ମାଥିଲି/ମାଲକାନଗିରି: ମାଲକାନଗିରିରେ ଜଟିଳ ହେଉଛି ମାଓ ସମସ୍ୟା। ରବିବାର ରାତିରେ ବଣ୍ଡାଘାଟିରେ ଏକ ଠିକା କ୍ୟାମ୍ପରେ ଲଙ୍କାକାଣ୍ଡ ଘଟାଇ ରାସ୍ତାରେ କାମରେ ନିୟୋଜିତ ୮ଟି ଗାଡ଼ି ଜାଳି ଦେଇଥିବା ବେଳେ ଗତକାଲି ରାତିରେ ମାଥିଲି ବ୍ଲକରେ ଜଣେ ଆଦିବାସୀ ଯୁବକଙ୍କୁ ପୁଲିସ ଇନଫର୍ମର ଦର୍ଶାଇ ହତ୍ୟା କରିଛନ୍ତି। ମାଥିଲି ବ୍ଲକ ମହୁପଦର ପଞ୍ଚାୟତ ଅନ୍ତର୍ଗତ ଜନ୍ଧ୍ରାଗୁଡା ଗ୍ରାମର ଦୋରା କବାସୀଙ୍କ ସାନ ପୁଅ ମୁୟା କବାସୀ(୨୮)ଙ୍କୁ ନକ୍ସଲ ହତ୍ୟା କରିବା ପରେ ଗୋଲିଆଗୁଡା ନିକଟସ୍ଥ ମୁଖ୍ୟ ରାସ୍ତାରେ ଶବ ଫିଙ୍ଗି ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଘଟଣାରୁ ପ୍ରକାଶ ଯେ ଜନ୍ଧ୍ରାଗୁଡ଼ା ଗ୍ରାମର ମୁୟା କବାସୀ ୨ ବର୍ଷ ହେଲା ପତ୍ନୀ ସହ ମାଲକାନଗିରି ଚାଲିଯାଇ ସେଠାରେ କୁଲି ବୃତ୍ତି କରି ଚଳୁଥିଲେ। ଗତ ଶୁକ୍ରବାର ଦିନ ଟେମୃପାଲୀରେ ସଂକ୍ରାନ୍ତି ଉତ୍ସବରେ ଦେଶିଆ ନାଟକ ଦେଖିବାକୁ ମୁୟା ସେଠାକୁ ଆସିଥିଲେ। ଏ ସଂପର୍କରେ ମାଓବାଦୀ ସୂଚନା ପାଇ ନାଟକ ଦେଖୁଥିବା ମୁୟାକୁ ଅପହରଣ କରି ନେଇ ଯାଇଥିଲେ। ପୁଲିସକୁ ଗୁପ୍ତ ସୂଚନା ଦେଉଥିବା ଅଭିଯୋଗ କରି ନିସ୍ତୁକ ମାଡ଼ ମାରି ୨ ଦିନ କାଳ ବନ୍ଦୀ କରି ରଖିଥିଲେ। ମାଓବାଦୀ ତାଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ଗୋଲିଆଗୁଡ଼ା ରାସ୍ତାରେ ଫୋପାଡି ଦେଇ ଚାଲି ଯାଇଥିଲେ। ନକ୍ସଲ ସେହି ସ୍ଥାନ ଛାଡ଼ିବା ପୂର୍ବରୁ ହିନ୍ଦୀ ଏବଂ ଓଡ଼ିଆ ଭାଷାରେ ଲେଖାଥିବା ପୋଷ୍ଟର ଛାଡ଼ିଛନ୍ତି। ଏହି ପୋଷ୍ଟରରେ ଉଲ୍ଲେଖ କରାଯାଇଛି ଯେ ମୁୟା ଗତ ୨୦୧୫ ମସିହାରୁ ପୁଲିସର ସୂଚନାଦାତା ଭାବେ କାମ କରିଆସୁଥିଲା। ବାରମ୍ବାର ତାଗିଦ୍ କରାଯିବା ପରେ ମଧ୍ୟ ସେ ପୁଲିସକୁ ସହାୟତା କରିବା ବନ୍ଦ କରି ନଥିଲା। ତେଣୁ ତାକୁ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦିଆଯାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ଗତ ୧୫ ତାରିଖ ଦିନ ବିଏସ୍ଏଫ ଏବଂ ପୁଲିସର ମିଳିତ ଅପରେସନ୍ରେ ବିଚ୍ଛିନ୍ନାଞ୍ଚଳରେ ଜଣେ ନକ୍ସଲର ମୃତ୍ୟୁ ଘଟିଥିଲା। ଏହାପରେ ନକ୍ସଲ ଅଧିକ ହିଂସ୍ର ହୋଇଛନ୍ତି। ପ୍ରତିଦିନ କିଛି ନା କିଛି ଅଘଟଣ ଘଟାଇବାରେ ଲାଗିଛନ୍ତି। ଗତକାଲି ରାତିରେ ବଣ୍ଡାଘାଟିରେ ୮ଟି ଗାଡିକୁ ନିଆଁ ଲଗାଇ ନକ୍ସଲ ପୋଡି ଦେଇଥିବା ବେଳେ ଆଜି ଜଣକୁ ହତ୍ୟା କରିବା ପରେ ଜିଲ୍ଲାରେ ଏବେ କୋକୁଆ ଭୟ ସୃଷ୍ଟି ହୋଇଛି।