ଗ୍ୟାସ୍‌ ଟାଙ୍କି ବିସ୍ଫୋରଣରୁ ଜଳିଗଲା ଆଦିବାସୀ ବସ୍ତି

୯ଟି ପରିବାରର ୨୦ ବଖରା ଘର ପାଉଁଶ

ହାଟଡିହି : କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ କଳିଗାଁ ପଞ୍ଚାୟତର ତାଳା ଗାଁରେ ଗ୍ୟାସ୍‌ ଟାଙ୍କି ଫାଟି ଗୋଟିଏ ଆଦିବାସୀ ବସ୍ତି ପୋଡ଼ି ପାଉଁଶ ହୋଇଯାଇଛି। ଶନିବାର ଦିନ ସାଢ଼େ ଗୋଟାଏ ବେଳେ ସାହିର ଅକ୍ଷୟ ରାଉଳଙ୍କ ଘରେ ରୋଷେଇ ଚାଲିଥିବା ବେଳେ ଟାଙ୍କିରୁ ହଠାତ୍‌ ଗ୍ୟାସ୍‌ ଲିକ୍‌ ହୋଇଥିଲା। ଅଘଟଣ ଆଶଙ୍କାରେ ପରିବାର ଲୋକେ ଘର ବାହାରକୁ ପଳାଇ ଆସିବା ପରେ ଅକ୍ଷୟଙ୍କ ଘର ହୁହୁ ହୋଇ ଜଳିବାକୁ ଆରମ୍ଭ କରିଥିଲା। ଘର ପାଖରେ ଥିବା ନଳକୂପରୁ ପାଣି ଆଣି ନିଆଁ ଲିଭାଇବାକୁ ଚେଷ୍ଟା କରାଯିବା ସମୟରେ ଗ୍ୟାସ୍‌ ଟାଙ୍କି ଫାଟି ଚତୁର୍ଦ୍ଦିଗକୁ ନିଆଁ ବ୍ୟାପୀ ଯାଇଥିଲା। ଚାହୁଁ ଚାହୁଁ ଦୁର୍ଗା ସୋରେନ୍‌, ଯଦୁମଣି ବେଶ୍ରା, ରାମ ପିଙ୍ଗୁଆ, ମଥୁରା ମାରାଣ୍ଡି, ମାନସିଂ ସୋରେନ୍‌, ଦୋଳ ଗୋବିନ୍ଦ ରାଉଳ, ଜଗନ ରାଉଳ, ପାନ ସୋରେନଙ୍କ ଘର ଜଳି ଉଠିଥିଲା।

ଗ୍ୟାସ୍‌ ଟାଙ୍କି ବିସ୍ଫୋରଣ ଯୋଗୁ ଭୟରେ କେହି ପାଖକୁ ପଶିନଥିଲେ। ଖବର ପାଇ ହାଟଡିହିରୁ ଦୁଇଟି ଦମକଳ ଗାଡି ପହଞ୍ଚି ପାଖପାଖି ଦୁଇ ଘଣ୍ଟା ଧରି ପାଣି ପକାଇବା ପରେ ନିଆଁ ଆୟତ୍ତ ହୋଇଥିଲା। ଏହି ଅଗ୍ନିକାଣ୍ଡରେ ୯ଟି ପରିବାରର ୨୦ ବଖରା ଘର ପାଉଁଶ ହୋଇଯିବା ସହିତ ଧାନଚାଉଳ, ଲୁଗାପଟା, ଗୃହୋପକରଣ ସାମଗ୍ରୀ ଜଳିପୋଡି ନଷ୍ଟ ହୋଇଯାଇଛି। କଳିଗାଁ ପଞ୍ଚାୟତ ସରପଞ୍ଚ ଅମରେନ୍ଦ୍ର ଧଳ ଘଟଣାସ୍ଥଳରେ ପହଞ୍ଚି ବିପନ୍ନ ପରିବାରଗୁଡିକୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବା ସହ ଅସ୍ଥାୟୀ ଭାବେ ଥଇଥାନ କରିଛନ୍ତି। ଡଅଁର ରାଜସ୍ୱ ନିରୀକ୍ଷକ ଗାଁରେ ପହଞ୍ଚି କ୍ଷୟକ୍ଷତି ଆକଳନ କରିଛନ୍ତି। ବିପନ୍ନମାନଙ୍କୁ ତୁରନ୍ତ ସରକାରୀ ସହାୟତା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର