ଅଲୋଡ଼ା ହେଲେ ୨ଶିଶୁ କନ୍ୟା, ଷ୍ଟେସନ ଶୌଚାଳୟରୁ ଉଦ୍ଧାର

ବଲାଙ୍ଗୀର : ବଲାଙ୍ଗୀର ରେଳ ଷ୍ଟେସନ ୧ ନମ୍ବର ପ୍ଲାଟ ଫର୍ମ ନିକଟରେ ଥିବା ଶୌଚାଳୟରୁ ଆଜି ୨ ଜଣ ନବଜାତ ଶିଶୁକନ୍ୟାଙ୍କୁ ଉଦ୍ଧାର କରାଯାଇଛି। ଶିଶୁ କନ୍ୟା ଦୁଇଜଣ ଜାଆଁଳା ହୋଇଥିବାବେଳେ ଛିଟ ନୀଳ ରଙ୍ଗର ଡ୍ରେସ, ଗୋଲାପୀ ରଙ୍ଗର କ୍ୟାପ୍‌ ପିନ୍ଧିଥିଲେ। ପୁଲିସ୍‌ ଓ ଚାଇଲ୍ଡଲାଇନ୍‌ କର୍ମଚାରୀ ପହଞ୍ଚି ଶିଶୁକନ୍ୟାଙ୍କୁ ପୋଷ୍ୟ ଶିଶୁକେନ୍ଦ୍ରରେ ଛାଡ଼ିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, କପିଳେଶ୍ୱର କୁମ୍ଭାର ନାମକ ଜଣେ ବ୍ୟକ୍ତି ପ୍ରଥମେ ୨ ଜଣ ଶିଶୁଙ୍କ କାନ୍ଦଣା ଶୁଣିଥିଲେ। ପରିସ୍ରାଗାର ଭିତରେ କେମିତି ଶିଶୁଙ୍କ କାନ୍ଦ ଆସୁଛି, ତାହା ଜାଣିବାକୁ ଚାହିଁଥିଲେ। ଶିଶୁମାନଙ୍କୁ ଗୁରୁତର ଅବସ୍ଥାରେ ଦେଖିବା ପରେ ତାଙ୍କ ଭଳି ଅନେକ ଲୋକଙ୍କ ଆଖିରେ ଲୁହ ଆସି ଯାଇଥିଲା। ଜଣେ ଶିଶୁ କନ୍ୟା ନିରବ ଥିବାବେଳେ ଅନ୍ୟଜଣେ ଶିଶୁ କନ୍ୟା କାନ୍ଦୁଥିଲା। ରେଳବାଇ ପୁଲିସ ଓଚାଇଲ୍‌ଡ ଲାଇନ୍‌ କର୍ମୀଙ୍କୁ ଘଟଣା ସଂପର୍କରେ ସୂଚନା ଦିଆଯାଇଥିଲା। ସେଠାରେ ଚାଇଲ୍‌ଡ ଲାଇନ୍‌ କର୍ମଚାରୀ ପହଞ୍ଚି ଦୁଇ ଶିଶୁ କନ୍ୟାଙ୍କୁ ଉଦ୍ଧାର କରିଥିଲେ। ଶିଶୁ କନ୍ୟା ଦୁଇଟି ଜାଆଁଳା ହୋଇଥିବା ବେଳେ ଛିଟ ନୀଳ ରଙ୍ଗର ଡ୍ରେସ, ଗୋଲାପୀ ରଙ୍ଗର କ୍ୟାପ୍‌ ପିନ୍ଧା ଯାଇଥିଲା। ବ୍ୟାଗ ଭିତରେ ଏକ ଶାଢ଼ୀ ବି ରହିଥିଲା। ସାଧାରଣ ପରିବାରର ଶିଶୁ ଭଳି ସେମାନେ ଦିଶୁ ନଥିଲେ। କେତେବେଳେ ଓ କିଏ ଏ ଦୁଇ ଶିଶୁ କନ୍ୟାଙ୍କୁ ଛାଡ଼ିଲେ ତାହା ଜଣାପଡ଼ି ନାହିଁ। ଅନ୍ୟପଟେ, ଚାଇଲ୍‌ଡଲାଇନ୍‌ ଶିଶୁ ଦିଓଟିକୁ ଉଦ୍ଧାର କରି ପୋଷ୍ୟ ଶିଶୁ କେନ୍ଦ୍ରରେ ନେଇ ରଖିଛି। ସେଠାରେ ସେମାନଙ୍କ ନାଁ ସ୍ନେହା ଓ ସ୍ନିଗ୍ଧା ଦିଆଯାଇଛି।

ଦୁଇ ମାସ ଯାଏଁ ଏହି ଶିଶୁ କନ୍ୟାଙ୍କୁ ପୋଷ୍ୟକେନ୍ଦ୍ରରେ ରଖାଯିବ। ଏହି ଦୁଇ ଶିଶୁ କନ୍ୟାଙ୍କ ସଂପର୍କରେ ଉପଯୁକ୍ତ ପ୍ରମାଣ ଦେଲେ, ତା’ହେଲେ ସେମାନଙ୍କୁ ହସ୍ତାନ୍ତର କରାଯିବ। ନହେଲେ ଶିଶୁମାନଙ୍କ ଦାୟିତ୍ୱ ନିଆଯିବ ବୋଲି ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଯୋଗେଶ୍ୱର ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର