କୋରାପୁଟ : ଏକ ଉନ୍ନତ ଧରଣର ଆଦିବାସୀ ସଂଗ୍ରହାଳୟ କୋରାପୁଟରେ ପ୍ରତିଷ୍ଠା କରାଯିବ। ଏଥିପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି। ଖୁବଶୀଘ୍ର ଏହାର କାମ ଆରମ୍ଭ ହୋଇଯିବ ବୋଲି ଜଣାପଡିଛି।

Advertisment

publive-imageକୋରାପୁଟ ସହର ଉପକଣ୍ଠ ଟ୍ୟାଲେଣ୍ଟ କଲେଜ ପାଖରେ ଏହି ସଂଗ୍ରହାଳୟ ପ୍ରତିଷ୍ଠା କରାଯିବ। ଏଥିପାଇଁ ୫ ଏକର ଜମି ଚିହ୍ନଟ ହୋଇଛି। ଏହି ଜମି ଉପରେ ସଂଗ୍ରହାଳୟ କୋଠା ନିର୍ମାଣ ଖୁବଶୀଘ୍ର ଆରମ୍ଭ ହେବ। ପୂର୍ତ୍ତ ବିଭାଗ ପକ୍ଷରୁ ଏହି ନିର୍ମାଣ କାମ ଶେଷ ହେବା ପରେ ବିଭିନ୍ନ ସାମଗ୍ରୀ ରଖାଯିବ। ଏଥିପାଇଁ ୫କୋଟି ଟଙ୍କାର ବଜେଟ ରଖାଯାଇଛି। କୋରାପୁଟ ସ୍ବତନ୍ତ୍ର ବିକାଶ ପରିଷଦ ପକ୍ଷରୁ ଏହି ସଂଗ୍ରହାଳୟ କରାଯାଉଥିଲା ବେଳେ ଏଥିରେ ଆଦିବାସୀଙ୍କ ବିଭିନ୍ନ ସାମଗ୍ରୀ ରହିବ। ଆଦିବାସୀମାନେ ବ୍ୟବହାର କରୁଥିବା ହାତ ହତିଆର, କୃଷି ଉପକରଣ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ଆସବାବପତ୍ର ଆଦିକୁ ଏଥିରେ ସ୍ଥାନିତ କରାଯିବ। ସେହିପରି ସେମାନଙ୍କ ପୋଷାକ, ଅଳଙ୍କାରକୁ ମଧ୍ୟ ସଂଗ୍ରହ କରି ରଖାଯିବ। ଜିଲ୍ଲାରେ ରହୁଥିବା ବିଭିନ୍ନ ଆଦିବାସୀଙ୍କ ସାମଗ୍ରୀ ଯେମିତି ଏଠାରେ ରହି ପାରିବ ତାହା ଉପରେ ଗୁରୁତ୍ବ ଦିଆଯାଉଛି। ଆଦିବାସୀ ସଂସ୍କୃତି ଓ ପରମ୍ପରାର ସଂରକ୍ଷଣ ଦିଗରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ।

publive-image

ଆଦିବାସୀଙ୍କ ଜଡିତ ବିଭିନ୍ନ ପୁସ୍ତକ ଓ ଫଟୋଚିତ୍ରକୁ ମଧ୍ୟ ସଂଗ୍ରହାଳୟରେ ରଖିବାର ବ୍ୟବସ୍ଥା ହୋଇଛି। ଫଳରେ ଆଦିବାସୀଙ୍କ ଉପରେ ଗବେଷଣା ଅଧିକ ସହଜ ହୋଇପାରିବ। କୋରାପୁଟ ଜିଲ୍ଲାରେ ୫୦ରୁ ଅଧିକ ପ୍ରକାର ଆଦିବାସୀ ଲୋକ ରହୁଥିଲା ବେଳେ ସେମାନଙ୍କ ସଂପର୍କରେ ସବିଶେଷ ତଥ୍ୟ ଏହି ସଂଗ୍ରହାଳୟରୁ ଯେମିତି ମିଳିପାରିବ, ତାହାର ବ୍ୟବସ୍ଥା କରାଯାଉଛି। ଏଥିନେଇ କୋରାପୁଟ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ମନୋରଂଜନ ନାୟକ କହିଛନ୍ତି ଯେ, ଆଦିବାସୀଙ୍କ ଜୀବନ ଓ ସଂସ୍କୃତି ନେଇ ସାଧାରଣ ଲୋକଙ୍କୁ ଧାରଣା ଦେବା ପାଇଁ ଏଇ ଆଦିବାସୀ ସଂଗ୍ରହାଳୟ ପ୍ରତିଷ୍ଠା କରାଯାଉଛି। ଏଥିପାଇଁ ୫କୋଟି ଟଙ୍କାର ବଜେଟ କରାଯାଇଥିଲା ବେଳେ ଟ୍ୟାଲେଣ୍ଟ କଲେଜ ପାଖରେ ୫ ଏକର ଜମି ଚିହ୍ନଟ ହୋଇଛି। ଖୁବଶୀଘ୍ର କାମ ଆରମ୍ଭ ହୋଇଯିବ ବୋଲି ସେ ସୂଚନା ଦେଇଛନ୍ତି।