ମରିଗଲା ମାନବିକତା, ଶବକୁ ମିଳିଲାନି ଚାରି କାନ୍ଧ, ଭଉଣୀର ଶବକୁ ସାଇକଲରେ ବୋହିଲେ ଦୁଇ ଭାଇ

ଚନ୍ଦାହାଣ୍ତି : ସାମାଜିକ କୁସଂସ୍କାର ଆଗରେ ହାର ମାନିଛି ମାନବିକତା। ଶବ ସତ୍କାର ପାଇଁ ଚାରି କାନ୍ଧ ନ ମିଳିବାରୁ ଦୁଇ ଭାଇ ସାଇକେଲରେ ଭଉଣୀର ଶବକୁ ଶ୍ମଶାନ ନେବା ଘଟଣା ନବରଙ୍ଗପୁର ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି । ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ‌ମୋତିଗାଁ ଗ୍ରାମରେ। ପଡ଼ୋଶୀ କଳାହାଣ୍ତି ଜିଲ୍ଲାର ଦାନ ମାଝୀ ନିଜ ସ୍ତ୍ରୀର ଶବକୁ କାନ୍ଧେଇ ନେବା ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିବା ବେଳେ ପୁଣି ସେହି ଭଳି ଏକ କରୁଣ ଚିତ୍ର ପୁଣିଥରେ ସାମାଜିକ କୁସଂସ୍କାରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲା। ଏତେ ବଡ଼ ଗାଁରେ ଶବକୁ ଶ୍ମଶାନ ନେବା ପାଇଁ ଚାରି ଜଣ ନ ମିଳିବାରୁ ଶେଷରେ ଦୁଇ ଭାଇ ଶବକୁ ଏକ ସାଇକେଲରେ ବାନ୍ଧି ଗାଁ ଦାଣ୍ଡରେ ଠେଲି ଠେଲି ଶ୍ମଶାନ ଯାଏ ନେଇଥିଲେ। ଏଭଳି ଦୃଶ୍ୟକୁ କେହି କେହି ମୋବାଇଲରେ ଭିଡିଓ ଉତ୍ତୋଳନ କରିଥିଲେ ହେଁ ଉକ୍ତ ପରିବାର ପ୍ରତି ସାମାନ୍ୟତମ ସହାନୁଭୂତି ଦେଖାଇବାକୁ ଆଗେଇ ଆସି ନ ଥିଲେ। ନା ଗ୍ରାମବାସୀ ନା ସଂପୃକ୍ତ ପରିବାରର ଆତ୍ମୀୟ ସ୍ବଜନ କେହି ବି ଆହା ପଦେ କହି ନ ଥିଲେ।

ବିବରଣୀରୁ ପ୍ରକାଶ ମୋତିଗାଁ ଗ୍ରାମ କୁମ୍ଭାର ସାହିର ସ୍ବାମୀ ପରିତ୍ୟକ୍ତା ନୂଆଁଖାଇ ପାଣ୍ଡେ (୪୫) ଦୀର୍ଘ ଦିନ ହେବ ତାଙ୍କ ଭାଇ ଘରେ ରହି ଆସୁଥିଲେ। କିଛି ଦିନ ହେବ ସେ ଅସୁସ୍ଥ ରହିବା ପରେ ଗତକାଲି ରାତି ପ୍ରାୟ ୧୦ଟା ସମୟରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ମୃତ ମହିଳାଙ୍କ ଭାଇ ସହ ତାଙ୍କ ନିଜ ଜାତିଭାଇଙ୍କର କୈାଣସି କାରଣରୁ ବିବାଦ ଲାଗି ରହିଥିବାରୁ, ସେମାନେ ଉକ୍ତ ପରିବାର ସହ ସଂପର୍କ ଛିନ୍ନ କରିଥିଲେ। ତେଣୁ ରାତି ତମାମ ଦୁଇ ଭାଇଙ୍କ ପରିବାର ଭଉଣୀର ଶବକୁ ଜଗି ରହିଥିଲେ ହେଁ କେହି ସାହି ସମ୍ପର୍କୀୟ ଶବ ଦାହ ପାଇଁ ଆସିନଥିଲେ। ଶେଷରେ ସକାଳ ୯ଟାବେଳେ ଦୁଇ ଭାଇ ପୁରୁଷୋତମ ପାଣ୍ଡେ ଓ ଟେକରାମ ପାଣ୍ଡେ ଆଉ କୌଣସି ଉପାୟ ନ ପାଇ ନିଜ ସାଇକଲରେ ଭଉଣୀର ଶବକୁ ବାନ୍ଧି ନିକଟସ୍ଥ ଭଣ୍ତାରନଦୀ କୂଳକୁ ନେଇ ଶବ ସତ୍କାର କରିଥିଲେ।

ସମ୍ବନ୍ଧିତ ଖବର