ସମୁଦ୍ରରେ ଦୁଇଟି ଡଙ୍ଗା ମଧ୍ୟରେ ଧକ୍କା, ଗୋଟିଏ ଡଙ୍ଗା ଦି’ଫାଳ

ବ୍ରହ୍ମପୁର: ଆଜି ସକାଳେ ଗଞ୍ଜାମ ଜିଲ୍ଲାର ଗୋପାଳପୁରରେ ସମୁଦ୍ରରେ ଦୁଇଟି ଡଙ୍ଗା ମଧ୍ୟରେ ଧକ୍କା ହୋଇଥିବାର ଖବର ମିଳିଛି। ଘନ କୁହୁଡ଼ି ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ତେବେ ଦୁଇଟି ଯାକ ଡଙ୍ଗାରେ ଥିବା ମୋଟ ୧୮ ଜଣ ମତ୍ସଜୀବୀଙ୍କର କୌଣସି କ୍ଷତି ହୋଇ ନଥିବା ଜଣାଯାଇଛି ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ ମତ୍ସ୍ୟଜୀବୀମାନଙ୍କ ମଧ୍ୟରୁ ୪ ଜଣ ସାମାନ୍ୟ ଆହତ ହୋଇଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର୍ ପ୍ରାୟ ୫ଟା ବେଳେ ଗୋପାଳପୁରରେ ଏକ ଡଙ୍ଗାରେ କେତେକ ମତ୍ସ୍ୟଜୀବୀ ମାଛ ଧରିବାକୁ ସମୁଦ୍ର ମଧ୍ୟକୁ ଯାଇଥିଲେ। କିଛି ବାଟ ଗଲା ପରେ ଅପର ଦିଗରୁ ଅନ୍ୟ ଏକ ଡଙ୍ଗା ଗୋପାଳପୁର ସମୁଦ୍ର କୂଳକୁ ଫେରୁଥିଲା। ହେଲେ ଘନ କୁହୁଡ଼ି ଯୋଗୁ ଦୁଇ ଡଙ୍ଗାର ନାବିକମାନେ ପରସ୍ପରକୁ ଦେଖିପାରି ନଥିଲେ। ଫଳରେ ଦୁଇ ଡଙ୍ଗା ମଧ୍ୟରେ ଧକ୍କା ହୋଇଥିଲେ। ଦୁଇଟିଯାକ ଡଙ୍ଗା ଓଲଟି ପଡ଼ିଥିଲା। ଏହାଫଳରେ ଗୋଟିଏ ଡଙ୍ଗା ଦି’ଫାଳ ହୋଇଥିବା ଜଣାଯାଇଛି। ତେବେ ସେଥିରେ ଥିବା ଦଉଡ଼ି ସାହାଯ୍ୟରେ ମତ୍ସ୍ୟଜୀବୀମାନେ ପହଁରି ପହଁରି କୂଳକୁ ଚାଲି ଆସିଥିଲେ।


ଗୋଟିଏ ଡଙ୍ଗାରେ ୧୦ ଜଣ ଓ ଅନ୍ୟଟିରେ ୮ ଜଣ ମତ୍ସ୍ୟଜୀବୀ ଥିବାର ସୂଚନା ମିଳିଛି। ଏହି ଅଘଟଣରେ ଲକ୍ଷାଧିକ ଟଙ୍କାର ଜାଲ ନଷ୍ଟ ହୋଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର