ବରକୂଳରେ ଖୋଲିଲା ଲୋକକଳା ଓ ଆଦିବାସୀ କଳା ସଂଗ୍ରହାଳୟ

ଭୁବନେଶ୍ୱର : ଓଡ଼ିଶାର କଳା, ଆଦିବାସୀ କଳା, ନୃତ୍ୟ, ସଙ୍ଗୀତର ଅପରୂପ ସମ୍ଭାର ଆଣିଛି ‘ପୂର୍ବାସା ଲୋକକଳା ଓ ଆଦିବାସୀ କଳା’ ସଂଗ୍ରହାଳୟ। ଚିଲିକା ସ୍ଥିତ ବରକୂଳ ପାନ୍ଥ ନିବାସ ନିକଟରେ ନିର୍ମିତ ଏହି ସଂଗ୍ରହାଳୟକୁ ଆଜି ସଚିବାଳୟର ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକର୍ପଣ କରିଛନ୍ତି। ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷିତ ରଖିବା ଏବଂ ଦେଶ ଓ ଦେଶ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କୁ ଏ ସମ୍ବନ୍ଧରେ ଅବଗତ କରାଇବାରେ ଏହି ସଂଗ୍ରହାଳୟ ପ୍ରମୁଖ ଭୂମିକା ନେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଚିଲିକାକୁ ବୁଲି ଆସୁଥିବା ପର୍ଯ୍ୟଟକ ୧୬ ଗ୍ୟାଲେରି ବିଶିଷ୍ଟ ଏହି ସଂଗ୍ରହାଳୟର ମଜା ନେଇପାରିବେ। ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ODIART’ କେନ୍ଦ୍ରର େଓ୍ଵବ୍‌୍‌ସାଇଟ୍‌ ମଧ୍ୟ ଲୋକାର୍ପଣ କରାଯାଇଥିଲା।

ବରକୂଳଠାରେ ୫ ଏକର ପରିମିତ ଜାଗାରେ ସଂଗ୍ରହାଳୟ ପ୍ରତିଷ୍ଠାରେ ମୁଖ୍ୟ ଭୂମିକା ନେଇଥିବା ‘ଦି ସୋସାଇଟି ଫର୍‌ ଡେଭଲପ୍‌ମେଣ୍ଟ୍‌ ଅଫ୍‌ ରୁରାଲ୍‌ ଲିଟରେଚର’କୁ କୃତଜ୍ଞତା ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ, ଆମ ହୃଦୟର ମାର୍ମିକ ସମ୍ବେଦନଶୀଳତାକୁ ପ୍ରକଟ କରିବାର ମାଧ୍ୟମ ହେଉଛି କଳା। ଆମର ସମୃଦ୍ଧ କଳା ଆମର ପରିଚୟ। ସେହିଭଳି ଆମର ଅନନ୍ୟ ହସ୍ତକଳା, ତାରକାସୀ କାରିଗରୀ, ଟେରାକୋଟା, ମାଟିକାମ, ସବାଇ ଘାସ, ବେତ କାମ, ଚାନ୍ଦୁଆ, ଶିଙ୍ଘ କାମ, ପଥର ଓ କାଠ ଖୋଦେଇ କାରିଗରୀ ଆମକୁ ବିଶ୍ୱରେ ଅନନ୍ୟ କରିଛି ବୋଲି ସେ କହିଥିଲେ।

ଏହି ସୋସାଇଟି ପ୍ରମାଣିକ ଓ ଗବେଷଣା କେନ୍ଦ୍ର ମଧ୍ୟ ସ୍ଥାପନ କରିଥିବା ବେଳେ ଲୋକକଳା କାର୍ଣ୍ଣିଭାଲ୍‌ ହେବାକୁ ଯାଉଛି। ୧୦ରୁ ୧୬ତାରିଖ ପର୍ଯ୍ୟନ୍ତ ଆଦିବାସୀମାନଙ୍କର କଳା. ଐତିହ୍ୟ, ଭାରତୀୟ ବ୍ୟଞ୍ଜନ ଏବଂ ପ୍ରତି ରାଜ୍ୟର କଳା କାରୁକାର୍ଯ୍ୟ ଓ ନୃତ୍ୟ ପରିବେଷଣ କରାଯିବ ବୋଲି ଓଡ଼ିଆର୍ଟର ମୁଖ୍ୟ ପରିଚାଳନା ଅଧିକାରୀ ମନୋଜ କୁମାର ସାହୁ କହିଛନ୍ତି।

ସଚିବାଳୟରେ ଏହି ସଂଗ୍ରହାଳୟର ଉଦ୍‌ଘାଟନ କରାଯାଇଥିବା ବେଳେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ସୋସାଇଟି ଫର୍‌ ଡେଭଲପ୍‌ମେଣ୍ଟ୍‌ ଅଫ୍‌ ରୁରାଲ୍‌ ଲିଟରେଚରର ସଭାପତି ବଂଶୀଧର ଆଚାର୍ଯ୍ୟ, ସ୍ୱଦେଶ ସୁନ୍ଦର ପଟ୍ଟନାୟକ, କେଦାର ମିଶ୍ର ଏବଂ ଅନେକ କଳା ଓ ସଂସ୍କୃତିବିତ୍‌ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର