୩ ଅନାଥ ଭଉଣୀଙ୍କୁ ମିଳିଲା ସାହାରା

ଭୁବନେଶ୍ୱର : କିଏ କହିଲା ଦୁନିଆରେ ମାନବିକତା ହଜିଯାଇଛି। ଏବେ ବି କେଉଁଠି ନା କେଉଁଠି ସମ୍ବେଦନଶୀଳ ହୃଦୟବାନ ଲୋକମାନେ ଅଛନ୍ତି, ଯେଉଁମାନେ ବେସାହାରାଙ୍କୁ କୋଳେଇ ନେବାର ହୃଦୟଟିଏ ସାଇତିଛନ୍ତି। ଏହିଭଳି ମାନବିକତା ଓ ସାମାଜିକ ଦାୟିତ୍ୱବୋଧର ଉଦାହରଣ ସୃଷ୍ଟି କରି ୩ ଅନାଥ କନ୍ୟାଙ୍କ ସମସ୍ତ ଦାୟିତ୍ୱ ନେବାକୁ ଆଗେଇ ଆସିଛି ‘କେ୧ ସିକ୍ୟୁରିଟି ସଂସ୍ଥା’। ଗତ ୧୧ ତାରିଖରେ ‘ସମ୍ବାଦ’ ମହାନଗର ପୃଷ୍ଠାରେ ‘ଅସୁରକ୍ଷିତ ଅବସ୍ଥାରେ ୩ ଭଉଣୀ’ ଶୀର୍ଷକ ଖବର ପଢ଼ିବା ପରେ ଏଭଳି ନିଷ୍ପତ୍ତି ନେଇଛି ଏହି ଘରୋଇ ସଂସ୍ଥା। ବଡ଼ ଭଉଣୀ ସସ୍ମିତାକୁ ସଂସ୍ଥାରେ ଚାକିରି ପ୍ରଦାନ ସହ ଅନ୍ୟ ଦୁଇ ଭଉଣୀର ପାଠପଢ଼ା ଖର୍ଚ ତୁଲାଇବାକୁ ସଂସ୍ଥା ପକ୍ଷରୁ ଘୋଷଣା କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ସହିନଗରର ଏକ ଭଙ୍ଗା ଆଜବେଷ୍ଟସ ତଳେ ଜୀବନ କାଟୁଥିବା ୩ ବେସାହାରା ଭଉଣୀ ସସ୍ମିତା, ଦେବସ୍ମିତା ଓ ମଧୁସ୍ମିତା ପିଲାବେଳୁ ବାପାଙ୍କୁ ହରାଇଥିଲେ। ମା’ ରେଣୁବାଳା ବଳିଆରସିଂହ ପର ଘରେ ପାଇଟି କରି ୩ ଝିଅଙ୍କ ମୁହଁରେ ଆହାର ଦେବା ସହ ପାଠ ପଢ଼ାଇ ମଣିଷ କରିବାକୁ ସଂଘର୍ଷ କରୁଥିଲେ। ମାତ୍ର ଗତ ମାସ ସେ ମଧ୍ୟ କିଡ୍‌ନି ରୋଗରେ ଆକ୍ରାନ୍ତ ହୋଇ ଆରପୂରକୁ ଚାଲିଗଲେ। ଫଳରେ ଝିଅମାନେ ବେସାହାରା ହୋଇଯାଇଥିଲେ। ‘ସମ୍ବାଦ’ରୁ ଏହି ଖବର ପଢ଼ିବା ପରେ କେ-୧ ସିକ୍ୟୁରିଟି ସଂସ୍ଥା ସହାୟତା ପାଇଁ ଆଗେଇ ଆସିଥିଲା। ଆଉ ଆଜି ‘ସମ୍ବାଦ ଭବନ’ରେ ଆୟୋଜିତ ଏକ କାର୍ଯ୍ୟକ୍ରମେରେ ବଡ଼ ଭଉଣୀ ସସ୍ମିତାକୁ କେ-୧ ସିକ୍ୟୁରିଟିରେ ସୁପରଭାଇଜର ଭାବେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା।

‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ‘କେ୧’ର ପରିଚାଳନା ନିର୍ଦେଶକ ମାନସ ଚୌଧୁରୀ ତାଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ। ପ୍ରଶିକ୍ଷଣ ସମୟରେ ୭ ହଜାର ଟଙ୍କା ଦରମା ସହ ପ୍ରଶିକ୍ଷଣ ପରେ ତାଙ୍କୁ ୯ ହଜାର ଟଙ୍କା ଦରମା ଦିଆଯିବ ବୋଲି ଶ୍ରୀ ଚୌଧୁରୀ ସୂଚନା ଦେଇଥିଲେ। ଏଥିସହିତ ଅନ୍ୟ ଦୁଇ ଭଉଣୀ ଦେବସ୍ମିତା ଓ ମଧୁସ୍ମିତାଙ୍କ ସମସ୍ତ ପଢ଼ା ଖର୍ଚ କେ୧ ପକ୍ଷରୁ ବହନ କରାଯିବ ବୋଲି ସେ ଘୋଷଣା କରିଥିଲେ। ଏହି ଅବସରରେ ସେ କମ୍ପାନି ସମେତ ‘ସମ୍ବାଦ’ରେ ଖବର ପ୍ରକାଶ କରିଥିବା ସମ୍ବାଦ ପ୍ରତିନିଧି ରିତେନ୍ଦ୍ର ଛାଟୋଇ ଏବଂ ସମ୍ବାଦର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ଖଦିବୋର୍ଡର କର୍ମଚାରୀମାନେ ମଧ୍ୟ ନିଜ ତରଫରୁ ସଂଗ୍ରହ କରିଥିବା କିଛି ଅର୍ଥ ତିନି ଭଉଣୀଙ୍କୁ ପ୍ରଦାନ କରିଥିଲେ।

‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଏହି ଅବସରରେ ନିଜ ମତ ରଖି କହିଲେ, ସମ୍ବାଦ କାର୍ଯ୍ୟାଳୟରେ ଅନେକ ସଭା ହୋଇଥିଲେ ହେଁ ଏହା ଏକ ଶ୍ରେଷ୍ଠ ସଭା। ମଣିଷକୁ ମଣିଷ ସହ ଏବଂ ସମସ୍ୟାକୁ ସମାଧାନ ସହ ଯୋଡ଼ିବାର ଏହା ଶ୍ରେଷ୍ଠ ଅନୁଭୂତି। ଆମର ଧାରଣା ଯେ ସମାଜରେ ଖରାପ ଲୋକଙ୍କ ସଂଖ୍ୟା ଅଧିକ। ମାତ୍ର ବାସ୍ତବରେ ସମାଜରେ ଭଲ ଲୋକଙ୍କ ସଂଖ୍ୟା ବି କମ୍‌ ନୁହେଁ। ସେମାନେ ନଜର ଆଢ଼ୁଆଳରେ ରହି ଏହିଭଳି ବେସାହାରାମାନଙ୍କୁ ସାହାରା ଦେବାରେ ପ୍ରମୁଖ ଭୂମିକା ନେଇଥାଆନ୍ତି। ଏହିଭଳି ଅନ୍ୟମାନେ ବି କେବେକେବେ ଅନ୍ୟମାନଙ୍କ ପାଇଁ ମନସ୍କ ହୋଇ ପାରିଲେ ସମାଜରେ ଅନେକ ବେସାହାରା ସାହାରା ପାଇଯିବେ ବୋଲି ସେ କହିଥିଲେ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ‘ସମ୍ବାଦ’ର ଫିଚର ସମ୍ପାଦକ ଗୌରହରି ଦାସ, ସମ୍ପାଦକୀୟ ପୃଷ୍ଠା ସମ୍ପାଦକ ରଣଜିତ ଗୁରୁ, ‘ଆମ ଓଡ଼ିଶା’ର ସମ୍ପାଦକ ସ୍ୱରାଜ ମିଶ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ। ‘ସମ୍ବାଦ’ ମହାନଗର ସଂସ୍କରଣ ଗୌତମବୁଦ୍ଧ ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ କେ୧ ସଂସ୍ଥାର ଉପସଭାପତି କୁନା ମହାନ୍ତି, ମହାପ୍ରବନ୍ଧକ ଭି ସି ମହାରଣା ଓ ଏଜିଏମ୍‌ ଚିନ୍ମୟୀ ଭୂୟାଁ ଏବଂ ଖଦିବୋର୍ଡ଼ କର୍ମଚାରୀଙ୍କ ତରଫରୁ ନିରୂପମା ଦେବୀ ପ୍ରମୁଖ ଉପସ୍ଥିତ ଥିଲେ।

ମା’ଙ୍କ ମୃତ୍ୟୁ ପରେ ନିଜର ଜଣେ ମାଉସୀ କୁନି ସେନାପତିଙ୍କ ଦୟାରୁ ୩ ଭଉଣୀ ଚଳି ଯାଉଥିଲେ ହେଁ ଏବେ ଚାକିରି ପରେ ଘରର ଦୁରବସ୍ଥା ଦୂର ହୋଇପାରିବ ବୋଲି ସସ୍ମିତା କହିଛନ୍ତି। ଏଥିସହିତ ସେ ନିଜର ୨ ଭଉଣୀକୁ ମଧ୍ୟ ଆହୁରି ପାଠ ପଢ଼ାଇ ପାରିବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି। ଦେବସ୍ମିତା ଓ ମଧୁସ୍ମିତା ନିଜ ପ୍ରତିକ୍ରିୟାରେ କହିଛନ୍ତି, ତାଙ୍କ ମା’ଙ୍କର ସ୍ୱପ୍ନ ଥିଲା ଆମେ ୩ ଜଣ ପାଠ ପଢ଼ି ନିଜର ପରିଚୟ ସୃଷ୍ଟି କରୁଁ। ତେଣୁ ମା’ଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଆମେ ପାଠ ପଢ଼ି ନିଜକୁ ପ୍ରତିଷ୍ଠିତ କରିବୁ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର