ସ୍ୱାଭିମାନ ଦିବସରେ ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି : ‘କହିଦେବ ସମସ୍ତଙ୍କୁ, ଜଣେ ଓଡ଼ିଆ ଥିଲା…’

କଟକ : କହିଦେବ ସମସ୍ତଙ୍କୁ… ଜଣେ ଓଡ଼ିଆ ଥିଲା…। ଶେଷ ଶଯ୍ୟାରେ ଏହା ଥିଲା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଶେଷ ବାକ୍ୟ। ଏହି ଶେଷ ବାକ୍ୟ ହିଁ କୁଳବୃଦ୍ଧ ମଧୁସୂଦନଙ୍କ ଓଡ଼ିଆ ଜାତି ଓ ଭାଷା ପ୍ରତି ଗଭୀର ପ୍ରୀତିର ପ୍ରମାଣ। ସେ ଥିଲେ ଓଡ଼ିଆ ସ୍ୱାଭିମାନ ଓ ଅସ୍ମିତାର ପ୍ରତୀକ। ଆଚରଣ ଓ ଉଚ୍ଚାରଣରେ ସମାନତା ଆଣି ଓଡ଼ିଶା ଆଉ ଓଡ଼ିଆର ବିକାଶ କଥା ଚିନ୍ତା କଲେ, ତାହା ହିଁ ହେବ ଉତ୍କଳଗୌରବଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ମଧୁ ଜୟନ୍ତୀ ଅବସରରେ କଟକର ତୁଳସୀପୁର ସ୍ଥିତ ମଧୁବାବୁଙ୍କ ସମାଧିପୀଠ ଗୋରା କବରରେ ‘ସମ୍ବାଦ’ ‘ଆମ ଓଡ଼ିଶା’ ପକ୍ଷରୁ ଆୟୋଜିତ ଶ୍ରଦ୍ଧାଞ୍ଜଳି ତଥା ସ୍ମୃତିଚାରଣ ସଭାରେ ଯୋଗ ଦେଇ ଏଭଳି ମତ ରଖିଛନ୍ତି ବିଶିଷ୍ଟ ଅତିଥି ବୃନ୍ଦ।

‘ସମ୍ବାଦ’ର ସମ୍ପାଦକ, ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ତଥା ରାଜ୍ୟସଭା ସଦସ୍ୟ ସୌମ୍ୟରଂଜନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ଓଡ଼ିଶା ହାଇକୋର୍ଟର ପ୍ରାକ୍ତନ ବିଚାରପତି ଜଷ୍ଟିସ ରଘୁବୀର ଦାଶ। ଜଷ୍ଟିସ ଦାଶ ଉତ୍କଳ ଗୌରବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ ଓଡ଼ିଆ ଭାଷାର ବାସ୍ତବ ବିକାଶ ସହ ବ୍ୟକ୍ତିଗତ ସ୍ୱାର୍ଥ ବଦଳରେ ସାମୂହିକ ବିକାଶ ଦିଗରେ କାର୍ଯ୍ୟକଲେ, ତାହା ହିଁ ହେବ ମଧୁବାବୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।

କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବିଶିଷ୍ଟ ଐତିହାସିକ, ଗବେଷକ ପ୍ରଫେସର ଡକ୍ଟର ଖାରବେଳ ମହାନ୍ତି କହିଥିଲେ ଯେ ମଧୁବାବୁ ଥିଲେ ସ୍ୱାଭିମାନ ଓ ଅସ୍ମିତାର ପ୍ରତୀକ। ଏହି ଦୁଇଟି ଶବ୍ଦକୁ ଜୀବନ୍ୟାସ ଦେଲେ ତାହା ହୁଏତ ମଧୁବାବୁଙ୍କ ରୂପ ନେବ। ମଧୁବାବୁ ସେତେବେଳ ସମୟରେ ବି ରାଜନୈତିକ ସ୍ୱାଧୀନତା ସହ ସାମାଜିକ ସ୍ୱାଧୀନତା ଓ ଅର୍ଥନୈତିକ ସ୍ୱଚ୍ଛଳତାକୁ ଗୁରୁତ୍ୱ ଦେଉଥିଲେ। ଏକ ସୁଦୂରପ୍ରସାରିି ଶିକ୍ଷାନୀତିର ପରିକଳ୍ପନା କରିଥିଲେ। ଶିକ୍ଷାକୁ ସଂକୀର୍ଣ୍ଣ ଓ ସଂକୁଚିତ କରିବାର ପ୍ରତିକୂଳ ପ୍ରଭାବ ପ୍ରତି ସେ ସତର୍କ କରାଇଦେବା ସହ ଜଗତୀକରଣ ସପକ୍ଷରେ ମତ ରଖୁଥିଲେ। ଏମିତିକି ମହାତ୍ମାଗାନ୍ଧୀ ମଧୁବାବୁଙ୍କ ଠାରୁ ଅନେକ ମୌଳିକ ଚିନ୍ତାଧାରା ଗ୍ରହଣ କରି ତାଙ୍କୁ ତାଙ୍କର ରାଜନୈତିକ ଗୁରୁ ଭାବେ ସ୍ୱୀକାର କରିଥିଲେ। ମଧୁବାବୁ ଯେଉଁ ଜାଗରଣ ଓ ଚେତନା ସୃଷ୍ଟି କରି ଯାଇଛନ୍ତି, ତାହା ଏ ଜାତିକୁ ଯୁଗଯୁଗ ଧରି ପ୍ରେରଣା ଦେବ ବୋଲି ପ୍ରଫେସର ମହାନ୍ତି କହିଥିଲେ।

ସମାରୋହରେ ସଭାପତି ଅଭିଭାଷଣ ପ୍ରଦାନ କରି ସାଂସଦ ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ ଯେ, ମଧୁବାବୁଙ୍କୁ କେବଳ ସ୍ୱାଭିମାନ ଓ ଅସ୍ମିତାର ପ୍ରତୀକ ଭାବେ ସ୍ମରଣ କଲେ ହେବ ନାହିିଁ। ଏଥିପାଇଁ ନିଜର ଆଚରଣ ଓ ଉଚ୍ଚାରଣ ମଧ୍ୟରେ ପ୍ରଭେଦ ଦୂର କରି ତାହାକୁ ଶୁଦ୍ଧ କରିବାକୁ ପଡ଼ିବ। କୁଶଳୀ ଭାରତ ଓ ଦକ୍ଷତା ବିକାଶର କଥା ମଧୁବାବୁ ସେ ସମୟରେ କହି ଆସୁଥିଲେ। ଦୁଇଟି କାରଣରୁ ତାଙ୍କର ଅବସୋସ ଥିଲା। ପ୍ରଥମତଃ ସେ ନିଜ ପରିକଳ୍ପିତ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଦେଖିପାରି ନଥିଲେ। ତା’ଛଡ଼ା, ମୃତୁ୍ୟୁ ପୂର୍ବରୁ ସେ ସମ୍ଭବତଃ ନିଜ ଭଳି ଆଉ ଜଣେ ଓଡ଼ିଆକୁୁ ଛାଡ଼ିକି ଯିବାକୁ ଚାହୁଁଥିଲେ। ଯେଉଁ ଜାତି ଦିନେ ପଥରରେ ଜୀବନ ଦେଇପାରୁଥିଲା, ସେ ଜାତିର ଦୟାଦମାନେ ନିଜ ଜୀବନକୁ ନେଇ ସଂଘର୍ଷ କରୁଛନ୍ତି କାହିଁକି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଥିଲେ। ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ଦ୍ୱାରା ମଧୁବାବୁଙ୍କ ସଂଗ୍ରାମ ସଂପୂର୍ଣ୍ଣ ହୋଇଛି। ଆମେମାନେ ଏ ସଂଗ୍ରାମର ହିତାଧିକାରୀ। ତେବେ ଏହାକୁ ପରବର୍ତ୍ତୀ ପିଢ଼ି ପାଇଁ ବଞ୍ଚାଇ ରଖିବାକୁ ହେବ। ଶାସ୍ତ୍ରୀୟ ଭାଷାକୁ ଏବେର ପିଲାମାନେ ଜେଜେଙ୍କ ଫତେଇ ବୋଲି ଭାବୁଛନ୍ତି।

ଉତ୍ସବରେ ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ବିଜୟାନନ୍ଦ ସିଂହ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ସହ ମଧୁବାବୁଙ୍କ ଜାତି ପ୍ରତି ସମର୍ପିତ ଜୀବନର ଅନେକ ଉଦାହରଣ ଉପସ୍ଥାପନ କରିଥିଲେ। ଆମ ଓଡ଼ିଶାର ସମ୍ପାଦକ ସ୍ୱରାଜ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ। ପରେ ଅତିଥି ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ମଧୁ ଉଦ୍ୟାନକୁ ଯାଇ ସେଠାରେ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

ସମ୍ବନ୍ଧିତ ଖବର