ଗୁରୁପ୍ରିୟା ସେତୁ ପ୍ରଭାବ : ବିଚ୍ଛିନ୍ନାଞ୍ଚଳରେ ନୂଆକଥା; ନଳକୂପ ଖନନ ଆରମ୍ଭ

ମାଲକାନଗିରି : ଗୁରୁପ୍ରିୟା ସେତୁ ଉଦ୍‌ଘାଟନ ହେବାର ୪ଦିନ ପରେ ବିଚ୍ଛିନ୍ନାଞ୍ଚଳରେ ଆରମ୍ଭ ହୋଇଛି ବିକାଶ ମୂଳକ କାର୍ଯ୍ୟ। ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ପାନୀୟ ଜଳ ସଂକଟ ଦୂର କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ବିଚ୍ଛିନ୍ନାଞ୍ଚଳକୁ ନଳକୂପ ଗାଡି ପହଞ୍ଚି ନଳକୂପ ଖନନ ଆରମ୍ଭ କରିଛି।

ଜିଲ୍ଲା ପ୍ରଶାସନ ତରଫରୁ ପ୍ରଥମ ପର୍ଯ୍ୟାୟରେ ୧୦୦ଟି ନଳକୂପ ଖନନ କରାଯିବ ବୋଲି କୁହାଯାଇଛି। ତେବେ କେବଳ ୯ଟି ଗ୍ରାମକୁ ରାସ୍ତା ରହିଥିବା ବେଳେ ଅନ୍ୟ ଗ୍ରାମ ଗୁଡିକକୁ ରାସ୍ତା ନାହିଁ। ତେଣୁ ଖନନ କାର୍ଯ୍ୟ ବିଳମ୍ବିତ ହେବ ବୋଲି କୁହାଯାଉଛି। ଯେଉଁ ୯ଟି ଗ୍ରାମକୁ ରାସ୍ତା ରହିଛି ସେଠାରେ ୨୪ଟି ନଳକୂପ ଖନନ କରାଯିବ। ଆଗକୁ ରାସ୍ତା ନିର୍ମାଣ କରାଯାଇ ଅନ୍ୟ ଗାଁରେ ନଳକୂପ ଖନନ କରାଯିବ ବୋଲି କୁହାଯାଇଛି। ଆଜି ନଳକୂପ ଖନନ ଗାଡ଼ି ବିଚ୍ଛିନ୍ନାଞ୍ଚଳରେ ପହଞ୍ଚିବା ପରେ ଲୋକେ ପୂଜାର୍ଚ୍ଚନା କରି ସ୍ୱାଗତ କରିଥିଲେ। ବର୍ତ୍ତମାନ ସହିଦ ସପ୍ତାହ ଚାଲିଥିବା ବେଳେ ପ୍ରଶାସନର ଏଭଳି ପଦକ୍ଷେପକୁ ସାଧରଣରେ ସ୍ୱାଗତ କରାଯାଇଛି।

ଗୋଟିଏ ପଟେ ନକ୍ସଲ ସରକାରଙ୍କ ଦ୍ୱାରା ନିର୍ମିତ ଗୁରୁପ୍ରିୟା ସେତୁକୁ ବିରୋଧ କରି ଲୋକଙ୍କୁ ଭୁତାଉ ଥିବାବେଳେ ଅନ୍ୟ ଦିଗରେ ବିକାଶ କ’ଣ ପ୍ରଶାସନ ଦେଖାଇବା ଆରମ୍ଭ କଲାଣି। ଏଥର ନକ୍ସଲ ବିଚ୍ଛିନ୍ନାଞ୍ଚଳକୁ ନିଜ ମୁକ୍ତ ଅଂଚଳ କହିବା ବନ୍ଦ କରିବେ। ଏଠାରୁ ନକ୍ସଲ ହଟିବେ ନଚେତ ଲୋକେ ତାଂକୁ ହଟାଇବେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଆଗକୁ ରାସ୍ତା ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନ ଜୋରସୋରରେ ଉଦ୍ୟମ ଜାରି ରଖିଛି। ୧୫୧ଟି ଗ୍ରାମକୁ ରାସ୍ତା ସଂଯୋଗ କରିବ। ଏଥିପାଇଁ ପୋଲିସ ଏବଂ ବିଏସଏଫ ତରଫରୁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର