ସୁସ୍ଥ ହୋଇ ଫେରିଲେ କଳାହାଣ୍ଡି, ଗଞ୍ଜାମର ଦୁଇ ଏସିଡ୍‌ ପୀଡ଼ିତା

କଟକ : ଏସିଡ୍‌ ମାଡରେ ଗୁରୁତର ଅବସ୍ଥାରେ ଏସ୍‌ସିବି ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗରେ ଚିକିତ୍ସିତ ହେଉଥିବା ଗଞ୍ଜାମର ପାରାମେଡିକାଲ ଛାତ୍ରୀ ମିନତୀ ପ୍ରଧାନ ଓ କଳାହାଣ୍ଡିର ଦମୟନ୍ତୀ ବିହାରୀ ଆଜି ଘରକୁ ଫେରିଛନ୍ତି। ଏଥିପାଇଁ ଆଜି ବିଭାଗର ସେମିନାର ହଲରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସିଭିଲ କୋର୍ଟ ରେଜିଷ୍ଟ୍ରାର ବିଭୁ ପ୍ରସାଦ ପଣ୍ଡା, ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଗାର୍ଗୀ ପଟ୍ଟନାଏକ, ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ପ୍ରସନ୍ନ କୁମାର ଦେବତା, ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗର ପ୍ରଫେସର ଅରୁଣ ଚୌଧୁରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନର ଇଂଜିନିୟର ଟି.ଏନ୍‌. ପଣ୍ଡା, ସମାଜସେବୀ ନମ୍ରତା ଚଢା, ଲିଙ୍କନ ସୁବୁଦ୍ଧି, ପାରା ଲିଗାଲ୍‌ ଭଲ୍ୟୁଣ୍ଟିୟର ଶର୍ମିଷ୍ଠା ନନ୍ଦ, ବିଭୂତି ରାୟ, ବ୍ରହ୍ମପୁରର ପାରାଲିଗାଲ୍‌ ଭଲ୍ୟୁଣ୍ଟିୟର ଅଳକା ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଦୁଇ ଯୁବତୀଙ୍କ ସାହସର ପ୍ରଶଂସା କରିଥିଲେ।

କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ଖଣ୍ଡିରଙ୍ଗିଗୁଡା ଗ୍ରାମର ଦମୟନ୍ତୀ ବିହାରୀ ନିଜ ପ୍ରତିକ୍ରିୟାରେ ଦମୟନ୍ତୀ କହିଛନ୍ତି ଯେ ସବୁପ୍ରକାର ପରିସ୍ଥିତିକୁ ସମ୍ମୁଖୀନ କରିବା ପାଇଁ ମୁଁ ଏବେ ପ୍ରସ୍ତୁତ। କମ୍ପୁଟର କୋର୍ସ ସାରିଛି। ଏବେ ଚାକିରି କରିବି। ଧମକ ମିଳୁଥିବାରୁ ଗାଁକୁ ଯିବାକୁ ମନରେ କିଛିଟା ଭୟ ଲାଗୁଛି। କିନ୍ତୁ ମୋ ସହିତ ସମସ୍ତେ ଅଛନ୍ତି ବୋଲି ଭାବୁଛି। କିନ୍ତୁ ଦମୟନ୍ତୀଙ୍କୁ ଯଦି କିଏ ଧମକ ଦିଏ, କି କୌଣସି ଅସୁବିଧା କରେ ତେବେ ତୁରନ୍ତ ଆଇନସେବା ପ୍ରାଧିକରଣ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ରେଜିଷ୍ଟ୍ରାର ବିଭୁ ପ୍ରସାଦ ପଣ୍ଡା କହିଛନ୍ତି।

ସେହିଭଳି ବିବାହର ମାତ୍ର କିଛି ମାସ ପରେ ବ୍ରହ୍ମପୁର ମେଡିକାଲର ଡ଼ିଏମ୍‌ଏଲ୍‌ଟି ଛାତ୍ରୀ ମିନତୀ ପ୍ରଧାନ ସ୍ୱାମୀର ଏସିଡ୍‌ ମାଡରେ ଗୁରୁତର ହୋଇଥିଲେ। ସେ ପ୍ରଥମେ ପାଠ ପଢା ଶେଷ କରିବାକୁ ଧ୍ୟାନ ଦେବେ ବୋଲି ମୀନତି ନିଜ ପ୍ରତିକ୍ରିୟାରେ କହିଛନ୍ତି।

ସମ୍ବନ୍ଧିତ ଖବର