କିଶୋରନଗରରେ ଟ୍ରିପଲ୍‌ ମର୍ଡର୍‌: ୩ ଜଣଙ୍କୁ ତଣ୍ଟି କାଟି ଫିଙ୍ଗିଦେଲେ

ଅନୁଗୁଳ/ବଇଣ୍ଡା/ପାଇକସାହି: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଗମ୍ଭାରିମଳିହା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ଦୁର୍ବୃତ୍ତମାନେ ଗୋଟିଏ ପରିବାରର ସ୍ୱାମୀ, ସ୍ତ୍ରୀ ଏବଂ ନାବାଳକ ପୁଅର ତଣ୍ଟି କାଟି ଅତି ନିର୍ମମ ଭାବେ ହତ୍ୟା କରିବା ସହିତ ଘରୁ ସୁନାଗହଣା, ୧ ଲକ୍ଷ ୭୫ ହଜାର ଟଙ୍କା ଲୁଟି ନେଇଛନ୍ତି। ହତ୍ୟାର ଶିକାର ହୋଇଥିବା ଦମ୍ପତି ହେଉଛନ୍ତି ବିରଞ୍ଚି ନାୟକ (୩୫), ପତ୍ନୀ ତରଣୀ ନାୟକ ଏବଂ ୮ବର୍ଷର ନାବାଳକ ପୁଅ ଏକଲବ୍ୟ। ଏକଲବ୍ୟ ବିରଞ୍ଚିଙ୍କ ପ୍ରଥମ ପତ୍ନୀର ପୁଅ ବୋଲି ଜଣାପଡ଼ିଛି। ହତ୍ୟାକାଣ୍ଡରୁ ସୌଭାଗ୍ୟବଶତଃ ବିରଞ୍ଚିଙ୍କ ଦଶ ମାସର ଝିଅ ସାଇନା ବର୍ତ୍ତି ଯାଇଛି। ଦୁର୍ବୃତ୍ତମାନେ ବାପା, ମା’ ଏବଂ ପୁଅକୁ ହତ୍ୟା କରିବା ପରେ ଶବଗୁଡ଼ିକୁ ପୃଥକ୍‌ ସ୍ଥାନରେ ଫିଙ୍ଗି ଫେରାର୍‌ ହୋଇ ଯାଇଛନ୍ତି। ହତ୍ୟାକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ଡକାୟତି ଉଦ୍ଦେଶ୍ୟରେ ଦୁର୍ବୃତ୍ତମାନେ ଏଭଳି ନରକୀୟ କାଣ୍ଡ ଘଟାଇ ଥାଇ ପାରନ୍ତି ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି। ଏହି ଜଘନ୍ୟ ହତ୍ୟାକାଣ୍ଡ ଆଜି ଅନୁଗୁଳ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ଏସ୍‌ପି ବ୍ରିଜେଶ କୁମାର ରାୟ, ଅତିରିକ୍ତ ଏସ୍‌ପି ଯଦୁମଣି ହାଁସଦା, ଆଠମଲ୍ଲିକ ଏସ୍‌ଡିପିଓ ଦୁଃଖବଂଧୁ ନାୟକଙ୍କ ସମେତ କିଶୋରନଗର, ଠାକୁରଗଡ଼ ଓ ଆଠମଲ୍ଲିକ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତଦନ୍ତ ଚଳାଇଛନ୍ତି। ଏହି ଘଟଣାରେ ପୁଲିସ ବିରଞ୍ଚିଙ୍କ ଘରେ ଭଡ଼ାରେ ରହୁଥିବା ଜଣେ ମହିଳାଙ୍କ ସମେତ ଅନ୍ୟ ସନ୍ଦିଗ୍ଧଙ୍କୁ ଅଟକ ରଖି ଜେରା ଚଳାଇଥିବା ସୂଚନା ମିଳିଛି।
ସୂଚନାନୁଯାୟୀ, ଗମ୍ଭାରୀମଳିହା ଗ୍ରାମର ବିରଞ୍ଚିଙ୍କ ପ୍ରଥମ ସ୍ତ୍ରୀର ମୃତ୍ୟୁ ପରେ ସେ ତିନି ମାସ ତଳେ ତରଣୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ପ୍ରଥମ ସ୍ତ୍ରୀ’ଙ୍କ ଆଡ଼ୁ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ଦ୍ୱିତୀୟ ବିବାହ ପରେ ବି ପୁଅଝିଅ ତାଙ୍କ ପାଖରେ ରହୁଥିଲେ। ସବୁଦିନ ଭଳି ଗତକାଲି ରାତିରେ ସମସ୍ତେ ଖାଇ ଶୋଇଥିଲେ। କିନ୍ତୁ ଆଜି ସକାଳୁ ବିରଞ୍ଚିଙ୍କ ଦଶ ମାସର ଝିଅ ସାଇନା ଜୋର୍‌ରେ କାନ୍ଦୁଥିବା ପାଖ ପଡ଼ୋଶୀ ଶୁଣିବାକୁ ପାଇଥିଲେ। କବାଟ ଖୋଲିବା ପରେ ଘର ଭିତର ଚଟାଣ ରକ୍ତ ଜୁଡ଼ୁବୁଡ଼ୁ ହୋଇଥିବା ବେଳେ ପଛପାଖ ହରଡ଼ ବିଲରେ ତରଣୀଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଅନୁରୂପ ଭାବେ ଘରଠୁ ପ୍ରାୟ ୨୫ କିଲୋମିଟର ଦୂର ଠାକୁରଗଡ଼ ଥାନା ପୋକଣ୍ଡା ଗାଁର ନନ୍ଦତଇଲା ପୋଲ ତଳୁ ବିରଞ୍ଚିଙ୍କ ମୃତଦେହ ଏବଂ ପୁଅ ଏକଲବ୍ୟର ଶବ ପୋକଣ୍ଡା-ମିଣ୍ଡୋଳ ରାସ୍ତା ତଳସାହି ଗଛମୂଳରୁ ମିଳିଥିଲା। ସମସ୍ତଙ୍କ ତଣ୍ଟିକୁ କୌଣସି ଏକ ଧାରୁଆ ଅସ୍ତ୍ରରେ କଟାଯାଇ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଦୁର୍ବୃତ୍ତମାନେ ହତ୍ୟା କରିବା ପରେ ଘର ଆଲମିରା ଭାଙ୍ଗି ୧ ଲକ୍ଷ ୭୫ ହଜାର ଟଙ୍କା, ସୁନାଗହଣା ଏବଂ ବିରଞ୍ଚିଙ୍କ ପତ୍ନୀ ପିନ୍ଧିଥିବା ଅଳଙ୍କାର ଲୁଟି ନେଇଛନ୍ତି। ଏହି ଘଟଣା ଗମ୍ଭାରୀମଳିହା ଗ୍ରାମବାସୀଙ୍କୁ ପୂରା ସ୍ତବ୍ଧ କରିଦେଇଛି।
ଅନୁଗୁଳ ଏସ୍‌ପି ଶ୍ରୀ ରାୟଙ୍କ କହିବାନୁଯାୟୀ, ମାଇକ୍‌ ସାଉଣ୍ଡ୍‌ ବେପାର କରୁଥିବା ବିରଞ୍ଚି ସୋମବାର ବଇଣ୍ଡାସ୍ଥିତ ଅନ୍ନପୂର୍ଣ୍ଣା ମାଇକ୍ରୋ ଫାଇନାନ୍‌ସରୁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଜରିଆରେ ୧ ଲକ୍ଷ ୭୫ ହଜାର ଟଙ୍କା ଋଣ ଆଣିଥିଲେ। ଆଜି ଉକ୍ତ ଟଙ୍କାରେ ମାଇକ୍‌ ଓ ଅନ୍ୟାନ୍ୟ ଯନ୍ତ୍ରପାତି କିଣିବା ପାଇଁ ଯୋଜନା କରିଥିଲେ। କିନ୍ତୁ ଛାନଭିନ୍‌ରୁ ଘରୁ ଏ ଟଙ୍କା ମିଳିନାହିଁ। ଘରର ସମସ୍ତ ଆସବାବପତ୍ର ବିକ୍ଷିପ୍ତ ଅବସ୍ଥାରେ ପଡ଼ିଥିବା ବେଳେ ପତ୍ନୀ ତରଣୀ ପିନ୍ଧିଥିବା ସୁନାଗହଣା ଦେହରେ ନଥିଲା। ତେଣୁ ଟଙ୍କା ଲୁଟ୍‌ ପାଇଁ ଦୁର୍ବୃତ୍ତମାନେ ଏଭଳି ଜଘନ୍ୟ କାଣ୍ଡ ଭିଆଇ ଥାଇପାରନ୍ତି ବୋଲି ଶ୍ରୀ ରାୟ କହିଛନ୍ତି। ତେବେ ଏହା ପଛରେ ଥିବା ଅନ୍ୟ କାରଣ ସଂପର୍କରେ ମଧ୍ୟ ପୁଲିସ ଖୋଳତାଡ ଜାରି ରଖିଛି ବୋଲି ଏସ୍‌ପି ପ୍ରକାଶ କରିଛନ୍ତି। ଅଧିକ ତଦନ୍ତ ପାଇଁ ଏସ୍‌ଡିପିଓ ଶ୍ରୀ ନାୟକଙ୍କ ନେତୃତ୍ୱରେ କିଶୋରନଗର ଥାନା ଅଧିକାରୀ ପ୍ରେମାନନ୍ଦ ଲେଙ୍କା, ଠାକୁରଗଡ଼ ଥାନା ଅଧିକାରୀ ବବାକ୍ଷ ନାୟକ ଏବଂ ଆଠମଲ୍ଲିକ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ରଙ୍କୁ ନେଇ ଏକ ତଦନ୍ତ ଟିମ୍‌ ଗଠନ କରାଯାଇଥିବା ଶ୍ରୀ ରାୟ ସୂଚନା ଦେଇଛନ୍ତି। ପୁଲିସ ଶବଗୁଡ଼ିକୁ ଜବତ କରି ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟପକ୍ଷରେ ବିରଞ୍ଚିଙ୍କ ସାନ ଭାଇ ସୁଶାନ୍ତ ନାୟକ (୨୫) ଏ ନେଇ କିଶୋରନଗର ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର