ଅବହେଳିତ ଅବସ୍ଥାରେ  ଆଦିବାସୀ ଅଧ୍ୟୁଷିତ ସତ୍ୟ ଗାଁ’ : ୧୦୦ ବର୍ଷ ପରେ ବି ବଦଳୁନି ଗାଁ’ର ଚିତ୍ର

ଖମାର : ସମଗ୍ର ରାଜ୍ୟରେ ପୁରପଲ୍ଲୀଠାରୁ ସହର ଯାଏଁ ବିକାଶ ଘଟୁଥିବା ନେଇ ସରକାର ଡିଣ୍ତିମ ପିଟୁଥିବା ବେଳେ ପାଳଲହଡ଼ା ଉପଖଣ୍ତର ଖମାରଠାରୁ  ୬ କିଲୋମିଟର ଦୂରରେ ଥିବା ଆଦିବାସୀ ଅଧ୍ୟୁଷିତ ସତ୍ୟ ଗାଁ’ ତଥାପି ଅବହେଳିତ ହୋଇରହିଛି। ୧୦୦ ବର୍ଷ ପୂର୍ବରୁ ଗାଁ ଯେପରି ଥିଲା, ଏବେ ବି ସେଭଳି ରହିଛି। ଗାଁ’କୁ ସବୁଦିନିଆ ରାସ୍ତା ନଥିବା ବେଳେ ପାନୀୟ ଜଳ ନିମନ୍ତେ ଆବଶ୍ୟକ ନଳକୂପ ନାହିଁ। ଗାଁ’ର ୫୦ରୁ ଅଧିକ ଶିଶୁଙ୍କ ପାଇଁ ଶିକ୍ଷା ଓ ପୁଷ୍ଟିସାର ଖାଦ୍ୟ ସାତସପନ ହୋଇରହିଛି।  ଗ୍ରାମରେ ମୁଣ୍ତ ଗୁଞ୍ଜିବା ପାଇଁ ଆବଶ୍ୟକ ଘର ନାହିଁ କି ସ୍ବଚ୍ଛ ଭାରତ ଅଭିଯାନରେ ପାଇଖାନା ନାହିଁ।  କାମ ମିଳୁନଥିବାରୁ ଗ୍ରାମର ଯୁବକଙ୍କୁ  କାମ ସନ୍ଧାନରେ ବାହାରକୁ ଯିବାକୁ ପଡୁଛି।

ଭଦ୍ରମୁଣ୍ତା-ରଞ୍ଜା ଗାଁ’ର ମୁଖ୍ୟ ରାସ୍ତାଠାରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ସତ୍ୟ ଗାଁ ଅବସ୍ଥିତ। ଏହି  ଗାଁ’କୁ ଯିବା ପାଇଁ  ଖଣ୍ଡିଏ ଭଲ ରାସ୍ତା ନାହିଁ। ସାମାନ୍ୟ ବର୍ଷା ହେଲେ  କାଦୁଅ, ଜମି ହୁଡ଼ା ଜଙ୍ଗଲ ରାସ୍ତାରେ ଯିବା ସମ୍ଭବ ହୁଏ ନାହିଁ। ଏପରିକି ଗୁରୁତର ରୋଗୀକୁ ଆଣିବା ପାଇଁ ଗ୍ରାମକୁ ଆମ୍ବୁଲାନ୍ସ ଯାଇପାରେ ନାହିଁ।  ରୋଗୀକୁ ଖଟରେ ବୁହା ହୋଇ ମୁଖ୍ୟ ରାସ୍ତାକୁ ଅଣାଯାଏ। ଗାଁ’ରେ ଦୁଇଟି ନଳକୂପ ଥିବା ବେଳେ ସେଥିରୁ ଗୋଟିଏ ଅଚଳ ହୋଇପଡ଼ିଛି। ଗାଁ’ରେ ଏକ ପୋଖରୀ ଥିଲେ ମଧ୍ୟ ଫେବ୍ରୁଆରି ମାର୍ଚ୍ଚ ମାସ ବେଳକୁ ଏହା ଶୁଖିଯାଏ। ଫଳରେ  ଗାଁରେ  ବାସ କରୁଥିବା ଦୁଇ ଶହରୁ ଅଧିକ ଲୋକଙ୍କ ପାଇଁ ଜଳ ସମସ୍ୟା ସର୍ବଦା ଲାଗି ରହିଥାଏ।  ସରକାର ଶିକ୍ଷା ଓ ପୁଷ୍ଟିକର ଖାଦ୍ୟରୁ କାହାରିକୁ ବଞ୍ଚିତ ନ କରିବା ପାଇଁ ଯୋଜନା ପରେ ଯୋଜନା କରି ଚାଲିଥିବା ବେଳେ ସତ୍ୟ ଗାଁ’ର ୪୦ରୁ ଅଧିକ କୋମଳମତି ଶିଶୁ  ପାଇଁ ଏହା ସାତସପନ ହୋଇଛି। ସତ୍ୟ ଗାଁଠାରୁ ର˚ଜା ଗାଁ ଅଙ୍ଗନବାଡ଼ି କେନ୍ଦ୍ରର ଦୂରତା ଏକ କିଲୋମିଟରରୁ ଅଧିକ। ତେବେ ସତ୍ୟ ଗାଁଠାରୁ ମୁଖ୍ୟ ରାସ୍ତା ଯାଏଁ ଭଲ ରାସ୍ତା ନଥିବାରୁ  ଜଙ୍ଗଲ ଓ ଜମିହୁଡ଼ା ଦେଇ ଶିଶୁମାନେ  ଉକ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ଯିବା ସମ୍ଭବ ହୁଏ ନାହିଁ। ଗ୍ରାମବାସୀ  ଜଙ୍ଗଲରୁ ବାଉଁଶ ଆଣି ଡଲା, କୁଲା  ଆଦି ନିର୍ମାଣ କରି ବଜାରରେ ବିକି ପରିବାର ପ୍ରତିପୋଷଣ କରନ୍ତି।  ହେଲେ ବାଉଁଶ ସବୁ ବେଳେ ମିଳେ ନାହିଁ।  ଫଳରେ ଅଧିକାଂଶ ସମୟରେ ସେମାନଙ୍କୁ ଓଳିଏ ଖାଇଲେ ଓଳିଏ ଉପାସରେ  ରହିବାକୁ ପଡ଼େ।

ଗାଁ’ରେ ବାସ କରୁଥିବା‌ ଅନେକ  ଲୋକ ଭଙ୍ଗା ଘରେ ରହୁଛନ୍ତି। ଏମାନଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ। ଘର ଖଣ୍ତେ ନିର୍ମାଣ ପାଇଁ ସାମର୍ଥ୍ୟ ନଥିବା ବେଳେ ଏମାନେ ଇନ୍ଦିରା ଆବାସରୁ ବଞ୍ଚିତ ହୋଇଛନ୍ତି।  ଗାଁରେ ଥିବା ୪୮ ପରିବାରରୁ ମାତ୍ର ୩ ଜଣଙ୍କୁ ଇନ୍ଦିରା ଆବାସ ମିଳିଛି। ଇନ୍ଦିରା ଆବାସ ପାଇଁ ସେମାନେ ପଞ୍ଚାୟତ ମହକୁମାଠାରୁ  ବ୍ଲକ୍‌ ପର୍ଯ୍ୟନ୍ତ ଦୌଡ଼ି  ନୟାନ୍ତ ହୋଇଥିଲେ ମଧ୍ୟ ଘର ଖଣ୍ତେ ମିଳୁ ନଥିବାରୁ ଗ୍ରାମବାସୀ କ୍ଷୋଭ  ପ୍ରକାଶ କରିଛନ୍ତି।  ସ୍ବାଧୀନତାର ୭୦ ବର୍ଷ ମଧ୍ୟରେ ମାତ୍ର ତିନିଜଣଙ୍କୁ ଘର ମିଳିଥିବା ବେଳେ  ଅବଶିଷ୍ଟ ଲୋକଙ୍କୁ ଆଉ କେତେ ବର୍ଷ ପରେ ଘର ପାଇବେ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର