ଚତୁର୍ଥ ଦିନରେ ଟ୍ରକ୍‌ ଧର୍ମଘଟ : ଦିନକୁ ରାଜସ୍ୱ କ୍ଷତି ୩୫୦ କୋଟି, ରିଲିଫ୍‌ କାର୍ଯ୍ୟରେ ସହଯୋଗ କରିବାକୁ ପ୍ରତିଶ୍ରୁତି

ଭୁବନେଶ୍ୱର : ଟ୍ରକ୍‌ ମାଲିକମାନଙ୍କ ଧର୍ମଘଟ ଚତୁର୍ଥ ଦିନରେ ପହଞ୍ଚିଛି। ଏହି ଧର୍ମଘଟର ସିଧାସଳଖ ପ୍ରଭାବ ଏ ଯାଏଁ ଖାଉଟି ବଜାରରେ ପଡ଼ି ନାହିଁ। କିନ୍ତୁ ସରକାର ବେଶ୍‌ ଆର୍ଥିକ କ୍ଷତି ସହୁଛନ୍ତି। ଦିନକୁ ୩୫୦ କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି। ଏଥିରେ ଭାଟ୍‌ ବାବଦ କ୍ଷତି ସର୍ବାଧିକ ରହିଛି। ସର୍ବଭାରତୀୟ ସ୍ତରରେ ଚାଲିଥିବା ଏହି ଧର୍ମଘଟକୁ ଟାଳିବା ନେଇ କୌଣସି ସମାଧାନର ସୂତ୍ର ଏ ଯାଏଁ ବାହାରି ନାହିଁ। ଫଳରେ ଆଗକୁ ସରକାର ଆହୁରି କ୍ଷତି ସହିବାର ଆଶଙ୍କା ରହିଛି।

ଧର୍ମଘଟ ଆଉ ଦୁଇ ତିନି ଦିନ ରହିଲେ, ଖାଉଟି ବଜାର ଉପରେ ଏହାର ଭୀଷଣ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। କାରଣ ଗୋଟିଏ ଟ୍ରକ୍‌ରେ ମାଲ୍‌ ଆସିଲେ ତାହା ପାଞ୍ଚ ଦିନର ଆବଶ୍ୟକତା ପୂରଣ କରିଥାଏ। ତିନି ଦିନ ତଳେ ଯେଉଁ ସବୁ ମାଲ୍‌ ଆସିଥିଲା, ସେସବୁ ଏବେ ରାଜ୍ୟରେ ବିକ୍ରି ହେଉଛି। ତେଣୁ ଆଉ ଦୁଇ ଦିନ ଭିତରେ ତାହା ସରିଗଲା ପରେ ଅସଲ ସମସ୍ୟା ସୃଷ୍ଟି ହେବ। ରାଜ୍ୟ ବାହାରୁ ଆସୁଥିବା ସାମଗ୍ରୀଗୁଡ଼ିକର ମୂଲ୍ୟ ହଠାତ୍‌ ବଢ଼ିଯାଇପାରେ ବୋଲି ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି। ବଜାରରେ ସେହି ସାମଗ୍ରୀଗୁଡ଼ିକ ଉପଲବ୍ଧ ହେବନି। ଯେତିକି ଉପଲବ୍ଧ ହେବ, ତାହାର ଦରରେ ଲଗାମ ରହିବନି ବୋଲି ବହୁ ବ୍ୟବସାୟୀ ଆଶଙ୍କା ପ୍ରକଟ କରିଛନ୍ତି।

ଟ୍ରକ୍‌ ମାଲିକ ମହାସଂଘର ସଭାପତି ବିଭୂତି ପ୍ରସାଦ ଦାସ ଓ ସାଧାରଣ ସମ୍ପାଦକ ରବି ଶତପଥୀଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ପାଖାପାଖି ୨ ଲକ୍ଷ ଟ୍ରକ୍‌ ରହିଛି। ସେଥି ମଧ୍ୟରୁ ୮୦-୯୦% ଟ୍ରକ୍‌ର ଚଳାଚଳ ବନ୍ଦ ହୋଇଗଲାଣି। ଆଉ ଯେତିକି ଚାଲୁଛି, ତାହା ବି ଦିନେ ଦୁଇ ଦିନ ଭିତରେ ବନ୍ଦ ହୋଇଯିବ। ଟ୍ରକ୍‌ ବନ୍ଦ ପାଇଁ ସରକାରଙ୍କର ତ ରାଜସ୍ୱ କ୍ଷତି ହେଉଛି, ତାହା ସହ ଓଡ଼ିଶାରେ ଟ୍ରକ୍‌ ମାଲିକମାନଙ୍କୁ ଦିନକୁ ୪୦ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ୁଛି।

ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଟ୍ରକ୍‌ ଧର୍ମଘଟ ଯୋଗୁଁ ରିଲିଫ୍‌ ସାମଗ୍ରୀ ପରିବହନରେ ସମସ୍ୟା ସୃଷ୍ଟି ହେବା ନେଇ ସରକାର ଆଶଙ୍କା ପ୍ରକଟ କରୁଥିଲେ। କିନ୍ତୁ ଟ୍ରକ୍‌ ମାଲିକ ମହାସଂଘ ଏପରି ଆଶଙ୍କାକୁ ଖଣ୍ଡନ କରିବା ସହ ରିଲିଫ୍‌ ସାମଗ୍ରୀ ପରିବହନରେ ସହଯୋଗ କରିବେ ବୋଲି କହିଛି। ସମ୍ପାଦକ ଶ୍ରୀ ଶତପଥୀ କହିଛନ୍ତି, ବିିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ଟ୍ରକ୍‌ ମାଲିକମାନଙ୍କ ସହିତ ଆଲେଚନା କରିଛନ୍ତି। ବନ୍ୟା ପୀଡ଼ିତଙ୍କ ପାଖରେ ରିଲିଫ୍‌ ସାମଗ୍ରୀ ପହଞ୍ଚାଇବା ପାଇଁ ଯେତେ ଟ୍ରକ୍‌ ଦରକାର ତାହା ଯୋଗାଇ ଦିଆଯିବ।

ଟ୍ରକ୍‌ ଧର୍ମଘଟରେ ତେଲ ଟ୍ୟାଙ୍କର୍‌ ସାମିଲ୍‌ ହୋଇ ନ ଥିଲେ ମଧ୍ୟ ଆଜି ଚଣ୍ଡିଖୋଲ-ପାରାଦୀପ ରାସ୍ତାରେ ଦୁହୁରିଆ ନିକଟରେ କିଛି ଟ୍ରକ୍‌ ଡ୍ରାଇଭର୍‌ ୩୦/୪୦ଟି ଟ୍ୟାଙ୍କର୍‌କୁ ଅଟକାଇଥିଲେ। ଅବଶ୍ୟ କିଛି ସମୟ ପରେ ଟ୍ୟାଙ୍କର୍‌ଗୁଡ଼ିକୁ ଛାଡ଼ି ଦେଇଥିଲେ। କିନ୍ତୁ ଏହାକୁ ନେଇ ଉତ୍କଳ ପେଟ୍ରୋଲିୟମ୍‌ ଡିଲର ସଂଘ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି। ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍‌ କହିଛନ୍ତି, ଦୁଗ୍ଧ ପରିବହନ କରୁଥିବା ଟ୍ୟାଙ୍କର୍‌ଗୁଡ଼ିକୁ ଅଟକା ଯାଉ ନ ଥିବା ବେଳେ ତେଲ ଟ୍ୟାଙ୍କର୍‌କୁ ଧର୍ମଘଟକାରୀମାନେ ଅଟକାଇବା ଦୁର୍ଭାଗ୍ୟଜନକ। ତେବେ ଟ୍ରକ୍‌ ଧର୍ମଘଟ ଯୋଗୁଁ ଡିଜେଲ୍‌ ବିକ୍ରି ମାନ୍ଦା ହୋଇଯାଇଛି। ରାଜପଥ ପାର୍ଶ୍ୱରେ ଥିବା ପେଟ୍ରୋଲ୍‌ ପମ୍ପ୍‌ଗୁଡ଼ିକରେ ଡିଜେଲ୍‌ ବିକ୍ରି ୪୦% ପାଖାପାଖି କମିଗଲାଣି।

ସୂଚନାଯୋଗ୍ୟ ଯେ ସର୍ବଭାରତୀୟ ମୋଟର ପରିହନ କଂଗ୍ରେସ ପକ୍ଷରୁ ଅନିର୍ଦିଷ୍ଟ କାଳ ପାଇଁ ଧର୍ମଘଟ ଡାକରା ଦିଆଯାଇଛି। କେନ୍ଦ୍ରୀୟ ଏବଂ ରାଜ୍ୟସ୍ତରୀୟ ଟିକସ ହ୍ରାସ କରିବା, ଟୋଲ୍‌ ଶୁଳ୍କ ଉଚ୍ଛେଦ, ଡିଜେଲକୁ ଜିଏସ୍‌ଟି ପରିସରକୁ ଆଣିବା, ତୃତୀୟ ପକ୍ଷ ବୀମା ପ୍ରିମିୟମ ହ୍ରାସ କରିବା ଏବଂ ଏହି ବୀମା ପ୍ରି୍ରିମିୟମ ଉପରୁ ଜିଏସ୍‌ଟି ଛାଡ଼ କରିବା ପାଇଁ ଟ୍ରକ୍‌ ପରିବହନକାରୀମାନେ ଦାବି କରୁଛନ୍ତି।

ସମ୍ବନ୍ଧିତ ଖବର