ପ୍ରସନ୍ନ, ମନୋଜଙ୍କୁ ସଲାମ

ଜନ୍ମମାଟି ସ୍ତବ୍‌ଧ, କାନ୍ଦୁଛି ପରିବାର, ସାରା ରାଜ୍ୟରେ ଶୋକର ଛାୟା

ନିଆଳି/ଜଗତ୍‌ସିଂହପୁରଟାଉନ୍‌/ଗା‌େରାଇ : ଜମ୍ମୁ-କଶ୍ମୀର ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ୪୪ ଜଣ ସିଆର୍‌ପିଏଫ୍‌ ଯବାନଙ୍କ ମଧ୍ୟରେ ରହିଛନ୍ତି ୨ ଓଡ଼ିଆ ପୁଅ। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ପାରିଶିଖର ଗ୍ରାମର ପ୍ରସନ୍ନକୁମାର ସାହୁ (୪୬)। ଅନ୍ୟଜଣେ ହେଲେ କଟକ ଜିଲ୍ଲା ନିଆଳି ଥାନା ରତନପୁର ଗ୍ରାମର ମନୋଜ ବେହେରା (୩୩)। ଦୁଇ ସହିଦଙ୍କୁ ଆଜି ସେମାନଙ୍କ ଜନ୍ମମାଟି ଝୁରୁଛି। ପରିବାର ଲୋକଙ୍କ ବୁକୁଫଟା କ୍ରନ୍ଦନରେ ଦୁଃଖରେ ଝାଉଁଳି ପଡ଼ିଛି ଗାଁର ନିରବ ପରିବେଶ। ଦେଶ ପାଇଁ ପ୍ରାଣବଳୀ ଦେଇଥିବାରୁ ଗ୍ରାମବାସୀଙ୍କ ଛାତି କୁଣ୍ଢେମୋଟ ହୋଇଯାଉଛି ସିନା ସେମାନଙ୍କ ଆଖି କୋଣରେ ଲୁହ ଅଟକି ରହିନି।

ଗତକାଲି ଆତ୍ମଘାତୀ ଆକ୍ରମଣର କେଇଘଣ୍ଟା ଭିତରେ ପ୍ରସନ୍ନଙ୍କ ମୃତ୍ୟୁକଥା ଜଣାପଡ଼ିଥିଲା। ପ୍ରସନ୍ନଙ୍କ ବାପା କାଶୀନାଥ ସାହୁ ଏବଂ ମା’ ଲଳିତା ଦେବୀ ଦୁଇଜଣ ଯାକ ଆରପାରିରେ। ସ୍ତ୍ରୀ ମୀନାଲତା ସାହୁ(୪୧) ଗୃହିଣୀ। ୧୮ ବର୍ଷର ଝିଅ ରୁନି କାକଟପୁର ମଙ୍ଗଳା ମହାବିଦ୍ୟାଳୟ ଯୁକ୍ତ ତିନି ଦ୍ବିତୀୟ ବର୍ଷ ବାଣିଜ୍ୟ ଛାତ୍ରୀ। ପୁଅ ଜଗନ ସାହୁ(୧୬) ନିମାପଡ଼ା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ ପ୍ରଥମ ବର୍ଷ ଛାତ୍ର। ପ୍ରସନ୍ନ ହେଉଛନ୍ତି ଘରର ସାନ ପୁଅ। ବଡ଼ ଭାଇ ଗାଣ୍ତୁଆ ସାହୁ, ମଝିଆଁ ଭାଇ ବିପିନ ସାହୁ ଗାଁରେ ଚାଷ ବାସ କରି ଚଳନ୍ତି। ଦୁଇ ଭଉଣୀ ପ୍ରାପ୍ତି ଓ ଶାନ୍ତି ବିବାହ କରି ସାରିଛନ୍ତି। କଲେଜରେ ପାଠ ପଡ଼ିବା ସମୟରେ ହିଁ ୧୯୯୫ ମସିହାରେ ସେ ସିଆର୍‌ପିଏଫ୍‌ରେ ଯୋଗ ଦେଇଥିଲେ। ପ୍ରଥମେ ସେ ଭୁବନେଶ୍ବରରେ ଥିବା ସିଆର୍‌ପିଏଫ୍ ୟୁନିଟରେ କାମ କରିଥିଲେ। ୧୯୯୯ ମସିହାରେ ରାମ ମନ୍ଦିର–ବାବ୍ରି ମସଜିଦ ବିବାଦ ସମୟରେ ସେ ଅଯୋଧ୍ୟାରେ ନିୟୋଜିତ ଥିଲେ। ସେହି ସମୟରେ କେବଳ ପରିବାର ଲୋକ ତାଙ୍କ ପାଖରେ ରିହଥିଲେ।

କିନ୍ତୁ ତା’ ପରଠାରୁ ସବୁ ସମୟରେ ପରିବାର ଠାରୁ ଦୂରେଇ ରହି ସେ ଦେଶ ପାଇଁ କାର୍ଯ୍ୟ କରି ଆସିଛନ୍ତି। ଗତ ନଭେମ୍ବର ମାସରେ ସେ ଗାଁକୁ ଆସିଥିଲେ। ଗାଁ ମନ୍ଦିରରେ ପୂଜା ସହ ପୁଅର ଷୋହଳ ପୂଜା କରାଇ ପୁଣି ଫେରି ଯାଇଥିଲେ। ଆଜି ପ୍ରସନ୍ନ ଯେ ସହିଦ ହୋଇ ଆରପାରିରେ ଏ କଥାକୁ ସହଜରେ ବିଶ୍ବାସ କରି ପାରୁନାହାନ୍ତି ଗ୍ରାମବାସୀ। ପରିବାର ସଦସ୍ୟଙ୍କ ସମେତ ପୂରା ଅଞ୍ଚଳବାସୀ ସ୍ତବ୍‌ଧ।

ସେହିପରି ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ବାପା ଓ ପତ୍ନୀଙ୍କ ସହ କଥା ହୋଇଥିଲେ ଅନ୍ୟତମ ସହିଦ ମନୋଜ ବେହେରା। ମାତ୍ର ୬ ଦିନ ପୂର୍ବରୁ ଗାଁରୁ କର୍ମକ୍ଷେତ୍ରକୁ ଫେରି ଥିବା ମନୋଜଙ୍କ ମୃତ୍ୟୁ ଖବର ସ୍ତବ୍ଧ କରି ଦେଇଛି ପରିବାର ଲୋକଙ୍କୁ। ନିଆଳି ଅଞ୍ଚଳବାସୀଙ୍କୁ। ରତନପୁର ପଂଚାୟତ ଗଜାବର ଗ୍ରାମର ଜିତେନ୍ଦ୍ର ବେହେରା ଓ ସାବିତ୍ରୀ ବେହେରାଙ୍କ ଏକମାତ୍ର ପୁତ୍ର ମନୋଜ ୨୦୦୬ ମସିହାରେ ସିଆର୍‌ପିଏଫରେ ଯୋଗ ଦେଇଥିଲେ। ୨୦୧୭, ଜାନୁଆରି ମାସରେ ଇଲି ଲତାଙ୍କୁ ବିବାହ କରିଥିଲେ। ଝିଅର ପ୍ରଥମ ଜନ୍ମଦିନ ପାଳନ ପାଇଁ ଗତ ଡିସେମ୍ବର ୨୪ତାରିଖରେ ମନୋଜ ଗାଁକୁ ଆସିଥିଲେ। ଦେଢ ମାସ ଗାଁରେ ରହିବାପରେ ଗତ ୬ ତାରିଖରେ କାର୍ଯ୍ୟକ୍ଷେତ୍ରକୁ ‌ ଫେରିଥିଲେ। ଗତକାଲି ରାତି ୨ଟା ୩୦ରେ ଜୟପୁରରେ ରହୁଥିବା ତାଙ୍କ ଭିଣୋଇ ଦେବାଶିଷ୍ ବେହେରାଙ୍କ ପାଖକୁ ତାଙ୍କ ମୃତ୍ୟୁ ଖବର ପହଞ୍ଚି ଥିଲା। ଖବର ପ୍ରଚାରିତ ହେବାପରେ ଆଜି ସକାଳୁ ମନୋଜଙ୍କ ବାସଭବନରେ ଲୋକଙ୍କ ଭିଡ ଜମିଥିଲା। ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଏସ୍‌ପି ରାଧା ବିନୋଦ ପାଣିଗ୍ରାହୀ, ବିଡ଼ିଓ ସୟେଦ୍ ଆରଫ୍ ହୋସେନ୍, ସରପଞ୍ଚ ଅଭିମନ୍ୟୁ ସାହୁ ପ୍ରମୁଖ ବାସଭବନରେ ପହଞ୍ଚି ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ପୁଅର ସହିଦ ହେବା ଖବର ଜାଣିବା ପରେ ବାପା-ମା’ ପୁରା ପରିବାର ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। କିନ୍ତୁ ତାଙ୍କ ପୁଅ ଦେଶପାଇଁ ସହିଦ ହେବା ଘଟଣାକୁ ନେଇ ସେ ଗର୍ବତ ବୋଲି ବାପା କହିଛନ୍ତି।

କେବଳ ନିଜ ଜନ୍ମମାଟି କାହିଁକି, ଓଡ଼ିଆ ମାଟିର ଏହି ଦୁଇ ସହିଦଙ୍କ ପାଇଁ ସାରା ରାଜ୍ୟରେ ଆଜି ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଦୁଇ ଯବାନଙ୍କ ମରଶରୀର ଆସନ୍ତାକାଲି ଜନ୍ମମାଟିରେ ପହଞ୍ଚିଲା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ହେବ। ଏହାକୁ ଅପେକ୍ଷାରେ ରହିଛନ୍ତି ଗାଁ ଲୋକ ଓ ପରିବାର।

ସମ୍ବନ୍ଧିତ ଖବର