ଜେଲରେ ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ

ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା

0 28

କଟକ/ସାଲେପୁର: ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୁକ୍ତ ମହମ୍ମଦ ମୁସାକ୍‌ ଆଜି ଶିଶୁଆ ଜେଲରେ ଆତ୍ମହତ୍ୟା ଉଦ୍ୟମ କରିିଛି। ଘଟଣା ସଂପର୍କରେ ଖବର ପାଇ ସାଲେପୁର ଥାନା ପୁଲିସ ଜେଲ୍‌ରେ ପହଞ୍ଚି ତଦନ୍ତ କରିବା ସହ ଅଭିଯୁକ୍ତ ବିରୋଧରେ ପୁଣି ଏକ ମାମଲା ରୁଜୁ କରିଛି। ପାଇଖାନା ଭିତରେ ବେକରେ ଗାମୁଛା ଲଗାଇ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା କୁହାଯାଉଛି।
ସାଲେପୁର ଏସ୍‌ଡିପିଓ ପ୍ରଦ୍ୟୁମ୍ନ ଜେନା ଏହି ଘଟଣାକୁ ସ୍ୱୀକାର କରିବା ସହ ଘଟଣାର ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି। ଏପ୍ରିଲ ୨୧ ତାରିଖ ରାତିରେ ସାଲେପୁର ଥାନା ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ୍‌ ଫୋଗଳ ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ୬ ବର୍ଷର ଶିଶୁକନ୍ୟା ଘରୁ ଚକ୍‌ଲେଟ କିଣିବାକୁ ଯାଇଥିଲା। ସେହି ସମୟରେ ପାଓ୍ଵାର କଟ୍‌ ହୋଇଥିବାରୁ ଅନ୍ଧାରରେ ଏହାର ସୁଯୋଗ ନେଇ ପଡିଶା ଘରର ଯୁବକ ମହମ୍ମଦ ମୁସାକ୍‌ ଶିଶୁକନ୍ୟାକୁ ଚକ୍‌ଲେଟ୍‌ କିଣାଇ ଦେବାର ପ୍ରଲୋଭନ ଦେଖାଇ ସ୍କୁଲ ଘରକୁ ଟେକିନେଇ ଦୁଷ୍କର୍ମ କରିବା ସହ ତଣ୍ଟି ଚିପି ମୁଣ୍ଡକୁ ସ୍କୁଲର ଗ୍ରୀଲରେ ପିଟିଦେଇ ଫେରାର ହୋଇ ଯାଇଥିଲା। ପୀଡିତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ବଡମେଡିକାଲରେ ଚିକିତ୍ସା କରାଯାଇଥିବା ବେଳେ ଗଲା ୨୯ ତାରିଖରେ ତା’ର ମୃତ୍ୟୁ ଘଟିଥିଲା। ଘଟଣା ପର ଦିନ ଅଭିଯୁକ୍ତ ମହମ୍ମଦ ମୁସାକ୍‌କୁ ଗିରଫ କରି ଶିଶୁଆ ଜେଲରେ ରଖାଯାଇଥିଲା। ଅଧ୍ୟାଦେଶ ଜରିଆରେ ଆସିଥିବା ନୂଆ ଆଇନରେ ଏହାକୁ ରାଜ୍ୟର ପ୍ରଥମ ମାମଲା ଭାବେ ଗ୍ରହଣ କରାଯାଇଛି। ମାମଲାକୁ ରେଡ୍‌ ଫ୍ଲାଗ୍‌ ମାନ୍ୟତା ଦିଆଯାଇଛି। ଏଭଳି ସ୍ଥିତିରେ ଅଭିଯୁକ୍ତ ଜେଲ୍‌ ଭିତରେ ଆତ୍ମହତ୍ୟା ଉଦ୍ୟମ କରି ଆଉ ଏକ ମାମଲାରେ ଛନ୍ଦି ହୋଇଯାଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.