ଝାରସୁଗୁଡ଼ା : ଗୁଣ ସାଗର ହତ୍ୟାକାଣ୍ଡର ୨ ହତ୍ୟାକାରୀଙ୍କୁ ଗିରଫ କଲା ପୁଲିସ

ଝାରସୁଗୁଡ଼ା : ଗତ ୬ ତାରିଖ ଦିନ ଝାରସୁଗୁଡ଼ା ଥାନା ଅନ୍ତର୍ଗତ ତିହାଡ଼ିପାଲି ନିକଟରେ ଘଟିଥିବା ଏକ ହତ୍ୟାକାଣ୍ଡର ଦୁଇ ଆସାମୀଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ନେଇ ପୁଲିସ ସୂଚନା ଦେଇଛି। ଆଜି ଏସ୍ଡ଼ିପିଓ କୈଳାଶ ଆଚାର୍ଯ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ହତ୍ୟାକାଣ୍ଡ ସଂପର୍କରେ ବିସ୍ତୃ୍ତ ବିବରଣୀ ପ୍ରଦାନ କରିଥିଲେ। ଗତ ୭ ତାରିଖ ଦିନ ସକାଳେ ତହାଡ଼ିପାଲି ଗ୍ରାମର ବିଭିଷଣ ଦାସ ନାମକ ଜଣେ ବ୍ୟକ୍ତି ତାଙ୍କ ଭାଇ ଗୁଣସାଗର ଦାସ (୪୮) ନିଖୋଜ ଥିବା ନେଇ ପୁଲିସରେ ରିପୋର୍ଟ ଦାଖଲ କରିଥିଲେ। ଗୁଣ ସାଗର ସାରସମାଲ ଠାରେ ଅନୁଷ୍ଠିତ ହେଉଥିବା କରମା ପୂଜା ଦେଖିବାକୁ ବାହାରିଥିବା ବେଳେ ଆଉ ଘରକୁ ଫେରିନଥିବା ତାଙ୍କ ଭାଇ ପୁଲିସକୁ ସୂଚନା ଦେଇଥିଲେ। ଏହାର କିଛି ସମୟ ପରେ ଗାଁ ନିକଟରେ ଥିବା ଦୁର୍ଗା ରାଇସ ମିଲ ନିକଟରେ ଏକ ରକ୍ତାକ୍ତ ମୃତ ଦେହ ପଡ଼ିଥିବା ନେଇ ଖବର ମିଳବା ପରେ ପୁଲିସ ସେଠାରେ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କୁଆଡ଼ ସହାୟତାରେ ତଦନ୍ତ ଆରମ୍ଭ କରିଥିଲା। ମୃତ ବ୍ୟକ୍ତି ଜଣକ ଗୁଣସାଗର ବୋଲି ତାଙ୍କ ଭାଇ ଚିହ୍ନଟ କରିବା ପରେ ପୁଲିସ ଏକ ହତ୍ୟା ମାମଲା ଦାୟାର କରିଥିଲା। ଗୁଣ ସାଗରଙ୍କ ବେକକୁ କାଟି ଦିଆଯାଇଥିବା ବେଳେ ବୋତଲରେ ତାଙ୍କ ପେଟକୁ ଭୁସି ଦିଆଯାଇ ହତ୍ୟା କରାଯାଇଥିବା ପୁଲିସ ରିପୋର୍ଟରେ ଉଲ୍ଳେଖ କରାଯାଇଥିଲା। ତେବେ ମୃତ ଦେହ ପାଖରେ ହତ୍ୟାକାରୀର ଏକ ଚପଲ ପଡ଼ିଥିବାରୁ ଏହାକୁ ନେଇ ପୁଲିସ ହତ୍ୟାକାରୀଙ୍କ ପାଖରେ ପହଞ୍ଚିବାରେ ସଫଳ ହୋଇଥିବା କହିଛି।

ମୃତ ଗୁଣସାଗର ଓ ତାଙ୍କ ସହିତ କହ୍ନେଇଜୋର ଖମାଢ଼ିପା ଗ୍ରାମର ଜଗନ୍ନାଥ ଧରୁଆ (୩୫) ପୂର୍ବରୁ ଖମାଢ଼ିପା ଠାରେ ଏକ ନିର୍ମାଣାଧିନ ପୋଖରୀ ଓ ବ୍ରିଜ ସ୍ଥଳରେ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରୁଥିଲେ। ତେବେ ସେହି ଦିନରୁ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ଗଣ୍ଡଗୋଳ ଲାଗି ରହିଥିଲା। ମଝିରେ ମଝିରେ ମଧ୍ୟ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହେଉଥିବା ପୁଲିସ କହିଛି। ଘଟଣା ଦିନ ଜଗନ୍ନାଥ ଓ ସାରସମାଲ କଲୋନୀ ଠାରେ ରହୁଥିବା ଚକ୍ରଧରପୁରର ଚନ୍ଦ୍ର ମୋହନ କୁଜୁର( ୩୬) ସହିତ ଗୁଣ ସାଗରକୁ ହତ୍ୟା କରିବାକୁ ଯୋଜନା କରିଥିଲେ। ସେହି ଦିନ ରାତି ୮ ରୁ ସାଢ଼େ ୮ ଟା ମଧ୍ୟରେ ଗୁଣ ସାଗର ସାଇକେଲରେ ଫେରୁଥିବା ବେଳେ ହତ୍ୟାକରୀ ଦ୍ବୟ ତାକୁ ଅଟକାଇ ପ୍ରଥମେ ଯୁକ୍ତି ତର୍କ ହୋଇଥିଲେ । ପରେ ହାତାହାତି ହେବା ପରେ ଜଗନ୍ନାଥ ଏକ ଭଙ୍ଗା ବିୟର ବୋତଲରେ ଗୁଣ ସାଗରର ପେଟକୁ ଭୁସି ଦେଇଥିବା ବେଳେ ଚନ୍ଦ୍ର ମୋହନ ଧରିଥିବା ଏକ ଚକୁରେ ତାଙ୍କ ତଣ୍ଟି କାଟି ଦେଇଥିଲେ। ଗୁଣ ସାଗର ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିବା ପରେ ଉଭୟେ ସେଠାରୁ ଫେରାର ହୋଇ ଯାଇଥିଲେ। ଆଜି ପୁଲିସ ଉଭୟ ହତ୍ୟାକାରୀ ଜଗନ୍ନାଥ ଓ ଚନ୍ଦ୍ର ମୋହନକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ମାନେ ହତ୍ୟା କରିଥିବା ନେଇ ସ୍ବୀକାର କରିଥିବା ବେଳେ ଗୁଣସାଗର ମଦ୍ୟପାନ କରି ଗାଁରେ ଅତ୍ୟାଚାର କରୁଥିବାରୁ ତାକୁ ସେମାନେ ହତ୍ୟା କରିଥିବା କହିଛନ୍ତି। ଜଗନ୍ନାଥ ନାମରେ ପୂର୍ବରୁ ଅନେକ ଅପରାଧିକ ମାମଲା ଥିବା ପୁଲିସ କହିଛି। ଏସ୍ପି ଅଶ୍ବିନୀ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଏହି ତଦନ୍ତ ପ୍ରକ୍ରିୟାରେ ଏସ୍ଡ଼ିପିଓ ଶ୍ରୀ ଆଚାର୍ଯ୍ୟ, ଆଇଆଇସି ସାବିତ୍ରୀ ବଳ, ଅତିରିକ୍ତ ଆଇଆଇସି ଏସ୍.କେ. ଭଇଁସାଲ, ଏସ୍ଆଇ ପି.କେ. ସ୍ବାଇଁ, ଏସ୍ଆଇ ଏମ୍.ପାଣିଗ୍ରାହୀ ସାମିଲ ଥିଲେ।

ସମ୍ବନ୍ଧିତ ଖବର