ଟିଭି ଅଭିନେତାଙ୍କ ଅଜବ କାଣ୍ଡ : ସୋସିଆଲ୍‌ ମିଡ଼ିଆରେ ଖୋଲିଲେ ପ୍ରେମିକାର ଗୁମର

ନୟାଗଡ଼/ଦଶପଲ୍ଲା : ଟେଲିଭିଜନରେ କାମ କରୁଥିବା ଜଣେ ଅଭିନେତାଙ୍କ ଅଜବ କାଣ୍ଡ ଆଜି ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ଏହି ଅଭିନେତା ଜଣକ ଓଡ଼ିଶାର ଏକ ପ୍ରମୁଖ ଘରୋଇ ଟିଭି ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା ଏକ ରାଜନୈତିକ ବ୍ୟଙ୍ଗଭିତ୍ତିକ କାର୍ଯ୍ୟକ୍ରମରେ ଅଭିନୟ କରୁଛନ୍ତି। ତାଙ୍କ ଘର ନୟାଗଡ଼ ଜିଲ୍ଲାରେ ବୋଲି ଜଣାପଡ଼ିଛି। ଏହି ଅଭିନେତା ଜଣକ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ହତାଶାଭରା ଫଟୋ ଓ ବକ୍ତବ୍ୟ ପୋଷ୍ଟ କରିଥିବା ବେଳେ ତାଙ୍କ ପ୍ରେମିକାଙ୍କ ନାମରେ ଅନେକ ଅଶ୍ଲୀଳ କଥା ଲେଖିଛନ୍ତି। ପ୍ରେମିକା ମଧୁଲିତା (ଛଦ୍ମନାମ)ଙ୍କ ପାଇଁ ସେ ଅନେକ କିଛି ତ୍ୟାଗ କରିଥିଲେ ବି ମଧୁଲିତା ତାଙ୍କୁ ଧୋକ୍କା ଦେଇ ଅନ୍ୟ ଜଣଙ୍କ ସହ ସଂପର୍କରେ ଥିବା ସେ ଉଲ୍ଲେଖ କରିଛନ୍ତି।

ଅଭିନେତା ଜଣକ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଥିବା ଘଟଣାଗୁଡ଼ିକ ଏମିତି। ମଧୁଲିତା ତାଙ୍କ ସହ ସଂପର୍କ ଯୋଡ଼ିବା ପୂର୍ବରୁ ଏକାଧିକ ପୁରୁଷଙ୍କ ସହ ସଂପର୍କରେ ଥିବା ଜାଣି ମଧ୍ୟ ସେ ମଧୁଲିତାଙ୍କୁ ଗ୍ରହଣ କରିଥିଲେ। ଏପରିକି ତାଙ୍କ ପାଇଁ ନିଜ ହାତରୁ ଅନେକ ଟଙ୍କା ଖର୍ଚ୍ଚ କରି ଏକ ଭିଡିଓ ଆଲବମ୍‌ ପ୍ରସ୍ତୁତ କରିଥିଲେ, ଯେଉଁଥିରେ ସେ ମଧୁଲିତାଙ୍କୁ ଲିଡ୍‌ ରୋଲ୍‌ରେ ନେଇଥିଲେ। ଏସବୁ ପରେ ବି ମଧୁଲିତା ତାଙ୍କ ସହ ଛଳନା କଲେ। ସଂପୃକ୍ତ ଅଭିନେତା ମଧୁଲିତାଙ୍କ ଚରିତ୍ର ପ୍ରସଙ୍ଗ ଉଠାଇ ଏଥିରେ ତାଙ୍କ ବାପା ତାଙ୍କୁ ସମର୍ଥନ କରୁଥିବା କଥା ଦୁଃଖର ସହ ଲେଖିଛନ୍ତି। ସବୁବେଳେ ନୂଆ ପ୍ରେମିକ ଯୋଗାଡ଼ କରି ତାଙ୍କଠାରୁ ଆର୍ଥିକ ଫାଇଦା ନେବା ଏବଂ ବାରମ୍ବାର ମଧୁଲିତା ପ୍ରେମିକ ପରିବର୍ତ୍ତନ କରୁଥିବା କଥା ଅଭିନେତା ଜଣକ ପ୍ରକାଶ କରିଛନ୍ତି। ଖାଲି ସେତିକି ନୁହେଁ, ମଧୁଲିତା ଏକ ଜାତୀୟସ୍ତରୀର ସଙ୍ଗୀତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀଙ୍କ ସହ ରାତି କଟାଇଥିଲେ ବୋଲି ସେ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।

ମଡେଲିଂରେ ନାଚୁଥିବା ଜଣେ ଝିଅଠାରୁ ଆଉ କ’ଣ ଅଧିକ ଆଶା କରାଯାଇପାରେ ବୋଲି ଅଭିନେତାଙ୍କ ଜଣକ କ୍ଷୋଭର ସହ ଲେଖିଛନ୍ତି। ନିଜ ପୁରୁଣା ପ୍ରେମିକାର ପ୍ରତିଶୋଧ ନେବାକୁ ଯାଇ ସଂପୃକ୍ତ ଅଭିନେତା ମଧୁଲିତାଙ୍କ ଚରିତ୍ର ପଞ୍ଜିକା ସୋସିଆଲ ମିଡିଆରେ ଭାଇରାଲ୍‌ କରିଥିବା ଦେଖିବାକୁ ମିଳିଛି। ଏପରିକି ତାଙ୍କ ସହ ଆଲବମ୍‌ରେ କରିଥିବା କିଛି ଅନ୍ତରଙ୍ଗ ଦୃଶ୍ୟର ଫଟୋ ମଧ୍ୟ ଏହି ପୋଷ୍ଟ ମଧ୍ୟରେ ରହିଛି। ଏପରି ଝିଅଠାରୁ ଦୁନିଆର ପ୍ରତ୍ୟେକ ପୁଅ ଦୂରେଇ ରହିବାକୁ ଏହି ଅଭିନେତା ଜଣକ ପରାମର୍ଶ ଦେଇଥିବା ବେଳେ ‘‘ଏ ବଦ୍‌ମାସ୍‌ ଝିଅ ପାଇଁ ନିଜ ବାପା, ମା’ଙ୍କ ସ୍ୱପ୍ନ ପୂରଣ କରିପାରିନଥିବା’’ କଥା ଲେଖିଛନ୍ତି। ତେବେ ସୋସିଆଲ ମିଡିଆରେ ଏସବୁ ପୋଷ୍ଟ କରିବାର କିଛି ଘଣ୍ଟା ପରେ ଅଭିନେତା ଜଣଙ୍କ ଆଇନର ପଦକ୍ଷେପ ଭୟରେ ନିଜ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ରୁ ଏହାକୁ ଡିଲିଟ୍‌ କରି ଦେଇଥିବା ଦେଖିବାକୁ ମିଳିଛି। ଅଭିନେତାଙ୍କ ଏଭଳି ଅଜବ କାଣ୍ଡ ଆଜି ଜିଲ୍ଲା ସାରା ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର