ଆଦିବାସୀ ମହିଳାଙ୍କୁ ଠକିଦେଲା ଆମ୍ବୁଲାନ୍ସ ଡ୍ରାଇଭର୍‌, ନର୍ସିଂହୋମ୍‌ରେ ସ୍ୱାମୀ ବନ୍ଧକ : ପ୍ରଶାସନର ଦ୍ୱାରସ୍ଥ ହେଲେ ମହିଳା

କେନ୍ଦୁଝର : କଟକ ବଡ଼ ଡାକ୍ତରଖାନାରେ ଛାଡ଼ିଦେବ କହି ଜଣେ ଗରିବ ଅଶିକ୍ଷିତ ରୋଗୀଙ୍କୁ ଆମ୍ବୁଲାନ୍ସ ଡ୍ରାଇଭର୍‌ ଛାଡ଼ିଦେଲା ଏକ ଘରୋଇ ନର୍ସିଂହୋମ୍‌ରେ। ଚିକିତ୍ସା ଖର୍ଚ୍ଚ ବାବଦକୁ ୭୦ ହଜାର ଟଙ୍କା ଦେଇ ପାରୁନଥିବାରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଛାଡ଼ୁ ନାହାନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ। ଏମିତିକି ତାଙ୍କ ସହିତ ପରିବାର ଲୋକଙ୍କୁ ଦେଖା କରାଇ ଦିଆଯାଉନି। ସ୍ୱାମୀଙ୍କୁ ମୁକୁଳାଇବା ପାଇଁ ଜଣେ ଆଦିବାସୀ ମହିଳା ଏବେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି।

ଗତ ୧୭ ତାରିଖ ରାତିରେ କେନ୍ଦୁଝର ସଦର ବ୍ଲକ ଶଙ୍କିରି ପଞ୍ଚାୟତ ଶଙ୍କିରି ଗ୍ରାମର ଶୁକଲାଲ ମୁଣ୍ଡା, ସ୍ତ୍ରୀ ତୁଳସୀ ଓ ଝିଅ ଶକୁନ୍ତଳା ଶୋଇଥିଲେ। ଏକ ବିଷାକ୍ତ ସାପ ଶୁକଲାଲ୍‌ ଓ ଶକୁନ୍ତଳାଙ୍କୁ କାମୁଡ଼ି ଦେଇଥିଲା। ଉଭୟଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଶୁକଲାଲ୍‌ଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ନେଇଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଅଶିକ୍ଷିତ ତୁଳସୀ କେମିତି କଟକ ଯିବେ? କ’ଣ କରିବେ ତାଙ୍କ ମୁଣ୍ଡକୁ କିଛି ବୁଦ୍ଧି ଜୁଟିଲାନି। ଅସହାୟ ଅବସ୍ଥାରେ ଡାକ୍ତରଖାନା ବାରଣ୍ଡାରେ ବସିଥିଲେ ତୁଳସୀ। ଏହି ସମୟରେ ଜଣେ ଦଲାଲ ହାବୁଡ଼ରେ ପଡ଼ିଯାଇଥିଲେ ସେ। ୪ ହଜାର ଟଙ୍କା ଖର୍ଚ୍ଚ କଲେ ଘରୋଇ ଆମ୍ବୁଲାନ୍ସ ତାଙ୍କ ସ୍ୱାମୀଙ୍କୁ ନେଇ କଟକ ବଡ଼ ଡାକ୍ତରଖାନାରେ ପହଞ୍ଚାଇଦେବ ବୋଲି ଦଲାଲ ଜଣକ କହିଥିଲେ। ତୁଳସୀ ଧାର ଉଧାର କରି ୪ ହଜାର ଟଙ୍କା ଆମ୍ବୁଲାନ୍ସକୁ ଦେଇ କଟକ ଯାଇଥିଲେ। ହେଲେ ସଂପୃକ୍ତ ଆମ୍ବୁଲାନ୍ସ ଡ୍ରାଇଭର୍‌ ତାଙ୍କୁ କଟକ ବଡ଼ ଡାକ୍ତରଖାନା ନେବା ପରିବର୍ତ୍ତେ ଲିଙ୍କ ରୋଡ୍‌ରେ ଥିବା ଏକ ଘରୋଇ ହସ୍ପିଟାଲରେ ଛାଡ଼ି ଦେଇଥିଲେ ବୋଲି ତୁଳସୀ କହିଛନ୍ତି।

ସେଠାରେ ଚିକିତ୍ସିତ ହେବା ମଧ୍ୟରେ ତୁଲସୀ ବିଭିନ୍ନ ସୂତ୍ରରୁ ୪୫ ହଜାର ଟଙ୍କା ଆଣି ହସ୍ପିଟାଲରେ ଦେଇଥିଲେ। ଏହାପରେ ବି କର୍ତ୍ତୃପକ୍ଷ ଆଉ ୭୦ ହଜାର ଟଙ୍କା ଦାବି କରୁଛନ୍ତି। ତୁଳସୀ ଏତେ ଟଙ୍କା କେଉଁଠୁ ଆଣିବେ ତାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି। ଟଙ୍କା ପଇଠ କରିପାରୁନଥିବାରୁ ତୁଳସୀ କିମ୍ବା ସଂପର୍କୀୟଙ୍କୁ ଶୁକଲାଲ୍‌ଙ୍କ ସହିତ ଦେଖା କରାଇ ଦିଆଯାଉ ନାହିଁ। ସବୁଆଡ଼ୁ ନିରାଶ ହେବା ପରେ ତୁଳସୀ ଆଜି ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇ ସ୍ୱାମୀଙ୍କୁ ମୁକୁଳାଇବାକୁ ନିବେଦନ କରିଛନ୍ତି। ଅତିରିକ୍ତ ଜିଲ୍ଲାପାଳ ଡ. ଭକ୍ତ ଚରଣ ପ୍ରଧାନ ଅଭିଯୋଗ ଶୁଣିବା ପରେ ଘଟଣାର ତଦନ୍ତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଆଜି ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ଆସନ୍ତାକାଲି ତାଙ୍କ ସହିତ ଆଲୋଚନା କରି ଶୁକଲାଲ୍‌ଙ୍କୁ ଡାକ୍ତରଖାନାରୁ ମୁକୁଳାଇବାର ବ୍ୟବସ୍ଥା କରିବେ ବୋଲି ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରଧାନ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର