ଆହତ ଦନ୍ତାର ଚିକିତ୍ସା କଲେ ଓୟୁଏଟି ବିଶେଷଜ୍ଞ

ତେଲକୋଇ/ରାଇସୁଆଁ : ଶେଷରେ ଆହତ ଦନ୍ତାହାତୀର ଚିକିତ୍ସା କରାଯାଇଛି। ଓୟୁଏଟିର ବିଶେଷଜ୍ଞ ଡାକ୍ତର ପହଞ୍ଚି ହାତୀଟିକୁ ଟ୍ରାଙ୍କୁଲାଇଜ କରିବା ସହ ଚିକିତ୍ସା କରିଛନ୍ତି। ଏଥିସହ କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାର ବନ କର୍ମଚାରୀଙ୍କ ମଧ୍ୟରେ ଆହତ ହାତୀକୁ ନେଇ ଚାଲିଥିବା ଛକାପଞ୍ଝାର ଅନ୍ତ ହୋଇଛି। ଆଜି ଭୁବନେଶ୍ବରସ୍ଥିତ ଓୟୁଏଟିର ପ୍ରଫେସର ଇନ୍ଦ୍ରମଣି ନାଥଙ୍କ ନେତୃତ୍ବରେ ୬ ଜଣିଆ ବିଶେଷଜ୍ଞ ଦଳ ହାତୀର ଚିକିତ୍ସା ପାଇଁ ଆସିଥିଲେ। ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଦେହୁରୀହତା-ବଡ଼ସାହି ଗ୍ରାମ ନିକଟ ଖେସରା ଜଙ୍ଗଲରେ ଦନ୍ତାକୁ ଠାବ କରାଯାଇଥିଲା। ପ୍ରଥମେ ଟ୍ରାଙ୍କୁଲାଇଜ୍ କରି ପରେ ଚିକିତ୍ସା କରିଥିଲେ। କ୍ଷତକୁ ଧୋଇବା ସହ ଔଷଧ ଓ ଇଞ୍ଜ‌େକ୍‌ସନ ଦିଆଯାଇଥିଲା। ଖୁବ୍‌ଶୀଘ୍ର ତାହା ଭଲ ହୋଇଯିବ ବୋଲି ପ୍ରଫେସର ନାଥ ପ୍ରକାଶ କରିଛନ୍ତି। ଭଲ ହେବା ପର୍ଯ୍ୟନ୍ତ ଢେଙ୍କାନାଳ ଓ କେନ୍ଦୁଝର ବନ ବିଭାଗ କର୍ମଚାରୀ, ହାତୀ ସୁରକ୍ଷାଦଳ ମିଶି ଆହତ ହାତୀର ଗତିବିଧି ଉପରେ ନଜର ରଖିବାକୁ ବିଶେଷଜ୍ଞ ଦଳ ପରାମର୍ଶ ଦେଇଛନ୍ତି।

ହାତୀ ଆକ୍ରମଣରେ ମହିଳା ମୃତ

ରାଜଗାଙ୍ଗପୁର : ହାତୀ ଆକ୍ରମଣରେ ରାଜଗାଙ୍ଗପୁରରେ ଆଉ ଜଣଙ୍କ ଜୀବନ ଯାଇଛି। ପୂର୍ବରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ର୍ଥ ଶିକାର ହୋଇଛନ୍ତି କୁମାକେଲାର ଆଭା କେର୍କେଟା (୫୨)। ଜଙ୍ଗଲ ବିଭାଗ ପକ୍ଷରୁ ତାଙ୍କ ଶବକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର