ଆଇଓସିଏଲ୍‌ ଡିପୋରେ ଡ୍ରାଇଭର-ପୁଲିସ ସଂଘର୍ଷ : ୩ ପୁଲିସ ଓ ୫ ଡ୍ରାଇଭର ଗିରଫ 

ଝାରସୁଗୁଡ଼ା : ଝାରସୁଗୁଡ଼ା ଆଇଓସିଏଲ୍‌ ଡିପୋରେ ଡ୍ରାଇଭର୍‌ ଓ ପୋଲିସ୍‌ ମଧ୍ୟରେ ସଂଘର୍ଷ ଘଟିଛି। ପୁଲିସ କନଷ୍ଟେବଳଙ୍କୁ ଟ୍ରକ୍‌ ଡ୍ରାଇଭରମାନେ ସଂଘବଦ୍ଧ ଆକ୍ରମଣ କରି ଲହୁଲୁହାଣ କରିଦେଇଛନ୍ତି। ଟ୍ରକ୍‌ ଡ୍ରାଇଭରମାନେ ପୁଲିସ ଠାରୁ ଦୁଇଟି ବନ୍ଧୁକ ଛଡ଼ାଇ ନେଇଥିବା ବେଳେ ପରେ ଉଦ୍ଧାର କରାଯାଇଛି। ଏହି ଘଟଣାରେ ୩ ପୁଲିସ୍‌ ଓ ୫ ଡ୍ରାଇଭର୍‌ଙ୍କୁ ଗିରଫ କରାଯାଇଛି।

ଗତକାଲି ରାତି ୧୦ଟା ସମୟରେ ଏହି ଘଟଣା ଘଟିଥିଲା। ଟ୍ରକ୍‌ ଡ୍ରାଇଭର୍‌ଙ୍କ ଅଭିଯୋଗ ଅନୁସାରେ, ରାତିରେ ୩ ଜଣ ବ୍ୟକ୍ତି ବାଇକରେ  ଆସି ନିଜକୁ ପୁଲିସ ବୋଲି ପରିଚୟ ଦେଇଥିଲେ। ସେମାନେ ସାଦା ପୋଷାକରେ ଥିଲେ। ତାଙ୍କୁ ଧମକ ଚମକ କରି ବଟି ମାଗିଥିଲେ। ଏହି ଘଟଣାକୁ ନେଇ ଟ୍ରକ ଡ୍ରାଇଭର ଓ ପୁଲିସ ମଧ୍ୟରେ ଉଚ୍ଚବାଚ ହୋଇ ସଂଘର୍ଷ ହୋଇଥିଲା। ଟ୍ରକ୍‌ ଡ୍ରାଇଭରମାନେ ସଂଘବଦ୍ଧ ଆକ୍ରମଣ କରି ଲହୁଲୁହାଣ କରିବା ସହ ପୁଲିସ୍‌ଙ୍କଠାରୁ ସର୍ଭିସ ରିଭଲ୍‌ବଲ୍‌ ଛଡ଼ାଇ ନେଇଥିଲେ। ପରେ, ଏହି ବନ୍ଧୁକକୁ ଉଦ୍ଧାର କରାଯାଇଥିଲା।ଅପରପକ୍ଷେ ଡ୍ରାଇଭରମାନେ ଏଠାରେ ତେଲ ଚୋରାରେ ବିକ୍ରି କରୁଥିବାରୁ ସେନେଇ ପୁଲିସ କର୍ମଚାରୀମାନେ ତଥ୍ୟ ସଂଗ୍ରହ କରିବାକୁ ଯାଇଥିବା କହୁଛନ୍ତି।

ଝାରସୁଗୁଡ଼ା ଥାନାରେ ପୁଲିସ ପକ୍ଷରୁ ଦିଆଯାଇଥିବା ଏତଲା ନଂ.୩୮୨ ଆଧାରରେ ୫ ଜଣ ଡ୍ରାଇଭର ସୁଦର୍ଶନ ବେହେରା, ଦୁଃଶାସନ ସ୍ୱାଇଁ, ହେମନ୍ତ ସାହୁ, ଗୌରାଙ୍ଗ ଦଳେଇ ଓ ବୃନ୍ଦାବନ ଗୌଡ଼ଙ୍କୁ ଗିରଫ କରାଯାଇ ତାଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର  ୧୪୭, ୧୪୮, ୩୨୩,୩୩୨,୩୦୭, ୪୩୭,୨୯୪ରେ ମାମଲା ରୁଜୁ ହୋଇଛି। ସେହିପରି ଡ୍ରାଇଭରଙ୍କ ଏତଲା ନଂ.୩୮୩ରେ କନଷ୍ଟେବଲ ରଞ୍ଜିତ ସୋରେନ୍‌, ଇନ୍ଦ୍ରଜିତ ବଢ଼େଇ ଓ ଦୁଲେଶ୍ୱର ଜଗତଙ୍କୁ ଗିରଫ କରାଯାଇ ତାଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ୩୮୪, ୩୮୫ ଓ ୨୭ ଆର୍ମସ୍‌ ଆକ୍ଟରେ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର