ଅଲୋଡ଼ା ଜୀବନ! : ବୁଦାରୁ ମିଳିଲେ ୨ ଶିଶୁ

ଧର୍ମଶାଳା : ପୁତ୍ର ହେଉ କି କନ୍ୟା, ଅନେକ ସମୟରେ ଅଣଦେଖା ପରିସ୍ଥିତି ଶିଶୁଙ୍କୁ ଅଲୋଡ଼ା କରିଦେଉଛି। ସେମିତି ଅଲୋଡ଼ା ୨ ଶିଶୁଙ୍କୁ ଯାଜପୁର ଧର୍ମଶାଳା ଓ ଗଞ୍ଜାମର ବୁଗୁଡ଼ା ଅଞ୍ଚଳର ବୁଦାମୂଳୁ ଉଦ୍ଧାର କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଧର୍ମଶାଳା ଅନ୍ତର୍ଗତ ସାଲେପୁର ଗାଁର ଏକ କଳମ ବୁଦା ମୂଳେ ଆଜି ସକାଳେ ଏକ ଶିଶୁର କୁଅାଁକୁଅାଁ ରାବ ଶୁଣିବାକୁ ମିଳିଥିଲା। ଏହି ଖବର ବିଜୁଳି ବେଗରେ ପ୍ରସାରିତ ହୋଇଯାଇଥିଲା। ଜିଲ୍ଲା ଶିଶୁ ସୁରକ୍ଷା ସମିତିର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୁମୂର୍ଷୁ ଶିଶୁଟିକୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଶିଶୁଟି ସୁସ୍ଥ ଥିବା ଜଣାପଡ଼ିଛି। ସେହିଭଳି, ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅଧୀନ ସୋରଡ଼ ଗ୍ରାମ ନିକଟ ରାସ୍ତାକଡ଼ ବୁଦାମୂଳରୁ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଥିଲା। ପରେ ଶିଶୁଟିକୁ ବେଲଗୁଣ୍ଠା ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ଅବସ୍ଥାରେ କୌଣସି ଉନ୍ନତି ନ ଆସିବାରୁ ଶିଶୁଟିକୁ ଭଂଜନଗର ଉପଖଣ୍ଡ ଡାକ୍ତରଖାନା ନିଆଯାଉଥିବା ବେଳେ ତା’ର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଦୁଇଟି ଘଟଣା ସମ୍ପୃକ୍ତ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର