ଜୟପୁରରେ ଯବାନଙ୍କ ମରଶରୀରକୁ ଶ୍ରଦ୍ଧାଞ୍ଜଳୀ : ଶୋଭାଯାତ୍ରରେ ପାଛୋଟିଲେ, ତୋପ ସାଲାମୀରେ ଦେଲେ ବିଦାୟ

ଜୟପୁର : ଯବାନଙ୍କ ମରଶରୀରକୁ ଶୋଭାଯାତ୍ରାରେ ପାଛୋଟିଲେ। ଅମର ରହେ ବୀର ଯବାନ କୃଷ୍ଣ ସାହୁ ଧ୍ବନୀରେ କମ୍ପିଲା ସାରା ଜୟପୁର। ଆଉ ତୋପସଲାମୀ ଦେଇ ଜୁଇ ନିଆଁରେ ବୀର ଯବାନଙ୍କୁ ଶେଷ ବିଦାୟ ଦେଲେ। ସ୍ଥାନୀୟ ଆଇନ ବିଦ୍ୟାଳୟ ନିକଟରେ ଯବାନଙ୍କ ମରଶରୀରକୁ ପାଛୋଟି ନେବାକୁ ପୁଲିସ, ବିଏସଏଫ ଓ ଜିଲ୍ଲା ପ୍ରଶାସନ ଅପେକ୍ଷା କରିଥିଲେ। ସମସ୍ତଙ୍କ ଭିତରେ ଉତ୍କଣ୍ଠା ଥିଲା କି କେତେବେଳେ ଦେଖିବୁ ଏହି ମାଟିର ବୀର ଯବାନଙ୍କୁ। ସନ୍ଧ୍ୟା ନଇଁ ଯାଇଥିଲେ ମଧ୍ୟ ସେହି ଶୀତରେ ସମସ୍ତେ ଅପେକ୍ଷା କରିଥିଲେ। ସନ୍ଧ୍ୟା ସାଢେ ୭ଟାରେ ବିଶାଖାପାଟଣାରୁ ଏକ ସ୍ବତନ୍ତ୍ର ଗାଡିରେ ଯବାନଙ୍କ ମରଶରୀରକୁ ଜୟପୁରକୁ ଅଣାଯାଇଥିଲା। ଏହା ପୂର୍ବରୁ ରାଜସ୍ଥାନରୁ ସ୍ବତନ୍ତ୍ର ବିମାନରେ ବିଶାଖାପାଟଣାକୁ ଅଣାଯାଇଥିଲା। ଆଇନ ମହାବିଦ୍ୟାଳୟରୁ ଶୋଭାଯାତ୍ରାରେ ସହର ପରିକ୍ରମା କରି ବିକ୍ରମ ନଗରସ୍ଥିତ ବାସଭବନଙ୍କୁ ନିଆଯାଇଥିଲା। ସେଠାରୁ ଶ୍ମଶାନକୁ ନିଆଯାଇ ତୋପସଲାମୀ ଦିଆଯାଇଥିଲା।

ସୋମବାର ଦିନ ଭାରତ-ପାକିସ୍ତାନ ସୀମାରେ କାର୍ଯ୍ୟରତ ସମୟରେ ହୃଦଘାତରେ ଟଳି ପଡିଥିଲେ ସ୍ୱର୍ଗତ କୃଷ୍ଣ ସାହୁ। ଶେଷଦର୍ଶନ ନିମନ୍ତେ ଉପଜିଲ୍ଲାପାଳ ଲୋକନାଥ ଦଳବେହେରା, ପୁଲିସ ବିଭାଗର ବରିଷ୍ଠ ଅଧିକାରୀ, ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦଙ୍କ ସମେତ ସହରର ବୁଦ୍ଧିଜୀବୀ ଓ ଅନ୍ୟ ସରକାରୀ କର୍ମଚାରୀ ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର