ମୋଦୀଙ୍କ ଗସ୍ତବେଳେ ହେଲିପ୍ୟାଡ ପାଇଁ ଗଛ କଟା ଘଟଣା : ଏଣକି ହେବ ଚିଠି ଯୁଦ୍ଧ!

କ୍ଷତିପୂରଣ ବାବଦକୁ ଗଛ ଲଗାଇବ ରେଳବାଇ:ବନ ବିଭାଗ, ତଦନ୍ତ ପରେ ଉଚିତ୍ ଉତ୍ତର ଦିଆଯିବ:ରେଳବାଇ

ବଲାଙ୍ଗୀର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ହେଲିପ୍ୟାଡ ନିର୍ମାଣ ସକା‌ଶେ ଗଛ ବଳି ପଡ଼ିବା ଘଟଣା ଚର୍ଚ୍ଚାର ପ୍ରସଂଗ ପାଲଟିଛି। ଏହାକୁ ନେଇ ରେଳ ବିଭାଗ ଓ ବନ ବିଭାଗ ମୁହାଁମୁହିଁ ହୋଇଥିଲେ। ଉଭୟ ବିଭାଗ ଏହାର କରିଥିବାବେଳେ ଇତିମଧ୍ୟରେ ବନ ବିଭାଗ ତଦନ୍ତ ରିପୋର୍ଟ ଦେଇଛି।

ଏଥିରେ କୁହାଯାଇଛି ଯେ, ୧୯୧୫-୧୬ ଓ ୨୦୧୬-୧୭ରେ ରେଳ ବିଭାଗ ଜମିରେ ଚାରା ରୋପଣ କରାଯାଇଥିଲା। ସେ ସବୁ ବଢ଼ି ୨ରୁ୫ ସିଏମ ମୋଟା ଓ ୫ରୁ୬ ଫୁଟ ଉଚ୍ଚତାର ସାପଲିଙ୍ଗ ଗଛ ହୋଇଥିଲା। ରେଳ ବିଭାଗ ଜମିରେ ୨୦୧୫-୧୬ରେ ୧୫ହଜାର ଗଛ ଓ ୨୦୧୬-୧୭ରେ ୩୫୦୦ ଗଛ ଲଗାଯାଇଥିଲା। ସେଥିରୁ ୧୨୦୦ ଗଛ ହେଲିପ୍ୟାଡ ପାଇଁ ମୋଦୀଙ୍କ ଗସ୍ତ ପୂର୍ବରୁ ନଷ୍ଟ କରି ଦିଆଯାଇଥିବା ତଦନ୍ତରେ ସ୍ପଷ୍ଟ ହୋଇଛି ବୋଲି ଡିଏଫ୍‌ଓ ସମୀର ଶତପଥୀ କହିଛନ୍ତି। ଏ ନେଇ ସବିଶେଷ ରିପୋର୍ଟ ସହ ରେଳ ବିଭାଗକୁ ଚିଠି କରାଯିବ ବୋଲି କହିଛନ୍ତି। ଯେହେତୁ ରେଳ ବିଭାଗର ନିଜ ଜମିରେ ଗଛ ଥିଲା ଏଣୁ ମାମଲା ରୁଜୁ ହେବ ନାହିଁ, କିନ୍ତୁ କ୍ଷତିପୂରଣ ମଗାଯିବ ବୋଲି କହିଛନ୍ତି। କ୍ଷତିପୂରଣ ଅନୁସାରେ ରେଳବାଇକୁ ବନବିଭାଗ ପକ୍ଷରୁ ଚାରା ଯୋଗାଇ ଦିଆଯିବ ଏବଂ ସେତିକି ଗଛ ସେମାନେ ଲଗାଇବା ସହ ତାର ଯତ୍ନ ନେବେ ବୋଲି ସେ କହିଛନ୍ତି। ହେଲିପ୍ୟାଡ ପାଇଁ ଗଛ ନଷ୍ଟ ହୋଇଥିବା ସଂପର୍କରେ ସେଠାରେ ଦାୟିତ୍ୱରେ ଥିବା ୱାଚମ୍ୟାନ ପ୍ରଥମେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ରେଳ ବିଭାଗ ଅଧିକାରୀମାନେ ହେଲିପ୍ୟାଡ ପିଡବ୍ଲୁଡି ନିର୍ମାଣ କରିଛି କହିବା ସହ ପରବର୍ତ୍ତୀ ସମୟରେ ବନ ବିଭାଗକୁ ଚିଠିର ଉତ୍ତର ଦିଆଯିବ ବୋଲି କହିଛନ୍ତି। ବିଭାଗୀୟ ତଦନ୍ତ ଜାରି ରହିଥିବା ଅଧିକାରୀମାନେ କହିଛନ୍ତି। ଏହି ଘଟଣାକୁ ନେଇ ଆଗକୁ ଉଭୟ ବନ ବିଭାଗ ଓ ରେଳ ବିଭାଗ ମଧ୍ୟରେ ଚିଠି ଯୁଦ୍ଧ ଚାଲିବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର