୨ ଶିଶୁ ଜିଅନ୍ତା ଜଳିଗଲେ

ବାଂଶପାଳ : ଘୁଷୁରି ଗୁହାଳରେ ଜଳିଯିବା ଫଳରେ ୨ ଜଣ ନିଷ୍ପାପ ଶିଶୁ ଆଜି ପ୍ରାଣ ହରାଇଛନ୍ତି। ଦୁହିଁଙ୍କ ବୟସ ମାତ୍ର ୩ ବର୍ଷ। ଦୁହେଁ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଛଟପଟ ହେଉଥିବାବେ‌େଳ ପରିବାର ଲୋକ ହସ୍ପିଟାଲ ନେଇଥିଲେ। ହେଲେ, ଜୀବନ ସହିତ ସଂଘର୍ଷରେ ଦୁହେଁ ହାରି ଯାଇଛନ୍ତି। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ଅନ୍ତର୍ଗତ ଅଡ଼ାଳ ମୁଣ୍ଡାସାହିରେ ଘଟିଥିବା ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ମୁଣ୍ଡାସାହିର ଲୋକମାନେ ଘୁଷୁରି ରଖିବା ପାଇଁ ଅଢ଼େଇରୁ ୩ ଫୁଟର ଛୋଟଟଛାଟ ଗୁହାଳ କରିଛନ୍ତି। ଏହିଭଳି ଆକୃତିର ଏକ ଗୁହାଳରେ କ‌ହ୍ନେଇ ମୁଣ୍ଡା ଓ ହୃଦାନନ୍ଦ ମୁଣ୍ଡାଙ୍କ ଦୁଇ ପୁଅ ରାହୁଲ (୩) ଓ ସାଗର (୩) ଖେଳୁଥିଲେ। କହ୍ନେଇ ଓ ହୃଦାନନ୍ଦ ହେଉଛନ୍ତି ଦୁଇଭାଇ। ସେହିଦୃଷ୍ଟିରୁ ସମାନ ବୟସର ରାହୁଲ ଓ ସାଗର ବି ଦୁଇ ଭାଇ।

ସାହି ଲୋକଙ୍କ କହିବା ଅନୁସାରେ, ଦୁଇଭାଇ ଖେଳୁଖେଳୁ ଗୁହାଳକୁ ଚାଲି ଆସିଥିଲେ। ଏହି ସମୟରେ କୌଣସି କାରଣରୁ ପାଖରେ ଥିବା ପାଳଗଦାରେ ନିଅାଁ ଲାଗି ଗୁହାଳକୁ ଲମ୍ଫ ଦେଇଥିଲା। ଏହି ନିଆଁରେ ଦୁଇ ଭାଇ ପୋଡ଼ି ଯାଇଥିଲେ। ସେତେବେଳେ ଘରେ ବି କେହି ନଥିଲେ। ଘରଲୋକେ ଜଙ୍ଗଲରୁ ଫେରିଲା ବେଳକୁ ଶିଶୁଦ୍ବୟ ଅର୍ଦ୍ଧଦଗ୍ଧ ‌ଅବସ୍ଥାରେ ପଡ଼ିରହି ଛଟପଟ ହେଉଥିଲେ। ସେମାନଙ୍କୁ କେନ୍ଦୁଝର ଡାକ୍ତରଖାନାକୁ ନେଇଥିଲେ ହେଁ ସେଠାରେ କହ୍ନେଇଙ୍କ ପୁଅ ରାହୁଲର ମୃତ୍ୟୁ ହୋଇଥିଲା। କିଛି ଘଣ୍ଟା ପରେ ହୃଦାନନ୍ଦଙ୍କ ପୁଅ ସାଗରର ମୃତ୍ୟୁ ହୋଇଯାଇଛି।

ନୟାକୋଟ ଥାନା ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ କରାଇଛି। ଏ ସଂକ୍ରାନ୍ତରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଏଏସ୍ଆଇ ଦୁଃଶାସନ ସାହୁ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର