ରେଳପଥ ପାଇଁ ବଳି ପଡ଼ୁଛି ହଜାର ହଜାର ଗଛ

ନୂଆଗାଁ : ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ ପାଇଁ ହଜାର ହଜାର ସଂଖ୍ୟାରେ ବହୁ ମୂଲ୍ୟବାନ ଗଛ ବଳି ପଡୁଥିବା ଦେଖାଯାଉଛି। ଗୋଟିଏ ପଟେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବୃକ୍ଷରୋପଣ କାର୍ଯ୍ୟକ୍ରମ କରି ଆସୁଥିଲା ବେଳେ ଆଉ ଗୋଟିଏ ପଟେ ଗଛ କଟାକୁ ନେଇ ପରିବେଶବିତ୍‌ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସୂଚନା ଥାଉକି, ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ନିର୍ମାଣ ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ସର୍ବଦା ଗୁରୁତ୍ବ ଦେଇ ଆସୁଛନ୍ତି। ଗତ ୨୦୧୮ ମସିହାରେ ନୟାଗଡ଼କୁ ରେଳ ଚଳାଚଳ କରିବା ପରେ ୨୦୧୯ ମସିହାରେ ନୂଆଗାଁ ଅତିକ୍ରମ କରି ୨୦୨୦ ମସିହାରେ ଦଶପଲ୍ଲା ଛୁଇଁବ ବୋଲି ଅନୁମାନ କରାଯାଉଛି। ଏଥିପାଇଁ ନୂଆଗାଁ ପର୍ଯ୍ୟନ୍ତ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଦଶପଲ୍ଲା ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଚାଲୁ ରହିଛି। ଏହା ଭିତରେ ନୟାଗଡ଼ଠାରୁ ନୂଆଗାଁ ପର୍ଯ୍ୟନ୍ତ ପାଖାପାଖି ଦଶ ହଜାରରୁ ଊର୍ଦ୍ଧ୍ବ ବହୁ ମୂଲ୍ୟବାନ ଗଛ କଟାଯାଉଛି।

ଗଛ କାଟିବା ପାଇଁ ଜଙ୍ଗଲ ବିଭାଗର ଅନୁମତି ମିଳିବା ପରେ ନୂଆଗାଁ ବ୍ଲକ୍‌ର ମହିପୁରଠାରୁ ସଂପଡ଼ା ପର୍ଯ୍ୟନ୍ତ ଜଙ୍ଗଲରୁ ଗଛକଟା ଆରମ୍ଭ ହୋଇଛି। ପଚାଶରୁ ଊର୍ଦ୍ଧ୍ବ ବର୍ଷ ଧରି ଜଙ୍ଗଲରେ ଥିବା ଗଛକୁ କାଟିବା ପରେ ଜଙ୍ଗଲର ପ୍ରାକୃତିକ ସୌନ୍ଦର୍ଯ୍ୟ ନଷ୍ଟ ହେବାକୁ ଯାଉଛି। ଏଥି ସହିତ ଜଙ୍ଗଲରେ ଥିବା ଜୀବଜନ୍ତୁଙ୍କ ବଂଶବୃଦ୍ଧିରେ ବାଧା ସୃଷ୍ଟି ହେବା ନିଶ୍ଚିତ ହୋଇଯାଇଛି। ଏବେ ଜଙ୍ଗଲ ମଧ୍ୟରେ ଗଛ ଚିହ୍ନଟ କରାଯାଇ କାଟିବାର ବ୍ୟବସ୍ଥା କରାଯାଉଛି। ସେହିପରି ସଂପଡ଼ାଠାରୁ ନୂଆଗାଁ ପର୍ଯ୍ୟନ୍ତ ସାଢ଼େ ତିନି ହଜାର ଗଛ କଟାଯିବ ବୋଲି ଅନୁମାନ କରାଯାଉଛି।

ବହୁ ବର୍ଷ ପୂର୍ବର ଶାଳ, ପିଆଶାଳ, ସାଗୁଆନ, ଶିଶୁ ଓ କେନ୍ଦୁ ସହ ଅନ୍ୟ ବହୁ ମୂଲ୍ୟବାନ ବୃକ୍ଷ ସଂପଦ ନଷ୍ଟ ହେଉଥିବାରୁ ପରିବେଶବିତ୍‌ମାନଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ଗଛ ଚିହ୍ନଟ କରିବା ପରେ କର୍ପୋରେସନ ବିଭାଗକୁ ଗଛ କାଟିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ବନ ବିଭାଗ କହିଛି। କିନ୍ତୁ ଏତେ ପରିମାଣର ଗଛ କାଟିବା ଯୋଗୁଁ ପରିବେଶ ଉପରେ ପ୍ରଭାବ ନିଶ୍ଚିତ ପ୍ରଭାବ ପଡ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ତେବେ ଗଛ କାଟିବା ବଦଳରେ ଯଥେଷ୍ଟ ପରିମାଣର ଗଛ ଲଗାଇବାକୁ ବନ ବିଭାଗ ଉଦ୍ୟମ କରୁ ବୋଲି ପରିବେଶବିତ୍‌ମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର