ଭୁବନେଶ୍ବର : କରୋନା ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଦୁଇଟି ବୃହତ କୋଭିଡ୍-୧୯ ହସ୍ପିଟାଲ୍ ନିର୍ମାଣ ପାଇଁ ଆଜି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଦୁଇଟି ହସ୍ପିଟାଲ୍ରେ ଏକ ହଜାର ଶଯ୍ୟା ରହିବ। ୧୫ ଦିନରେ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହେବ। ଦେଶରେ ଏହା ସର୍ବବୃହତ କୋଭିଡ୍ ହସ୍ପିଟାଲ୍ ହେବ ବୋଲି କୁହାଯାଉଛି।
ଏହି ଦୁଇଟି ହସ୍ପିଟାଲ ନିର୍ମାଣ ପାଇଁ ଘରୋଇ ମେଡିକାଲ୍ କଲେଜ ସମ୍ ଓ କିମ୍ସ୍ ଆଗେଇ ଆସିଛନ୍ତି। ଏଥିପାଇଁ ଓଏମ୍ସି ଏବଂ ଏମ୍ସିଏଲ୍ ଆର୍ଥିକ ସହଯୋଗ ଯୋଗାଇ ଦେବେ। ହସ୍ପିଟାଲ୍ ନିର୍ମାଣ ନିମନ୍ତେ ଆଜି ଲୋକସେବା ଭବନରେ ତ୍ରିପାକ୍ଷିକ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ପ୍ରଥମ ବୁଝାମଣା ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ଧଳ, ଓଏମ୍ସି ପରିଚାଳନା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା ଓ କିମ୍ସ୍ କର୍ତ୍ତୃପକ୍ଷଙ୍କ ମଧ୍ୟରେ ହୋଇଥିଲା। ଏହି ବୁଝାମଣା ଅନୁଯାୟୀ କିମ୍ସ୍ ୪୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍ ନିର୍ମାଣ କରିବ। ଦ୍ବିତୀୟ ବୁଝାମଣା ସ୍ବାସ୍ଥ୍ୟ ସଚିବ, ଏମ୍ସିଏଲ୍ର ଏସ୍ ଏସ୍ ପଣ୍ଡା ଓ ସମ୍ କର୍ତ୍ତୃପକ୍ଷଙ୍କ ମଧ୍ୟରେ ହୋଇଥିଲା। ଏହି ବୁଝାମଣା ଅନୁଯାୟୀ ସମ୍ ପକ୍ଷରୁ ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍ ନିର୍ମାଣ ହେବ, ଯେଉଁଥିରେ କି ଆଇସିୟୁ ସୁବିଧା ରହିବ। ହସ୍ପିଟାଲ୍ ନିର୍ମାଣ ପାଇଁ ଆଗେଇ ଆସିିଥିବା ସମସ୍ତ ଅଂଶୀଦାରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଥିଲେ। ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ କୋଭିଡ୍-୧୯ ପାଇଁ ଏପରି ସୁବିଧା ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସାଂସଦ ଅଚ୍ୟୁତ ସାମନ୍ତ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଉପଦେଷ୍ଟା ଆର୍ ବାଲକ୍ରିଷ୍ଣନ୍, ଓଏମ୍ସି ଅଧ୍ୟକ୍ଷ ସଞ୍ଜୀବ ଚୋପ୍ରା, ୫-ଟି ସଚିବ ଭି କେ ପାଣ୍ଡିଆନ୍ ଓ ସୋଆ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଅଶୋକ ମହାପାତ୍ର ଉପସ୍ଥିତ ଥିଲେ।
ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ କରୋନା ଏବେ ବିଶ୍ବ ମହାମାରୀର ରୂପ ନେଇଛି। ଖୁବ୍ କମ୍ ସମୟ ମଧ୍ୟରେ ଓଡ଼ିଶା ସମେତ ଭାରତର ଅଧିକାଂଶ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏହା ଆକ୍ରାନ୍ତ କରିଛି। ତେଣୁ କରୋନାର ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ଦୃଢ଼ କରିବାର ଆବଶ୍ୟକତା ରହିଛି। କରୋନା ସନ୍ଦିଗ୍ଧ ଓ ଆକ୍ରାନ୍ତଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସ୍ବତନ୍ତ୍ର ହସ୍ପିଟାଲ୍ର ଆବଶ୍ୟକ। ଏହି ଭାଇରସ୍ ଜନିତ ସ୍ଥିତିର ମୁକାବିଲା ନିମନ୍ତେ ପ୍ରଚଳିତ ବ୍ୟବସ୍ଥା ଯଥେଷ୍ଟ ନୁହେଁ। ଏପରିକି ଇଟାଲି ଓ ଆମେରିକାରେ ଉନ୍ନତମାନର ସ୍ବାସ୍ଥ୍ୟସେବା ଭିତ୍ତିଭୂମି ଥିଲେ ବି କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସେମାନଙ୍କୁ ବହୁ କଷ୍ଟ ସ୍ବୀକାର କରିବାକୁ ପଡ଼ୁଛି। ବିଶ୍ବବ୍ୟାପୀ କରୋନା ଜନିତ ପରିସ୍ଥିତିର ଅଭିଜ୍ଞତାରୁ ଜଣାପଡ଼ିଛି ଯେ କରୋନା ଆକ୍ରାନ୍ତଙ୍କୁ ସାଧାରଣ ହସ୍ପିଟାଲ୍ରେ ନ ରଖି ସ୍ବତନ୍ତ୍ର ହସ୍ପିଟାଲ୍ରେ ନୀରିକ୍ଷଣ ଓ ଚିକିତ୍ସା କରିବାର ଆବଶ୍ୟକତା ରହିଛି। ଏହାଦ୍ବାରା ଭାଇରସ୍ ଅନ୍ୟମାନଙ୍କ ଦେହକୁ ସଂକ୍ରମଣ ହେବାର ଆଶଙ୍କା କମିଯିବ।
ସମ୍ ଓ କିମ୍ସ୍ ପକ୍ଷରୁ ୫୦୦ ଶଯ୍ୟା ବିଶିଷ୍ଟ କରୋନା ହସ୍ପିଟାଲ୍ ନିର୍ମାଣକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ମୁଖ୍ୟମନ୍ତ୍ରୀ ସରକାରୀ ହସ୍ପିଟାଲ୍ର ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ଅଗ୍ରୀମ ବେତନ ବ୍ୟବସ୍ଥା କରିଛନ୍ତି। ସେହିପରି ସମ୍ ଓ କିମ୍ସ୍ର ଡାକ୍ତର, ନର୍ସ ଓ ଅନ୍ୟ ସ୍ବାସ୍ଥ୍ୟ କର୍ମୀଙ୍କୁ ଉତ୍ସାହିତ କରିବା ଲାଗି ତିନି ମାସର ଆଗୁଆ ଦରମା ସହ ସେମାନଙ୍କର ସମସ୍ତ ସ୍ବାସ୍ଥ୍ୟ ସମ୍ପର୍କିତ ଦାୟିତ୍ବ ଓ ନିରାପତ୍ତା ବ୍ୟବସ୍ଥା କରିବା ଦିଗରେ ସରକାର ସହଯୋଗ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।