ଏସ୍‌ସିବିରେ ନାଁକୁ ଟ୍ରମା ୟୁନିଟ୍‌ : ଯୋଜନାରେ ଅଟକିଛି ୨୪ ଘଣ୍ଟିଆ ଓଟି ବ୍ୟବସ୍ଥା, ଛୁଟି ହେଲେ ଓଟି ବନ୍ଦ

୮ ମେଡିକାଲ ଅଫିସରଙ୍କ ସ୍ଥାନରେ ଅଛନ୍ତି ମାତ୍ର ଜଣେ

କଟକ : କଟକ ବଡ଼ ମେଡିକାଲର ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଭାଗ ହେଉଛି ଟ୍ରମା ୟୁନିଟ୍‌। ସାତ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଏହି ବିଭାଗ କିନ୍ତୁ ଆଜି ପର୍ଯ୍ୟନ୍ତ ସ୍ବୟଂ ସଂପୂର୍ଣ୍ଣ ହୋଇ ପାରୁନି। ୨୪ଘଣ୍ଟିଆ ଓଟି ବ୍ୟବସ୍ଥା ତ କାର୍ଯ୍ୟକାରୀ ହୋଇପାରିନି, ଛୁଟି ଦିନରେ ବି ଓଟି ବନ୍ଦ ହୋଇଯାଉଛି। ଟ୍ରମା ୟୁନିଟ୍‌କୁ ଚଳାଇବା ପାଇଁ ନାହାନ୍ତି ମେଡିକାଲ ଅଫିସର। ୬ମାସ ହେଲା ଖାଲି ପଡିଛି ପଦବି। ଏଭଳି ସ୍ଥିତିରେ ଦୁର୍ଘଟଣାଗ୍ରସ୍ତ ଅତ୍ୟନ୍ତ ଗୁରୁତର ରୋଗୀଙ୍କୁ କିଭଳି ସେବା ମିଳିବ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଦୁର୍ଘଟଣା ଦିନକୁ ଦିନ ବଢି ଚାଲି ଥିବାରୁ ସରକାରୀ ଓ ବେସରକାରୀ ମେଡିକାଲରେ ଖୋଲାଯାଉଛି ସ୍ବତନ୍ତ୍ର ଟ୍ରମା ୟୁନିଟ୍‌। କିନ୍ତୁ ରାଜ୍ୟର ପ୍ରମୁଖ ସରକାରୀ ଚିକିତ୍ସାଳୟ କଟକ ବଡମେଡିକାଲରେ କେବଳ ନାମକୁ ମାତ୍ର ଚାଲିଛି ଟ୍ରମା ୟୁନିଟ୍‌। ଯେଉଁଭଳି ଭିତ୍ତିଭୂମି ରହିବା କଥା ତା ଆଜି ପର୍ଯ୍ୟନ୍ତ ହୋଇପାରିନି। ଏସ୍‌ସିବି ଟ୍ରମା କେୟାର ୟୁନିଟ୍‌ରେ ୪୪ଟି ବେଡ୍‌ ରହିଥିବାବେଳେ ଆଇସିୟୁ ସଂଖ୍ୟା ରହିଛି ୧୪। ଏଥିରେ ୮ଜଣ ମେଡିକାଲ ଅଫିସର ରହିବା କଥା। ଏ ନେଇ ବିଜ୍ଞପ୍ତି ମଧ୍ୟ ବାହାରିଥିଲା। ହେଲେ ଏହି ପଦ ଚୁକ୍ତିଭିତ୍ତିକ ଥିବାରୁ ମାତ୍ର ୪ଜଣ ଅଧିକାରୀ କାର୍ଯ୍ୟରେ ଯୋଗ ଦେଲେ। ବାକି ୪ଟି ପଦ ଖାଲି ପଡିଲା। କିନ୍ତୁ ବିଡମ୍ବନାର ବିଷୟ ଯୋଗଦାନର କିଛିଦିନ ପରେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମଧ୍ୟରୁ ୩ଜଣ ଚାକିରି ଛାଡି ଚାଲି ଗଲେ। ଫଳରେ ୮ଜଣଙ୍କ ବଦଳରେ ଏବେ ମାତ୍ର ଜଣେ ମେଡିକାଲ ଅଫିସରଙ୍କୁ ନେଇ ଚାଲିଛି ଟ୍ରମା ୟୁନିଟ୍‌। ପ୍ରତ୍ୟହ ସକାଳ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଟ୍ରମା ୟୁନିଟ୍‌ରେ ଅସ୍ତ୍ରୋପଚାର କରାଯାଉଥିବାବେଳେ ଦିନକୁ ୪ରୁ ୫ଟି ଅସ୍ତ୍ରୋପଚାର ହୋଇପାରୁଛି। କିନ୍ତୁ ଜରୁରୀକାଳୀନ ଅସ୍ତ୍ରୋପଚାର ବ୍ୟବସ୍ଥା ନାହିଁ। ଟ୍ରମା କେୟାରରେ ୨୪ ଘଣ୍ଟିଆ ଅସ୍ତ୍ରୋପଚାର ବ୍ୟବସ୍ଥା ପାଇଁ ଦୀର୍ଘଦିନ ହେଲା ଯୋଜନା ଚାଲିଥିଲେ ମଧ୍ୟ ଯୋଜନା ନାଲି ଫିତାରେ ବନ୍ଧା ହୋଇଛି। ୨୪ଘଣ୍ଟିଆ ଓଟି ବ୍ୟବସ୍ଥା ପାଇଁ ନିଶ୍ଚେତକ ବିଶେଷଜ୍ଞ ବି ନାହାନ୍ତି। ଟ୍ରମା ୟୁନିଟରେ ଜୁରୁରୀକାଳୀନ ଅସ୍ତ୍ରୋପଚାର ବ୍ୟବସ୍ଥା ଓ ଛୁଟି ହେଲେ ଓଟି ବନ୍ଦ ଘଟଣା ଯୋଗୁଁ ରୋଗୀ ସମସ୍ୟାରେ ପଡୁଛନ୍ତି। ଟ୍ରମା‌ ୟୁନିଟ୍‌ ପାଇଁ ଆବଶ୍ୟକ ଉପକରଣ, ଭିତ୍ତିଭୂମି ଆଦିର ତାଲିକା ମଧ୍ୟ ସ୍ବାସ୍ଥ୍ୟ ବିଭାଗକୁ ପଠାଯାଇଛି। କିନ୍ତୁ ତାହା ପୂରଣ ନ ହୋଇ ୭ ବର୍ଷ ହେଲା ଲଟକି ରହିଛି। ବର୍ତ୍ତମାନ ପାଇଁ ଟ୍ରମା କେୟାର ଓ ସ୍ପାଇନାଲ କେନ୍ଦ୍ରକୁ ମିଶ୍ରଣ କରି ନୂଆ ରୂପ ଦେବା ପାଇଁ ଯୋଜନା ରହିଛି। କିନ୍ତୁ ପୂର୍ବର ‌ଅନେକ ଯୋଜନା ପଡି ରହିଥିବା ବେଳେ ଏ ଯୋଜନା ବି କେବେ ବାସ୍ତବ ରୂପ ନେବ, ତାହାକୁ ନେଇ ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର