ଟ୍ରେନ ଧକ୍କାରେ ଦୁଇ ଭାଇ ମୃତ

ଟିଟିଲାଗଡ଼ : ସୋମବାର ଟିଟିଲାଗଡ଼ ଓ କେସିଙ୍ଗା ରେଳ ଷ୍ଟେସନ ମଧ୍ୟରେ ଥିବା ତେଲନଦୀ ପୋଲ ନିକଟରେ ଟ୍ରେନ ଧକ୍କାରେ ଦୁଇ ଭାଇଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଟିଟିଲାଗଡ଼ ରେଳବାଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଶବ ଜବତ କରିଛି।

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ବୋରିଙ୍ଗପଦର ଗାଁର ହୃଷୀକେଶ ସା (୫୦) ଓ ତାଙ୍କ ସାନ ଭାଇ ଚୂଡ଼ାମଣି ସା (୪୫) ଏକ ବାଇକ୍‌ ଯୋଗେ ହୃଷୀକେଶଙ୍କ ରକ୍ତନମୁନା ପରୀକ୍ଷା ପାଇଁ ଟିଟିଲାଗଡ଼ ଆସିଥିଲେ। ସେମାନେ ନିଜ କାମ ସାରି ଫେରୁଥିବା ବେଳେ ଲୁଥୁରବନ୍ଧ ନିକଟରେ ଥିବା ତେଲନଦୀ ପୋଲ ପାରି ହେବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ସାମନା ପଟୁ ଜୁନାଗଡ଼-ସମ୍ବଲପୁର ପାସେଞ୍ଜର ଟ୍ରେନ୍‌ଟି ମାଡ଼ି ଆସିଥିଲା। ଟ୍ରେନର ଚାଳକ ହର୍ଣ୍ଣ ଦେବା ସତ୍ତ୍ୱେ ଦୁଇଭାଇ ଲାଇନରୁ ବାହାରି ପାରି ନଥିଲେ। ଫଳରେ ଟ୍ରେନ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଚୂଡ଼ାମଣିଙ୍କ ମୃତ୍ୟୁ ଘଟିଥିଲା।

ଗୁରୁତର ହୃଷୀକେଶଙ୍କୁ ସ୍ଥାନୀୟ ଯୁବକମାନେ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ଼ ଡାକ୍ତରଖାନାକୁ ଆଣି ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏନେଇ ପୁଲିସ ଟିଟିଲାଗଡ଼ ରେଳବାଇ ଥାନା କେସ ନଂ ୪/୧୮ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ଶବ ଜବତ କରିଛି। ସୋମବାର ଶବ ବ୍ୟବଚ୍ଛେଦ ସମ୍ଭବ ହୋଇ ପାରି ନଥିବାରୁ ମଙ୍ଗଳବାର ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଟିଟିଲାଗଡ଼ ରେଳବାଇ ଥାନା ଅଧିକାରୀ ମୋହନ ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର