ଯକ୍ଷ୍ମା ସମ୍ବନ୍ଧୀୟ ରାଉଣ୍ଡଟେବୁଲ : ପ୍ରତିବର୍ଷ ଯକ୍ଷ୍ମାମୁକ୍ତ ହେବ ଦୁଇଟି ବ୍ଲକ୍‌

ଭୁବନେଶ୍ୱର : ଯକ୍ଷ୍ମା ଭଲ ହୋଇପାରିବ। ତେବେ ଏଥିପାଇଁ ଡାକ୍ତରଙ୍କ ଉପଯୁକ୍ତ ପରାମର୍ଶ ଅନୁଯାୟୀ ଚିକିତ୍ସା ହେଲେ ଯକ୍ଷ୍ମା ରୋଗ ଚିକିତ୍ସା ସମ୍ଭବ ବୋଲି କହିଛନ୍ତି ସ୍ୱାସ୍ଥ୍ୟସେବା ନିର୍ଦେଶକ ଡା.ବି.କେ ବ୍ରହ୍ମା। ଆଜି ‘ରିଚ୍‌’ ସଂଗଠନ ପକ୍ଷରୁ ହୋଟେଲ ଏଚ୍‌ଏଚ୍‌ଆଇରେ ଯକ୍ଷ୍ମା ସମ୍ବନ୍ଧୀୟ ରାଉଣ୍ଡଟେବୁଲ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ୱାସ୍ଥ୍ୟସେବା(ଯକ୍ଷ୍ମା)ର ଅତିରିକ୍ତ ନିର୍ଦେଶକ ଡା.ପି.କେ ହୋତା କହିଲେ, ଭାରତରେ ଯକ୍ଷ୍ମା ରୋଗ ଚିନ୍ତାଜନକ। ବିଶ୍ୱରେ ଯେତିକି ସଂଖ୍ୟକ ଯକ୍ଷ୍ମା ରୋଗୀ ଚିହ୍ନଟ ହେଉଛନ୍ତି ତାହାର ୨୫ପ୍ରତିଶତ ଅର୍ଥାତ୍‌ ୨୭ମିଲିଅନ୍‌ ଆକ୍ରାନ୍ତ ହେଉଛନ୍ତି ଭାରତର। ପ୍ରତ୍ୟେକ ବର୍ଷ ୯ଲକ୍ଷ ନୂଆ ଯକ୍ଷ୍ମା ରୋଗୀ ଚିହ୍ନଟ ହେଉଛନ୍ତି। ତେବେ ଏବେ ମଧ୍ୟ ଅଧା ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇପାରି ନାହାନ୍ତି। ୧୯୯୭ ମସିହାରେ ପରିବର୍ତିତ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବା ପରେ ରାଜ୍ୟରେ ୯ଲକ୍ଷ ଯକ୍ଷ୍ମା ରୋଗୀଙ୍କ ଡାଏଗ୍ନୋସିସ୍‌ ହୋଇଥିବା ବେଳେ ତହିଁରୁ ୬ଲକ୍ଷ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ଜିଲ୍ଲା ଓ ବ୍ଲକ୍‌ସ୍ତରରେ ଯକ୍ଷ୍ମା ରୋଗୀଙ୍କ ଡାଏଗ୍ନୋସିସ୍‌ କରାଯାଉଛି। ୩୮ଟି ସ୍ଥାନରେ ସିବି-ନାଟ୍‌ ମେସିନ୍‌ ଲଗାଯାଇଛି। ତେବେ ୨୦୨୫ ସୁଦ୍ଧା ଦେଶରୁ ଯକ୍ଷ୍ମା ନିରାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି। ଏହାକୁ ନଜରରେ ରଖି ପ୍ରତିବର୍ଷ ରାଜ୍ୟର ୨ଟି ବ୍ଲକ୍‌କୁ ଯକ୍ଷ୍ମା ନିରାକରଣ ବ୍ଲକ୍‌ ଭାବେ ଘୋଷଣା ପାଇଁ ଆକ୍ସନ୍‌ ପ୍ଲାନ୍‌ ପ୍ରସ୍ତୁତ ହୋଇଥିବା ଡା.ହୋତା କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ନିର୍ଦେଶକ(ଯକ୍ଷ୍ମା) ଡା.ସୁଶାନ୍ତ ସ୍ୱାଇଁ, ରିଚ୍‌ ପରାମର୍ଶଦାତା ଡା.ଜୟଲକ୍ଷ୍ମୀ ଶ୍ରୀଧର, ସାମାଜିକ କର୍ମୀ ଅନିଲ ଧିର, ଡିଡି ନ୍ୟୁଜ୍‌ ଓଡ଼ିଆର ପ୍ରକାଶ ଦାଶ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଯକ୍ଷ୍ମା ରୋଗରୁ ମୁକୁଳି ପାରିଥିବା ବ୍ୟକ୍ତିମାନେ ନିଜର ଅଭିଜ୍ଞତା ବାଣ୍ଟିଥିଲେ। ରିଚ୍‌ର ଅନିଲ ଜ୍ୟାକବ୍‌, ଲୋପାମୁଦ୍ରା ସାନୟାଲ, ଦେବଜ୍ୟୋତି ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର