କାଳିଆପାଣି : ପିଉସା ଟାଙ୍ଗିଆ ଚୋଟରେ ପୁତୁରା ମୃତ, ଝିଆରୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

୨ ଅଭିଯୁକ୍ତଙ୍କୁ ଜଙ୍ଗଲରୁ ଧରିଲା ପୁଲିସ୍‌

କାଳିଆପାଣି : ଯାଜପୁର ଜିଲ୍ଲା ଟମକା ଥାନା କିଆଝର ପଞ୍ଚାୟତ ଅନ୍ତର୍ଗତ ପାହାଡ଼ ତଳ ଚମ୍ପାଝର ଗାଁରେ ଆଜି ସ୍ପଷ୍ଟ ଦିବାଲୋକରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ପିଉସା ମୋହନ ମହାନ୍ତ(୫୮)ର ଟାଙ୍ଗିଆ ଚୋଟରେ ପୁତୁରା ମନ୍ମଥ ମହାନ୍ତ(୩୦)ର ଶୋଚନୀୟ ମୃତ୍ୟୁ ହୋଇଛି। ଝିଆରୀ ସବିତା(୩୨) ଗୁରୁତର ଆହତ ହୋଇଛି। ମୃତକ ପୁତୁରା ଓ ଆହତ ଝିଆରୀ ସେହି ଗାଁର ଚନ୍ଦ୍ରମଣି ମହାନ୍ତଙ୍କ ସନ୍ତାନ ବୋଲି ସୂଚନା ମିଳିଛି।

ପୁଲିସ ସୂତରୁ ପ୍ରକାଶ ଯେ, ଆଜି ସକାଳ ୮ଟା ସମୟରେ ମନ୍ମଥ ଓ ସବିତା ଘରଠୁ ୨ଶହ ମିଟର ଦୂର ପିଉସା ଘରକୁ ଆସିଥିଲେ। ଉଭୟପକ୍ଷ ମଧ୍ୟରେ କୌଣସି କାରଣରୁ ମନୋମାଳିନ୍ୟ ହେବାରୁ ଦୁହେଁ ଘରକୁ ଫେରିଯାଇଥିଲେ। ସା‌ଢ଼େ ୧୦ଟା ସମୟରେ ପୁଣିଥରେ ଭାଇଭଉଣୀ ପିଉସା ଘରକୁ ଆସିଲା ବେଳେ ଅଭିଯୁକ୍ତ ମୋହନ ଖାଇ ବସିଥିଲା। ପୁରୁଣା କଥାକୁ ନେଇ ପୁଣି କଳିଗୋଳ ଆରମ୍ଭ ହୋଇଥିଲା। ଉତ୍ତ୍ୟକ୍ତ ହୋଇ ମୋହନ ଘର ଭିତରୁ ଏକ ଧାରୁଆ ଟାଙ୍ଗିଆ ଆଣି ମନ୍ମଥଙ୍କ ବେକର ବାମପଟକୁ ଚୋଟ ପକାଇଥିଲା। ଏଥିସହ ମୃତକଙ୍କ ଦୁଇ ଜଙ୍ଘକୁ ହାଣିଥିଲା। ଖବର ପାଇ ମୃତକଙ୍କ ମାଆ ମନ୍ଦୋଦରୀ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଅଭିଯୁକ୍ତ ଝିଆରୀକୁ ହାଣିବା ପାଇଁ ଗୋଡ଼ାଉଥିଲା। ଝିଆରୀ ବେକ ପଛଭାଗ ଏକ ଚୋଟ ବାଜିଥିବା ଦେଖିବାକୁ ମିଳିଛି।

ସୂଚନାପାଇ ଥାନା ଅଧିକାରୀ ସଂଘମିତ୍ରା ନାୟକ ଓ ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ମହମ୍ମଦ ସୂରଯ ଘଟଣାସ୍ଥଳରେ ପହଞ୍ଚିଥିଲେ। ମାତ୍ର ଅଭିଯୁକ୍ତ ଦମ୍ପତି ଘର ଛାଡ଼ି ମହାଗିରି ଜଙ୍ଗଲ ଆଡ଼କୁ ଚାଲିଯାଇଥିଲେ। ପୁଲିସ ପ୍ରଥମେ ଆହତ ସବିତାକୁ ଚିକିତ୍ସା ପାଇଁ ପଠାଇବା ପରେ ଅଭିଯୁକ୍ତ ମୋହନ ଓ ତା’ ସ୍ତ୍ରୀକୁ ଜଙ୍ଗଲ ଓ ପାହାଡ଼ି ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଗିରଫ କରିଛି।

ପୁଲିସ ଅଭିଯୁକ୍ତ ମୋହନ ପାଖରୁ ହତ୍ୟାରେ ବ୍ୟବହୃତ ରକ୍ତଲଗା ଟାଙ୍ଗିଆ ଜବତ କରିଛି। ଏ ସଂକ୍ରାନ୍ତରେ ଭାରତୀୟ ଆଚାର ସଂହିତାର ଧାରା ୩୦୨ ଓ ୩୦୭/୩୪ ଆଧାରରେ ଥାନାରେ ଏକ କେସ୍ ୨୬/୨୦୨୦ ରୁଜୁ ହୋଇଛି।

ଅନ୍ୟପକ୍ଷରେ, ଘଟଣାକୁ କେନ୍ଦ୍ରକରି ସମଗ୍ର ଗାଁ ଓ ଆଖପାଖ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ହେଉଛି।

ସମ୍ବନ୍ଧିତ ଖବର