ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି, ମୃତ୍ୟୁ ତାରିଖ ନେଇ ନୂଆ ବିତର୍କର ସୂତ୍ରପାତ

ଭୁବନେଶ୍ବର/କଟକ : ଅଗଷ୍ଟ ୧୮କୁ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ପୁଣ୍ୟତିଥି ବୋଲି ଦର୍ଶାଇ ଆଜି ଅନେକ ବିଜେପି ନେତା ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ତେବେ ଏହାକୁ ନେଇ ବିବାଦ ଦେଖା ଦେଇଛି। କିଛି ନେତା ଓ ବ୍ୟକ୍ତିବିଶେଷ ଏହାକୁ ବିରୋଧ କରୁଛନ୍ତି। ସେମାନେ ଦର୍ଶାଉଛନ୍ତି ଯେ ସରକାରୀ ଭାବେ ଏପର୍ଯ୍ୟନ୍ତ ନେତାଜୀଙ୍କର ମୃତ୍ୟୁର କାରଣ ଉନ୍ମୋଚିତ ହୋଇନାହିଁ କି ମୃତ୍ୟୁ ତାରିଖ ବି ବିଧିବଦ୍ଧ ଭାବେ ଘୋଷଣା ହୋଇନାହିଁ। ସେପରିସ୍ଥଳେ କେନ୍ଦ୍ର ଶାସନ କ୍ଷମତାରେ ଥିବା ଦଳର ନେତାମାନେ କିପରି ୧୮ ଅଗଷ୍ଟକୁ ନେତାଜୀଙ୍କ ପୁଣ୍ୟତିଥି ବୋଲି ଘେ‌ାଷଣା କରୁଛନ୍ତି ?

କିଛି ପାଶ୍ଚାତ୍ୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ୧୯୪୫ ମସିହା ଅଗଷ୍ଟ ୧୮ ତାରିଖରେ ଏକ ବିମାନ ଦୁର୍ଘଟଣାରେ ନେତାଜୀଙ୍କର ମୃତ୍ୟୁ ଘଟିଥିଲା। ମାତ୍ର ତାହାକୁ ଅନେକ ଏହାକୁ ବିଶ୍ବାସ କରୁନଥିଲେ। ନିଜେ ଗାନ୍ଧିଜୀ ମଧ୍ୟ ନେତାଜୀ ଜୀବିତ ବୋଲି ବିଶ୍ବାସ କରୁଥିଲେ। ଏନେଇ ଦୀର୍ଘ ବର୍ଷ ହେଲାଣି ବିବାଦ ଲାଗି ରହିଛି। ଏହି କାରଣରୁ ନେତାଜୀଙ୍କ ପୁଣ୍ୟତିଥି ସରକାରୀ ଭାବେ ପାଳନ କରାଯାଉନାହିଁ।

ତେବେ ଚଳିତ ବର୍ଷ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସଂବିତ ପାତ୍ରଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମକର୍ତ୍ତା ସାମାଜିକ ଗଣମାଧ୍ୟମରେ ୧୮ ଅଗଷ୍ଟ ନେତାଜୀଙ୍କ ପୁଣ୍ୟତିଥି ବୋଲି ଦର୍ଶାଇ ଏହି ମହାନ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହା ଏକ ନୂଆ ବିତର୍କ ସୃଷ୍ଟି କରିଛି। ଯଦି ସରକାର ଓ ସରକାରୀ ଦଳ ୧୮ ଅଗଷ୍ଟକୁ ନେତାଜୀଙ୍କ ପୁଣ୍ୟତିଥି ବୋଲି ମାନୁଛନ୍ତି ତେବେ ପ୍ରଧାନମନ୍ତ୍ରୀ ନେତାଜୀଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାନ୍ତୁ ଓ ବିଧିବଦ୍ଧ ଭାବେ ମୃତ୍ୟୁତାରିଖ ଘୋଷଣା କରନ୍ତୁ ବୋଲି ଅନେକ ନେତା ଦାବି କରିଛନ୍ତି।

ଅନ୍ୟପକ୍ଷରେ, ଏ ସମ୍ପର୍କରେ ବି ବୁଦ୍ଧିଜୀବୀ ମହଲରେ ଭିନ୍ନ ମତ ପ୍ରକାଶ ପାଇଛି। ରେଭେନ୍ସା କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଡକ୍ଟର ଅନନ୍ତ ସାହୁ କହିଛନ୍ତି ଯେ, ଇଂଲଣ୍ଡର ଜଣେ ବିଶେଷଜ୍ଞ ବି ନେତାଜୀଙ୍କ ସଂପର୍କରେ ଗବେଷଣା କରି ୧୯୪୫, ଅଗଷ୍ଟ ୧୮ରେ ତାଙ୍କ ମୃତ୍ୟୁ ଘଟିଥିବା ଉଲ୍ଲେଖ କରିଛନ୍ତି।

ଶିକ୍ଷାବିତ୍‌ ଡା.ରବିରଞ୍ଜନ ସାହୁ କହିଛନ୍ତି ଯେ, ବର୍ତ୍ତମାନ ପ୍ରେସ୍‌ ଇନଫରମେସନ୍‌ ଅଫ୍ ବ୍ୟୁରୋ(ପିଆଇବି) ଅଗଷ୍ଟ ୧୮ରେ ନୋତାଜୀଙ୍କ ମୃତ୍ୟୁ ନେଇ ଯେଉଁ ସୂଚନା ଦେଇଛି, ତାହା ଘୋର ସନ୍ଦେହଜନକ। ହୁଏତ ତାଙ୍କ ମହାପ୍ରୟାଣ ବହୁ ପୂର୍ବରୁ ଘଟିଥାଇପାରେ, କିନ୍ତୁ କୌଣସି ପ୍ରାମାଣିକ ତଥ୍ୟ ନ ଥିବାରୁ ତାଙ୍କ ମୃତ୍ୟୁ ତାରିଖ ଘୋଷଣା କରିପାରିବା ନାହିଁ। ସେ ଏକମାତ୍ର ସଂଗ୍ରାମୀ ଯାହାଙ୍କ ମୃତ୍ୟୁ ସନ୍ଦେହ ଘେରରେ ରହିଛି ବୋଲି ଡା. ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର