ମିଳିଲାନି ଚାରି କାନ୍ଧ : ଭାରରେ ବୋହି ଶ୍ମଶାନକୁ ନେଲେ

କେନ୍ଦୁଝର : ଶ୍ମଶାନକୁ ଶବ ନେବା ପାଇଁ ଚାରିକାନ୍ଧ ମିଳିଲା ନାହିଁ । ମଲା ପରେ ପାଖ ମାଡିଲେ ନାହିଁ ଗାଁ ଲୋକେ, ସାହି ଭାଇ । ‘ମାଛିଆ ପାତକ’ କହି ଛୁଇଁଲେ ନାହିଁ । ଏମିତି ସ୍ଥିତିରେ ଭାରରେ ବୋହି ନେଲେ ମଶାଣି । ଶେଷକୃତ୍ୟ ଶେଷ କରି ଫେରି ଆସିଲେ ନିଜ ପୁଅ ଏବଂ ଆଉ ଜଣେ ଦୂରରୁ ଆସିଥିବା ଛୋଟ ଭାଇ । କେନ୍ଦୁଝର ଜିଲ୍ଲା ବରଦାପାଳ ଗ୍ରାମର ଏହି ଘଟଣା ସଭ୍ୟ ସମାଜକୁ କାଠ ଗଡାରେ ଠିଆ କରାଇଛି ।

କେନ୍ଦୁଝର ସଦର ବ୍ଲକରେ ରହିଛି ବରଦାପାଳ ଗ୍ରାମ । ଏହି ଗ୍ରାମର ଦୁଃଶାସନ ବେହେରା(୫୫) ପ୍ରାୟ ବର୍ଷେ ହେବ କର୍କଟ ରୋଗରେ ଆକ୍ରନ୍ତ ହୋଇଥିଲେ । ତାଙ୍କର ଏକମାତ୍ର ପୁତ୍ର ପ୍ରଦୀପ ବେହେରା(୩୫) ତାଙ୍କୁ କଟକରେ ଚିକିତ୍ସା କରାଇ ବିଫଳ ହେବା ପରେ ଘରକୁ ଫେରାଇ ଆଣିଥିଲେ। ତେବେ ଗତ ୩ ତାରିଖ ରାତିରେ ହଠାତ୍‌ ଦୁଃଶାସନ ବାନ୍ତି କରିଥିଲେ । ବାନ୍ତିରେ ତାଙ୍କର ପୋକ ବାହାରିଥିଲା । ଏକଥା ତାଙ୍କ ପୁଅ ସାହି ଲୋକଙ୍କୁ କହିବାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ତେବେ ଦୁଃଶାସନଙ୍କର ମୃତ୍ୟୁ ପରେ ଶେଷ କୃତ୍ୟ ସଂପନ୍ନ କରିବାକୁ ସାହି ଭାଇ କେହି ଆସିଲେ ନାହିଁ । କହିଲେ, ‘ମାଛିଆ ପାତକ’ ଲାଗିଛି। ଛୁଇଁଲେ ପାପ ଲାଗିବ । ଏଭଳି ପରିସ୍ଥିତିରେ ରାତି ପାହି ସକାଳ ହେଲା ଦୁଃଶାସନଙ୍କ ବନ୍ଧୁ ବାନ୍ଧବ ଖବର ପାଇ ଆସିଲେ। ସକାଳ ୯ଟା ପର୍ଯ୍ୟନ୍ତ ବି ସାହି ଭାଇଙ୍କ ଦ୍ୱାରା ବାପାଙ୍କୁ ଶ୍ମଶାନ ନେବେ ବୋଲି ଉଦ୍ୟମ କରି ବିଫଳ ହେଲେ । ଶବକୁ ମଳିଲାନି ଚାରି କାନ୍ଧ । ଶେଷରେ କିଛି ଉପାୟ ନପାଇ ଏକ ଭାର ବାନ୍ଧିଲେ ପୁଅ ପ୍ରଦୀପ । ଶେଷରେ ବାଂଶପାଳ ବ୍ଲକ ଶୁଆକାଟିରୁ ଆସିଥିବା ପିଉସି ପୁଅ ଭାଇ (ଅଷ୍ଟମ ଶ୍ରେଣୀ ଛାତ୍ର)ଙ୍କ ସହ ଭାରରେ ବୋହି ନେଲେ ମୃତଦେହ । ଗାଁ ଶଶ୍ମାନରେ ପହଞ୍ଚି ଶେଷ କୃତ୍ୟ ସଂପନ୍ନ କରି ଫେରି ଆସିଲେ ।

ସମ୍ବନ୍ଧିତ ଖବର