ଗାଡ଼ି ଚଢ଼ାଇ ମାରିଦେଲେ! ଯାଞ୍ଚ ବେଳେ ପରିବହନ କର୍ମଚାରୀଙ୍କ ମୃତ୍ୟୁ
କ୍ଷତିପୂରଣ ଦାବିରେ ଉତ୍ତେଜନା, ଶବ ବ୍ୟବଚ୍ଛେଦ ହୋଇପାରିନି
କେନ୍ଦୁଝର: ଜାତୀୟ ରାଜପଥ ଉପରେ ଗାଡ଼ି ଯାଞ୍ଚ ହେଉଥିଲା। ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍କୁ ଅଟକାଉଥିଲେ ପରିବହନ ବିଭାଗ କର୍ମଚାରୀ। ହେଲେ ଟ୍ରକ୍ଟି ଅଟକିବା ବଦଳରେ ସଂପୃକ୍ତ କର୍ମଚାରୀଙ୍କୁ ଦଳିଦେଇ ଚାଲିଯାଇଛି। ଘଟଣାସ୍ଥଳରେ କେନ୍ଦୁଝର ଆରଟିଓ କାର୍ଯ୍ୟାଳୟ ଏନ୍ଫୋର୍ସମେଣ୍ଟ ଭେହିକଲ୍ର ଡ୍ରାଇଭର ବିଜୟ କୁମାର ମହାନ୍ତ(୪୦)ଙ୍କ ମୃତ୍ୟୁ ଘଟିଛି। ଆଜି ସକାଳୁ ଏହି ଘଟଣା କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥର ପୋକରାପାଣି ନିକଟରେ ଘଟିଛି। ମୃତକଙ୍କ ପରିବାର ଲୋକେ ୨୫ ଲକ୍ଷର କ୍ଷତିପୂରଣ ଏବଂ ସ୍ଥାୟୀ ନିଯୁକ୍ତି ନିମନ୍ତେ ଅଡ଼ି ବସିବାରୁ ଶବ ବ୍ୟବଚ୍ଛେଦ ହୋଇପାରି ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ସକାଳେ କେନ୍ଦୁଝର ଟାଉନ ଥାନା ୨୦ ନମ୍ବର ଜାତୀୟ ରାଜପଥ ପୋକରାପାଣି ନିକଟରେ ଆରଟିଓ କାର୍ଯ୍ୟାଳୟର କନିଷ୍ଠ ଏମଭିଆଇ କାହ୍ନୁ ଚରଣ ବାନାରା ଏବଂ ଡ୍ରାଇଭର ବିଜୟ କୁମାର ମହାନ୍ତ (୪୦) ଗାଡ଼ି ଯାଞ୍ଚ କରୁଥିଲେ। ଏହି ସମୟରେ ବଡ଼ବିଲ ପଟୁ ଆସୁଥିବା ଏକ ୧୪ ଚକିଆ ଟ୍ରକ୍କୁ ବିଜୟ ଅଟକାଉଥିବା ବେଳେ ଟ୍ରକ୍ ନ ଅଟକି ତାଙ୍କ ଉପରେ ଚଢାଇ ଦେଇଥିଲା। ସେଠାରେ ଉପସ୍ଥିତ କନିଷ୍ଠ ଏମ୍ଭିଆଇ ଶ୍ରୀ ବାନାରା ଗୁରୁତର ଡ୍ରାଇଭରଙ୍କୁ ଉଦ୍ଧାର କରିବା ସମୟରେ ସଂପୃକ୍ତ ଟ୍ରକ୍ଟି ଫେରାର ହୋଇଯାଇଥିଲା। ଖବରପାଇ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ତେବେ ଏହି ମୃତ୍ୟୁପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପରିବାର ଲୋକେ ପହଞ୍ଚି ହୋ’ହଲ୍ଲା କରିଥିଲେ। ମୃତ ଡ୍ରାଇଭରଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୨୫ ଲକ୍ଷ ଟଙ୍କା ଏବଂ ପରିବାର ଜଣେ ସଦସ୍ୟଙ୍କୁ ସ୍ଥାୟୀ ନିଯୁକ୍ତି ଦାବି କରିଥିଲେ। ଫଳରେ ସନ୍ଧ୍ୟା ପର୍ଯ୍ୟନ୍ତ ଉତ୍ତେଜନା ଲାଗି ରହିବାରୁ ଶବ ବ୍ୟବଚ୍ଛେଦ ହୋଇପାରି ନାହିଁ। ଏ ସଂପର୍କରେ ଆରଟିଓ ନିର୍ମଳ ମହାନ୍ତିଙ୍କୁ ପଚରାଯିବାରୁ ଗାଡ଼ି ଯାଞ୍ଚ ହେଉଥିବା ଖବରର ସତ୍ୟତା ନାହିଁ ବୋଲି କହିଛନ୍ତି। ସେ କହିଛନ୍ତି ଯେ, କ୍ୟାମ୍ପ ଥିବାରୁ କନିଷ୍ଠ ଏମ୍ଭିଆଇ ଆନନ୍ଦପୁର ଯାଉଥିଲେ। କୌଣସି କାରଣରୁ ରାସ୍ତା କଡ଼ରେ ଛିଡା ହୋଇଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି। ଏହି ଘଟଣାରେ ସରକାରଙ୍କ ଦୁର୍ଘଟଣା ବୀମା ବାବଦକୁ ୨ ଲକ୍ଷ ଟଙ୍କା ଏବଂ ପରିବାରର ଜଣେ ସଦସ୍ୟ କିମ୍ବା ତାଙ୍କ ବିଧବା ପତ୍ନୀଙ୍କୁ ଠିକା ନିଯୁକ୍ତି ଦିଆଯିବା ନେଇ ଯୋଜନା ଚାଲିଛି ବୋଲି ସେ କହିଛନ୍ତି।