ତୁଳସୀ ଗାର୍ଡେନ୍‌ ପ୍ରୋଜେକ୍ଟ ଠକେଇ : ପରିଚାଳନା ନିର୍ଦ୍ଦେଶକଙ୍କ ବାପାଙ୍କୁ ବାନ୍ଧିଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର : ବହୁଚର୍ଚ୍ଚିତ ତୁଳସୀ ଗାର୍ଡେନ୍‌ ପ୍ରୋଜେକ୍ଟ ଠକେଇ ମାମଲାରେ ବଳଦେବଜିଉ ଇନ୍‌ଫ୍ରାଷ୍ଟ୍ରକଚର ପ୍ରାଇଭେଟ୍‌ ଲିମିଟେଡ୍‌ ପରିଚାଳନ‌ା ନିର୍ଦ୍ଦେଶକ ଦୁର୍ଗାପ୍ରସାଦ ମିଶ୍ରଙ୍କ ବାପା ଗଗନ ବିହାରୀ ମିଶ୍ରଙ୍କୁ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)ଗିରଫ କରିଛି। ତାଙ୍କୁ କଟକ ଓପିଆଇଡି କୋର୍ଟ ଚାଲାଣ କରାଯାଇଛି। ସେଠାରେ ଜାମିନ୍‌ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ହାଜତ୍‌କୁ ପଠାଇ ଦିଆଯାଇଛି। ୨୦୧୮ ମସିହାରେ ଦୁର୍ଗାପ୍ରସାଦଙ୍କୁ ଇଓଡବ୍ଲ୍ୟୁ ଗିରଫ କରିଥିଲା। ସେବେଠାରୁ ସେ ଜେଲ୍‌ରେ ଅଛନ୍ତି।

ସୂଚନା ମୁତାବକ, ସଂସ୍ଥା ଚୌଦ୍ବାର ମଙ୍ଗୁଳିଠାରେ ଆପାର୍ଟମେଣ୍ଟ ତିଆରି କରି ସୁଲଭ ମୂଲ୍ୟରେ ଯୋଗାଇ ଦେବା ପାଇଁ ତୁଳସୀ ଗାର୍ଡେନ୍‌ ପ୍ରୋଜେକ୍ଟ ଆରମ୍ଭ କରିଥିଲା। ଏଥିପାଇଁ ଆଗ୍ରହୀ କ୍ରେତାଙ୍କଠାରୁ ରାଜ୍ୟର କୋଣ ଅନୁକୋଣରୁ ନଗଦ ଟଙ୍କା ସଂଗ୍ରହ କରିଥିଲା। ମୋଟ ୨ଶହ ଲୋକଙ୍କଠାରୁ ପାଖାପାଖି ୫କୋଟି ଟଙ୍କା ସଂଗ୍ରହ କରିବା ପରେ ସଂସ୍ଥା ଅନ୍ତର୍ଧ୍ୟାନ ହୋଇଯାଇଥିଲା। ଠକେଇର ଶିକାର ହୋଇଥିବା ପ୍ରିୟବ୍ରତ ପରିଡ଼ା ନାମକ ଜଣେ ଯୁବକ ଏନେଇ କ୍ରାଇମ୍‌ବ୍ରାଞ୍ଚର ଦ୍ବାରସ୍ଥ ହୋଇଥିଲେ। ତାଙ୍କ ଅଭିଯୋଗକୁ ଆଧାର କରି ଇଓଡବ୍ଲ୍ୟୁ ତଦନ୍ତ କରି ଫେରାର ପରିଚାଳନା ନିର୍ଦ୍ଦେଶକଙ୍କୁ ଗିରଫ କରିଥିଲା। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ଦୁର୍ଗାପ୍ରସାଦ ସଂଗ୍ରହ କରିଥିବା ଅର୍ଥରୁ ୨ କୋଟି ୯୨ ଲକ୍ଷ ଟଙ୍କା ତୁଳସୀ ସ୍ପାଇସେସ୍‌ ଆଣ୍ଡ ଫୁଡ୍‌ସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ରେ ଲଗାଇଥିଲେ। ସେହିଭଳି ୯.୭୭ ଲକ୍ଷ ଟଙ୍କା ତୁଳସୀ ଫ୍ଲୋର୍‌ ମିଲ୍ସକୁ ମଧ୍ୟ ପ୍ରଦାନ କରାଯାଇଥିଲା। ଉଭୟ ସଂସ୍ଥାରେ ଅଭିଯୁକ୍ତ ଦୁର୍ଗାପ୍ରସାଦଙ୍କ ବାପା ଗଗନ ବିହାରୀ ମିଶ୍ର ନିର୍ଦ୍ଦେଶକ ଥିଲେ। ଘର ଦେବା ନାମରେ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଆଦାୟ କରି ବାପ-ପୁଅ ଏଭଳି ଲୁଟ୍‌ କରିଥିବା ଇଓଡବ୍ଲ୍ୟୁ ଜାଣିବା ପରେ ବାପା ଗଗନଙ୍କୁ ଗିରଫ କରିଛି। ତଦନ୍ତ ଚାଲିଛି। ଆଗକୁ ଏଥିରେ ସମ୍ପୃକ୍ତ ଅନ୍ୟମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଇଓଡବ୍ଲ୍ୟୁ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର