ତିନି ତଲାକ୍‌କୁ ନେଇ କେନ୍ଦ୍ରାପଡ଼ାରେ ପ୍ରଥମ ମାମଲା : ପୀଡ଼ିତାଙ୍କ ବୟାନ ରେକର୍ଡ

କେନ୍ଦ୍ରାପଡା : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ବେ କେନ୍ଦ୍ରାପଡ଼ା ଜିଲ୍ଲାରେ ତିନି ତଲାକ୍‌ ଜାରି ରହିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଜିଲ୍ଲାରେ ଦୁଇଟି ତଲାକ୍‌ ମାମଲା ଥାନାକୁ ଯାଇଥିଲେ ହେଁ କେନ୍ଦ୍ରାପଡ଼ା ସଦର ଥାନାରେ ପ୍ରଥମ ଥର ପାଇଁ ବିଧିବଦ୍ଧ ମାମଲା ରୁଜୁ ହୋଇଛି।

ଜିଲ୍ଲାର ସଦରଥାନା ଅନ୍ତର୍ଗତ ମୋଗଲବାଗ ମିର୍ଜାପାଟଣା ଗ୍ରାମରେ ଜଣେ ମହିଳାଙ୍କୁ ଯୋୖୖତୁକ ନିର୍ଯାତନା ଦିଆଯିବା ସହିତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରି ତିନି ତଲାକ ଦିଆଯାଇଥିବା ସଦର ଥାନାରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଭିତ୍ତିକରି ସଦର ଥାନା ପୁଲିସ୍‌ ଅଭିଯୁକ୍ତଙ୍କ ବିରୋଧରେ ମୁସଲିମ୍‌ ମହିଳା ସୁରକ୍ଷା ଅଧିକାର ଓ ବିବାହ ଆଇନ୍‌ -୨୦୧୭ରେ ଏକ ମାମଲା ରୁଜୁ କରିଛି ଏବଂ ଏହା ଜିଲ୍ଲାର ପ୍ରଥମ ମାମଲା ବୋଲି ସଦର ଥାନା ଅଧିକାରୀ କାବୁଲି ବାରିକ ପ୍ରକାଶ କରିଛନ୍ତି। କେନ୍ଦ୍ରାପଡା ମିରପାଟଣାର ସେକ ଜାହିରଙ୍କ ଝିଅ ରୁମାନା ପରବିନ୍‌ ମୋଗଲବାଗ ମିର୍ଜାପାଟଣା ଗ୍ରାମର ଫକରୁଦ୍ଦିନ ଖାଁଙ୍କ ପୁଅ ସଲାଉଦ୍ଦୀନଙ୍କୁ ଇସଲାମ ରୀତି ଅନୁସାରେ ୨୦୧୭, ଜାନୁଆରି ୪ ତାରିଖରେ ବିବାହ କରିଥିଲେ। ବିବାହ ପରେ ଶାଶୂଘର ଲୋକେ ଯୌତୁକ ବାବଦରେ କାର୍ ଦାବି କରିଥିଲେ। ଏହି ଘଟଣାକୁ ନେଇ ରୁମାନାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା। ପ୍ରାୟ ବ‌େର୍ଷ ତଳେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେବାପରେ ତାଙ୍କୁ ଅଧିକ ନିର୍ଯାତନା ଦିଆଯିବା ସହିତ ଶିଶୁକନ୍ୟାକୁ ମାରିଦେବାକୁ ଧମକ ଦିଆଯାଇଥିଲା। ଫଳରେ ଝିଅ ସହ ନିଜର ସୁରକ୍ଷା ପାଇଁ ସେ ଝିଅକୁ ନେଇ ବାପଘରକୁ ପଳାଇ ଆସିଥିିଲେ। କିନ୍ତୁ ଗତ ଅକ୍ଟୋବର ପହିଲାରେ ନିଜ ବାପଘର ଲୋକଙ୍କ ସହିତ ଶାଶୂଘରକୁ ଆସି ପହଞ୍ଚିବା ପରେ ସ୍ବାମୀ ସଲାଉଦ୍ଦିନ ଖାଁ ସର୍ବ ସମ୍ମୁଖରେ ତିନି ତଲାକ ଦେଇଥିଲେ। ଏହି ଘଟଣାକୁ ନେଇ ମୋଗଲବାଗ ମୁସଲିମ ପଞ୍ଚାୟତ ନିକଟରେ ଫେରାଦ ହେବାପରେ ତଲାକ୍‌ ଗୃହୀତ ହୋଇଛି ଓ ସମସ୍ତ ଆସବାବପତ୍ର ଫେରାଇ ଘରକୁ ଚାଲିଯିବାକୁ ରୁବାନାଙ୍କୁ ନିଷ୍ପତ୍ତି ଶୁଣାଇ ଦିଆଯାଇଥିଲା। ଏହି ତଲାକକୁ ବେଆଇନ ବୋଲି ଦାବି କରିବା ସହିତ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯାନୁଷ୍ଠାନ ସହିତ ଘରୋଇ ହିଂସାରୁ ସୁରକ୍ଷା ପାଇଁ ପୀଡ଼ିତା ତଲାକୀ ମହିଳା ସହାୟତା ସମିତିର ସାଇରା ମିର୍ଜାଙ୍କ ସହାୟତାରେ ରୁମାନା ଦାବି କରିଥିଲେ।

ସମ୍ବନ୍ଧିତ ଖବର