୪ ମାସ ପାଇଁ ଛୁଟି ମାଗିଲେ ତୁହିନ ପାଣ୍ଡେ

କେନ୍ଦ୍ରୀୟ ଡେପୁଟେସନ୍ ପାଇଁ ଅନୁମତି ମାଗିଥିଲେ, ଅକଳରେ ସରକାର

ଭୁବନେଶ୍ବର : କେନ୍ଦ୍ରୀୟ ଡେପୁଟେସନରେ ଯିବା ଲାଗି ରାଜ୍ୟ ସରକାରଙ୍କ ଅନୁମତି ଲୋଡିଥିଲେ ଅର୍ଥ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟଶାସନ ସଚିବ ତୁହିନକାନ୍ତ ପାଣ୍ଡେ। ଏହା ଉପରେ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି। ଠିକ୍ ଏମିତି ଏକ ସମୟରେ ଶ୍ରୀ ପାଣ୍ଡେ ରାଜ୍ୟ ସରକାରଙ୍କୁ ଆଉ ଏକ ଝଟକା ଦେଇଛନ୍ତି। ସପ୍ତାହେ କି ମାସେ ନୁେହଁ, ପୂରା ୪ମାସ ଛୁଟି ମାଗିଛନ୍ତି। ଡିସେମ୍ବର ପହିଲାରୁ ଏହି ଛୁଟି ତାଙ୍କୁ ଦେବା ଲାଗି ସେ ନିେବଦନ କରିଛନ୍ତି। ବ୍ୟକ୍ତିଗତ ସମସ୍ୟା ଓ କାରଣ ଦର୍ଶାଇ ସେ ଏହି ଛୁଟି ମାଗିଛନ୍ତି ଓ ଏହା ଜରୁରି ବୋଲି ଦର୍ଶାଇଛନ୍ତି।

ଆଗକୁ କାମଚଳା ବଜେଟ୍ ଆରମ୍ଭ ହେବ। ଆର୍ଥିକ ବର୍ଷ ବି ସରିବ। ସରକାର ନିର୍ବାଚନକୁ ଯିବେ। ଏମିତି ଏକ ଘଡିସନ୍ଧି ମୁହୂର୍ତରେ ଅର୍ଥ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଏଭଳି ପଦକ୍ଷେପ ରାଜ୍ୟ ସରକାରଙ୍କୁ ଅକଳରେ ପକାଇ େଦଇଛି। ପ୍ରଶାସନିକ ମହଲରେ ଚର୍ଚ୍ଚା ହେଉଛି, କେନ୍ଦ୍ରୀୟ ଡେପୁଟେସନକୁ ଅନୁମତି ଦିଆନଯିବାରୁ ଶ୍ରୀ ପାଣ୍ଡେ ଏଭଳି ପଦକ୍ଷେପ ନେଇଛନ୍ତି। ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଶ୍ରୀ ପାେଣ୍ଡ ତାଙ୍କର ବ୍ୟକ୍ତିଗତ ସମସ୍ୟା କଥା ଦର୍ଶାଇ ଛୁଟି ମାଗିଛନ୍ତି। େତଣୁ ଏମିତି ଭାବିବା ଠିକ୍ ନୁେହଁ।

ଉଲ୍ଲେଖଯୋଗ୍ୟ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ୟୁ ଶରତଚନ୍ଦ୍ରନ୍ ଥିବା ବେଳେ ତାଙ୍କୁ ଅତିରିକ୍ତ ମୁଖ୍ୟଶାସନ ସଚିବ ପାହ୍ୟାକୁ ପଦୋନ୍ନତି ଦେବାରେ ବିଳମ୍ବ ନେଇ ଅସନ୍ତୋଷ ଝା଼ଡିଥିଲେ। ସରକାର କୌଣସି ପଦକ୍ଷେପ ନ ନେବାରୁ ଛୁଟିରେ ଯିବାକୁ ଦରଖାସ୍ତ ଦେଇଥିଲେ। ଏନେଇ ‘ସମ୍ବାଦ’ରେ ରିପୋର୍ଟରେ ପ୍ରକାଶ ପାଇବା ପରେ ସେ ସମୟରେ ହଇଚଇ ସୃଷ୍ଟି ହୋଇଥିଲା। ଶ୍ରୀ ଶରତଚନ୍ଦ୍ରନଙ୍କୁ ସରକାର ପଦୋନ୍ନତି ଦେଲେ ସତ, ମାତ୍ର ଏହାର କିଛି ଦିନ ପରେ ସେ ଛାଡି ଚାଲିଯାଇଥିଲେ। ରାଜ୍ୟର ଆର୍ଥିକ ସଂସ୍କାର ପ୍ରକ୍ରିୟାରେ ଶ୍ରୀ ଶରତଚନ୍ଦ୍ରନଙ୍କର ଏକ ବଡ଼ ଭୂମିକା ଥିଲା।

ସମ୍ବନ୍ଧିତ ଖବର