୨୦ରୁ ସର୍ବ ଭାରତୀୟ ଟ୍ରକ୍‌ ଧର୍ମଘଟ

ନାଲ୍‌କୋନଗର : ତିନି ମାସ ହେଲା ଦୋହରା ଚାଲିଛି ୬ଦଫା ଦାବି। କିନ୍ତୁ କେନ୍ଦ୍ର ସରକାର ଦାବି ପୂରଣ କରିବା ତ ଦୂରର କଥା, ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ବି ଆଗଭର ନୁହଁନ୍ତି। ତେଣୁ ସରକାରଙ୍କୁ ଠିକଣା ଜବାବ୍‌ ଦେବା ପାଇଁ ଓଡ଼ିଶା ରାଜ୍ୟ ଟ୍ରକ୍‌ ମାଲିକ ମହାସଂଘ ଆସନ୍ତା ୨୦ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ କରିବାକୁ ଅଣ୍ଟା ଭିଡ଼ିଛି। ଏନେଇ ଆଜି ଅନୁଗୁଳ ଜିଲ୍ଲା ନାଲ୍‌କୋନଗର ସ୍ଥିତ ଏନ୍‌ଇଏସ୍‌ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି। ଅଖିଳ ଭାରତ ମୋଟର ପରିବହନ କଂଗ୍ରେସ ପକ୍ଷରୁ ଆସନ୍ତା ୨୦ତାରିଖରୁ ଦିଆଯାଇଥିବା ଧର୍ମଘଟ ଡାକରାକୁ ଓଡ଼ିଶା ରାଜ୍ୟ ଟ୍ରକ୍‌ ମାଲିକ ମହାସଂଘ ସମ୍ମତି ଦେଇଛି ବୋଲି ସଂଗଠନର ସର୍ବଭାରତୀୟ ସଭାପତି ଏସ୍‌. କେ. ମିତ୍ତଲ ସୂଚନା ଦେଇଥିଲେ। ସକାଳ ୬ଟାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ଧର୍ମଘଟ ଚାଲିବ ବୋଲି ସେ କହିଥିଲେ।

ସଂଘ କର୍ମକର୍ତାଙ୍କ କହିବା ଅନୁସାରେ, ସାରା ଭାରତ ବର୍ଷରେ ପେଟ୍ରୋଲ୍‌ ଡିଜେଲ୍‌ ଦର ହ୍ରାସ କରିବା, ଏହାକୁ ଜିଏସ୍‌ଟି ଅନ୍ତର୍ଭୂକ୍ତ କରିବା, ଜାତୀୟ ରାଜପଥ ଉପରୁ ଟୋଲ୍‌ଗେଟ୍‌ ଉଠାଇ ଟୋଲ୍‌ ପର୍‌ମିଟ ମାଧ୍ୟମରେ ଟୋଲ୍‌ ଆଦାୟ କରିବା, ବୀମା ପ୍ରିମିୟମ୍‌ ପ୍ରତିବର୍ଷ ଅହେତୁକ ବୃଦ୍ଧି ଯୋଗୁ ଟ୍ରକ୍‌ ମାଲିକମାନେ ଟ୍ରକ୍‌ଗୁଡ଼ିକର ବୀମା କରି ପାରୁ ନାହାନ୍ତି। ଟ୍ରକ୍‌ ଦୁର୍ଘଟଣାଗସ୍ତ ହେଲେ କ୍ଷତିପୂରଣ ନ ପାଇ କ୍ଷତିଗସ୍ତ ହେଉଛନ୍ତି। ତେଣୁ ବୀମା ପ୍ରିମିୟମ୍‌କୁ ଜିଏସ୍‌ଟିମୁକ୍ତ କରିବା ସହିତ ଏଜେଣ୍ଟ୍‌ମାନଙ୍କ କମିସନ କମ୍‌ କରିବା, ଟିଡିଏସ୍‌ ଆଦାୟ ବନ୍ଦ କରିବା, ବସ୍‌କୁ ଜାତୀୟ ପରମିଟ୍‌ ଦେବା, ବନ୍ଦରମାନଙ୍କରେ ସିଧାସଳଖ ମାଲ୍‌ ପରିବହନ ବ୍ୟବସ୍ଥାର ସରଳୀକରଣ କରିବାକୁ ସଂଘ ପକ୍ଷରୁ ଦାବି ହୋଇ ଆସୁଛି। କିନ୍ତୁ ଦାବିକୁ ସରକାର ଶୁଣୁ ନ ଥିବାରୁ ଧର୍ମଘଟ ଭଳି ପଦକ୍ଷେପ ନେବାକୁ ଆମେ ବାଧ୍ୟ ହେଉଛୁ ବୋଲି ସଂଘ କର୍ମକର୍ତାମାନେ କହିଛନ୍ତି। ଏହା ଦ୍ୱାରା ସିଧାସଳଖ ୧୫କୋଟି ଲୋକ ପ୍ରଭାବିତ ହେବେ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ଆଜିର ସାମ୍ବାଦିକ ସମ୍ମିଳନୀରେ ସଂଘର ସର୍ବଭାରତୀୟ ଅଧ୍ୟକ୍ଷ କୁଲ୍‌ତରନ୍‌ ସିଂ, ଉପ ସଭାପତି ହରିତ୍‌ ସବରଓ୍ଵାଲ, ପୂର୍ବତନ ସଭାପତି ଜି. ଆର୍‌. ସେନ୍‌ଗୋପା, ରାଜ୍ୟ ଟ୍ରକ୍‌ ମାଲିକ ମହାସଂଘ ସଭାପତି ବିଭୂତି ପ୍ରସାଦ ଦାସ, ସାଧାରଣ ସମ୍ପାଦକ ରବି ଶତପଥୀ, ଉପ ସଭାପତି ଦିଲୀପ କୁମାର ପାଣି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର