍‌, ଟ୍ରକ ଓ ଟ୍ୟାଙ୍କର ଚାଳକ  ଓ ମାଲିକମାନେ ଧର୍ମଘଟରେ ସାମିଲ ହେବ। ଆଜି ଅଲ୍‌ ଓଡ଼ିଶା ଟ୍ରାନ୍ସପୋର୍ଟ ଓ୍ଵାର୍କର୍ସ ଫେଡେରେସନ୍‌ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି।

ଭାରତ ସଡ଼କ ପରିବହନ ମହାସଂଘ, ସିଆଇଟି, ଏଚ୍‌ଏମ୍‌ଏସ୍‌, ଏଆଇଟିୟୁସି, ଆଇଏନ୍‌ଟିୟୁସି, ଏଲ୍‌ପିଏଫ୍‌ଙ୍କ ମିଳିତ ଆହ୍ଵାନରେ ଏହି ଧର୍ମଘଟ କରାଯିବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା।

ଫେଡେରେସନ୍‌ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ମୋଟର ଭେଇକିଲ ଆକ୍ଟ ୧୯୮୮ (ସଂଶୋଧନ) ବିଲ୍‌ ଜରିଆରେ କେନ୍ଦ୍ର ସରକାର ପରିବହନ ଶିଳ୍ପକୁ ସଂପୂର୍ଣ୍ଣ ଭାବେ କର୍ପୋରେଟ୍‌ ଓ ବିଦେଶୀ କମ୍ପାନି ହାତରେ ଟେକି ଦେବାକୁ ବସିଛନ୍ତି। ଏହି ବିଲ୍‌ ଗୃହୀତ ହେଲେ ରାଜ୍ୟ ପରିବହନ ସଂସ୍ଥା ବିଲୋପ ହେବ। ଆର୍‌ଟିଓ ଅଫିସ ଓ ଏମଭିଆଇ ଅଫିସ୍‌ ଉଠିଯିବ। କେବଳ ଗାଡ଼ି କମ୍ପାନିମାନଙ୍କର ମରାମତି ଗ୍ୟାରେଜ୍‌, ସ୍ପେୟାର ପାର୍ଟସ୍‌ ଦୋକାନ ଓ ଡ୍ରାଇଭିଂ ସ୍କୁଲ ରହିବ। ଅଟୋରିକ୍ସା ଓ ଟ୍ୟାକ୍ସି ସବୁ ହଟାଇ ଦିଆଯାଇ ଓବେର୍‌ କମ୍ପାନିର ଗାଡ଼ି ଚାଲିବ।

ଆଜି ଟ୍ରାନ୍ସପୋର୍ଟ ଫେଡେରେସନ୍‌ର ରାଜ୍ୟ ସଭାପତି ଜନାର୍ଦ୍ଦନ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀ ଜରିଆରେ ଆସନ୍ତା ୭ ତାରିଖରେ ହେବାକୁ ଥିବା ଧର୍ମଘଟକୁ ସଫଳ କରିବା ପାଇଁ ରାଜ୍ୟର ସମସ୍ତ ପରିବହନ ମାଲିକ ଓ ଚାଳକମାନଙ୍କୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର