କଳ୍ପନାଙ୍କ ପାର୍ଥିବ ଶରୀର ଆଣିବାକୁ ପ୍ରୟାସ

ଭୁବନେଶ୍ବର : ଅପ୍ରତ୍ୟାଶିତ ଘଟଣାକ୍ରମରେ ଦ୍ବିତୀୟ ଥର ଏଭେରେଷ୍ଟ୍ ଆରୋହଣ କରିବାର କିଛି ଘଣ୍ଟା ପରେ ବାଲକୋନି ଅଞ୍ଚଳରେ ପ୍ରାଣ ହରାଇଥିବା ରାଜ୍ୟର ସର୍ବପ୍ରଥମ ଏଭେରେଷ୍ଟର୍‌ କଳ୍ପନା ଦାଶଙ୍କ ପାର୍ଥିବ ଶରୀରକୁ ଓଡ଼ିଶା ଫେରାଇ ଆଣିବା ଲାଗି ପ୍ରୟାସ ଆରମ୍ଭ ହୋଇଛି। ଓଡ଼ିଶା ସରକାର ଏବଂ କେନ୍ଦ୍ର ସରକାର ଏଥି ପ୍ରତି ତତ୍ପରତା ଦେଖାଇଛନ୍ତି। କଳ୍ପନାଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। କଳ୍ପନା ଓଡ଼ିଶାର ଯୁବ ତଥା ମହିଳାମାନଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟ କ୍ରୀଡ଼ା ଓ ଯୁବସେବା ସଚିବ ବିଶାଲ କୁମାର ଦେବ ମଧ୍ୟ କଳ୍ପନାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ଜଣେ ଉତ୍କୃଷ୍ଟ ପର୍ବାତାରୋହୀ ଭାବେ କଳ୍ପନା ରାଜ୍ୟ ପାଇଁ ବହୁ ଗୌରବ ଆଣି ଦେଇଥିଲେ। ରାଜ୍ୟ ସରକାର ତାଙ୍କ ପାର୍ଥିବ ଶରୀରକୁ ଫେରାଇ ଆଣିବା ଲାଗି ସଙ୍କଳ୍ପବଦ୍ଧ ବୋଲି ଶ୍ରୀ ଦେବ ପ୍ରକାଶ କରିଛନ୍ତି। ଏବେ ତାଙ୍କ ମରଶରୀର ଏଭେରେଷ୍ଟ୍‌ର ପାଖାପାଖି ୮,୬୦୦ ମିଟର ଉଚ୍ଚତାରେ ରହିଛି। ତାଙ୍କୁ ଠାବ କରିବା ଏବଂ ଉଦ୍ଧାର କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ କରିବାକୁ ଆମେ କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସକୁ‌ ଲେଖିଛୁ ବୋଲି ଶ୍ରୀ ଦେବ ଜଣାଇଛନ୍ତି। ଚଳିତ ବର୍ଷର ଏଭେରେଷ୍ଟ୍ ଋତୁ ମାତ୍ର ୩ ଦିନ ରହିଥିବାରୁ ଜରୁରୀକାଳୀନ ଭିତ୍ତିରେ ଏହି କାର୍ଯ୍ୟ ଶେଷ କରିବାକୁ ଅନୁରୋଧ କରାଯାଇଛି। ରାଜ୍ୟ ସରକାର ସମସ୍ତ ଖର୍ଚ ବହନ କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପରେ ଶୁକ୍ରବାର ରାତିରେ ଏକ ୧୦ ଜଣିଆ ସେର୍ପା ଦଳ କଳ୍ପନାଙ୍କ ଶବ ଠାବ ଲାଗି ଅଭିଯାନ ଆରମ୍ଭ କରିଛନ୍ତି। ୨୭ ତାରିଖରେ ଏଭେରେଷ୍ଟ ବନ୍ଦ ହେଉଥିବାରୁ ଏହା ପୂର୍ବରୁ ଉଦ୍ଦାର କାର୍ଯ୍ୟ ‌େଶଷ ଲାଗି ତାଙ୍କ ପରିବାରକୁ ଓଡ଼ିଶା ସରକାରଙ୍କ ତରଫରୁ ପ୍ରତିଶ୍ରୁତି ଦିଆଯାଇଛି।

କଳ୍ପନାଙ୍କ ଭଳି ସାହସୀ ଏବଂ ଦୃଢ଼ମନା ମହିଳା ଅନ୍ୟ ପର୍ବତାରୋହୀଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ୨୦୦୪ ଏବଂ ୨୦୦୬ରେ ବିଫଳ ହେବା ପରେ ୨୦୦୮ରେ ନିଜ ତୃତୀୟ ପ୍ରୟାସରେ ଏଭେରେଷ୍ଟ ଆରୋହଣ କରି ନୂଆ ଇତିହାସ ରଚିଥିଲେ। କିନ୍ତୁ ପ୍ରଥମ ଭାରତୀୟ ମହିଳା ଭାବେ ଶାଢ଼ୀ ପରିଧାନ କରି ବିରଳ କୀର୍ତିମାନ କରିବାର କିଛି ଘଣ୍ଟା ପରେ ଗୁରୁବାର ଏଭେରେଷ୍ଟ୍‌ର ବାଲକୋନି ଅଞ୍ଚଳରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ବୟସ ୫୩ ଏବଂ ଅସୁସ୍ଥତା ସତ୍ତ୍ବେ କଳ୍ପନା ନିଜ ଦୃଢ଼ମନା ଚରିତ୍ର ପାଇଁ ଦ୍ବିତୀୟ ଥର ଏଭେରେଷ୍ଟ୍ ଆରୋହଣ କରିବାର ବିରଳ କୀର୍ତିମାନ ପ୍ରତିଷ୍ଠା କରି ସାରିଥିଲେ।

ଅନ୍ୟପକ୍ଷରେ କଳ୍ପନାଙ୍କ ଅକାଳ ବିୟୋଗରେ ଓଡ଼ିଶା କ୍ରୀଡ଼ା ଦୁନିଆ ଶୋକରେ ବୁଡ଼ିଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ସାଂସଦ ପଦ୍ମଶ୍ରୀ ଦିଲ୍ଲୀପ ତିର୍କି, ପୂର୍ବତନ ବିଧାୟକ ଆକାଶ ଦାସ ନାୟକ, ଏଭେରେଷ୍ଟ୍ ବିଜେତା ଗଣେଶ ଚନ୍ଦ୍ର ଜେନା, ଯୋଗାବ୍ୟାସ ଭୋଇ, ବିଶ୍ବକପ୍‌ ବିଜେତା ଦୃଷ୍ଟିହୀନ କ୍ରିକେଟର୍ ମହମ୍ମଦ ଜାଫର ଇକବାଲ୍‌, ଅନ୍ତର୍ଜାତୀୟ ମହିଳା ଫୁଟବଲର୍‌ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। ଓଡ଼ିଶା ନିଜର ପ୍ରଥମ ସାହସୀ ତଥା ଦୁଃସାହସିକ କ୍ରୀଡ଼ାବିତ୍‌ଙ୍କୁ ହରାଇଲା ବୋଲି ଏମାନେ ମତ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର