ବିୟର୍‌ ଫାକ୍ଟ୍ରି ପାଇଁ ଗଛକଟା ଘଟଣା : କଟା ଗଛ ଧରି କାନ୍ଦିଲେ ମହିଳା

ପାଳିଲେ ଅ‌େନ୍ତ୍ୟଷ୍ଟି, ବ୍ୟାପକ ଆନ୍ଦୋଳନ ପାଇଁ ଚେତାବନୀ

ଢେଙ୍କାନାଳ : ଓଡ଼ାପଡ଼ା ବ୍ଲକ୍ ବଳରାମପୁର ଝିଙ୍କ ରଗଡ଼ି ଜଙ୍ଗଲ ଜମିରେ ବିୟର ଫ୍ୟାକ୍ଟ୍ରି ନିର୍ମାଣ ପାଇଁ ଗଛ କାଟିବା ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଦୀର୍ଘବର୍ଷ ଧରି ନିଜ ପୁଅପରି ବଢାଇଥିବା ଜଙ୍ଗଲରୁ ମୂଲ୍ୟବାନ ଗଛଗୁଡିକୁ ସେମାନଙ୍କ ଆଖି ଆଗରେ ଗୋଟିଏ ପରେ ଗୋଟିଏ କାଟି ଗଡ଼ାଇ ଦିଆଯାଇଥିବାରୁ ଗ୍ରାମବାସୀମାନେ ଅସ୍ଥିର ହୋଇ ଉଠିଛନ୍ତି। ପରିବାରର ସଦସ୍ୟମାନଙ୍କୁ ହତ୍ୟା କରାଯାଇଥିବା ଆରୋପ କରି ଆଜି ଶହ ଶହ ଗ୍ରାମବାସୀ ଶୋକ ପାଳିଛନ୍ତି। ମହିଳାମାନେ କଟାଗଛଗୁଡ଼ିକୁ କୁଣ୍ଢାଇ ରାହାଧରି କାନ୍ଦୁଥିବାର ଦୃଶ୍ୟ ସାଧାରଣରେ ବେଶ୍ ଭାବାବେଗ ସୃଷ୍ଟି କରିଥିଲା। ପରିବାର ସଦସ୍ୟଙ୍କ ମୃତ୍ୟୁ ପରେ ତିକ୍ତ ଖାଇବା ପରି ଅଞ୍ଚଳବାସୀ ବୈଠକ କରି ଘଟଣାକୁ ନିନ୍ଦା କରିବା ସହ ତିକ୍ତଖାଇ ନିଜକୁ ସାନ୍ତ୍ବନା ଦେଇଥିଲେ। ସରକାର ଏହାର ବିଧିବଦ୍ଧ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଅଞ୍ଚଳବାସୀଙ୍କ ସମେତ ଅଂଚଳର ନେତୃବୃନ୍ଦ ଚେତାବନୀ ଦେଇଛନ୍ତି।

ସୂଚନା ଅନୁଯାୟୀ, ଗତ ୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଦ୍ବାରା ଏଠାରେ ଘରୋଇ ପରିଚାଳନାଧୀନ ବିୟର ଫ୍ୟାକ୍ଟ୍ରି ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଗତକାଲି ହଠାତ୍ କ˚ପାନି କର୍ତୃପକ୍ଷ ବ୍ୟାପକ ଗଛକଟା ଆରମ୍ଭ କରି ଦେଇଥିଲେ। ଝିଙ୍କ ରଗଡି ଜଙ୍ଗଲରୁ ୧୦୦୦ରୁ ଅଧିକ ମୂଲ୍ୟବାନ ଗଛ ସହ ବହୁ ଔଷଧୀୟ ପୁରୁଣା ଗଛ କାଟି ଶୁଆଇ ଦେଇଥିଲେ। ଏଥିଯୋଗୁଁ ସରକାରଙ୍କୁ ବିଭିନ୍ନ ମହଲରୁ ତୀବ୍ର ସମାଲୋଚନା କରାଯାଇଥିଲା। ଗଛ କାଟିବାକୁ ବାରଣ କରିବା ସହ ଏହାର ତଦନ୍ତ ପାଇଁ ଆଜି ସରକାର ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଅଞ୍ଚଳବାସୀଙ୍କ ମନ ବୁଝିନାହିଁ। ପରିବାରର ସଦସ୍ୟ ପରି ଥିବା ଗଛଗୁଡିକୁ କାଟିବା ପରେ ସରକାରଙ୍କ ଏତାଦୃଶ ନିର୍ଦ୍ଦେଶ ‘ଗୋଇଠା ମାରି ବିଷ୍ଣୁ କହିବ‌ା’ ସଦୃଶ ବୋଲି ଅଞ୍ଚଳବାସୀ ତାତ୍ସଲ୍ୟ କରିଛନ୍ତିି।

ଏ ନେଇ ଝିଙ୍କରଗଡ଼ି ଜଙ୍ଗଲରେ ଆଞ୍ଚଳିକ ସୁରକ୍ଷା କମିଟି ସଭାପତି ଅମ୍ବିକା ପ୍ରସାଦ ଜେନାଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିବାଦ ସଭା ହୋଇଥିଲା। ପରିବେଶବିତ୍‌ ତଥା ସାମାଜିକ କର୍ମୀ ପ୍ରଫୁଲ୍ଲ ସାମନ୍ତରା, ରାଜ୍ୟ ମିଳିତ ମଦ ବିରୋଧୀ ଆନ୍ଦୋଳନର ମୁଖ୍ୟ ପଦ୍ମଚରଣ ନାୟକ, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ଏପରି କାର୍ଯ୍ୟକୁ ଭର୍ତ୍ସନା କରିବା ସହ ତୁରନ୍ତ ଏହାର ପ୍ରତିକାର ଦାବି କରିଥିଲେ। ଗାଁରେ ମଦ କାରଖାନା ସ୍ଥାପନ ପ୍ରସ୍ତାବ ସ˚ପୂର୍ଣ୍ଣ ବନ୍ଦ ନହେବା ପର୍ଯ୍ୟନ୍ତ ଅଞ୍ଚଳବାସୀଙ୍କ ପକ୍ଷରୁ ବ୍ୟାପକ ଆନ୍ଦୋଳନ ଚାଲିବ ବୋଲି ବୈଠକରେ ମତପ୍ରକାଶ ପାଇଥିଲା। ସ˚ପାଦକ ସୁଶାନ୍ତ ଧଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ରମେଶ ସାମଲ, ଲକ୍ଷ୍ମୀଧର ବେହେରା, ପ୍ରସନ୍ନ ଦଳବେହେରା, ଦେବୀ ପ୍ରସାଦ ପୃଷ୍ଟି, ପ୍ରଶାନ୍ତ ପ୍ରଧାନ, ଚତୁରୀ ଧଳ, ଗୀତାରାଣୀ ଦଳେଇ, କବିତା ପାତ୍ର, ଜିତୁ ପାତ୍ର, କ୍ଷୀରୋଦ ପାତ୍ର, ପ୍ରଶାନ୍ତ ମିଶ୍ର, ସରୋଜ ସାହୁ, ରାମଚନ୍ଦ୍ର ପାତ୍ରଙ୍କ ସମେତ ଅଞ୍ଚଳର ବହୁ ଅଧିବାସୀ ସଭାରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର