ପାଣି ନିଷ୍କାସନକୁ ନେଇ ଦୁଇ ଗାଁ ମଧ୍ୟରେ ସଂଘର୍ଷ : ଗୁଳିମାଡ଼ରେ ୨ ମୃତ, ୨ ଗୁରୁତର

ଶରଣକୁଳରେ ଉତ୍ତେଜନା, ଗିରଫଦାରୀ ଭୟରେ ବଧିସାହି ପୁରୁଷଶୂନ୍ୟ, ଥାନା ସମ୍ମୁଖରେ ଶବ ରଖି ରାସ୍ତାରୋକ

ଓଡ଼ଗାଁ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍‌ ଶରଣକୁଳ ଥାନା କଜଳାଇପଲ୍ଲୀ ପଞ୍ଚାୟତର ବଧିସାହି ଓ ପାଣିଭଣ୍ଡାର ଗାଁ ମଧ୍ୟରେ ଆଜି ରକ୍ତାକ୍ତ ଗୋଷ୍ଠୀ ସଂଘର୍ଷ ଘଟିଥିବା ବେଳେ ଗୁଳିମାଡ଼ରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୨ ଜଣ ଗୁରୁତର ଆହତ ହୋଇ ଭୁବନେଶ୍ୱର କ୍ୟାପିଟାଲ ହସ୍‌ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ସମନ୍ଵିତ ଅଣୁଜଳ ବିଭାଜିକା ପରିଚାଳନା ଯୋଜନାରେ ଗୋଷ୍ଠୀ କ୍ଷେତ ପୁଷ୍କରିଣୀ ଖନନ କରିବା ପାଇଁ ୨୦୧୭-୧୮ରେ ଲକ୍ଷେ ୪୫ ହଜାର ଟଙ୍କା ଅନୁଦାନ ମିଳିଥିଲା। ବଡ଼କୁଟୁଣୀ ଗ୍ରାମର ମା’ କାଳିଜାଇ ଅଣୁଜଳ ବିଭାଜିକା କମିଟି ଏହି ପ୍ରକଳ୍ପ କାର୍ଯ୍ୟ ୧ ମାସ ତଳେ ସଂପୂର୍ଣ୍ଣ କରିଥିଲା। ଶିଖରପୁର-କଜଳାଇପଲ୍ଲୀ ମୁଖ୍ୟ ସଡ଼କପଥର ପୂର୍ବ ପାର୍ଶ୍ୱରେ ଥିବା ଖିଲାରପାଟଣା ଶ୍ମଶାନ ନିକଟ ଦେଇ ଚାଷ ଜମିର ବଳକା ଜଳ ନିଷ୍କାସିତ ହେଉଥିବା ବେଳେ ଏହି ସ୍ଥାନରେ ପୁଷ୍କରିଣୀ ଖନନ ଓ ବନ୍ଧହୁଡ଼ା ନିର୍ମାଣ କରାଯିବାରୁ ବର୍ଷାଜଳ ନିଷ୍କାସିତ ହୋଇନପାରି ଉକ୍ତ ପୁଷ୍କରିଣୀ ଓ ନିକଟସ୍ଥ ଚାଷ ଜମିରେ ଜମା ହୋଇ ରହୁଥିଲା। ବଧିସାହି ଗାଁ’ର କେତେକ ଲୋକ ପଶ୍ଚିମ ପାର୍ଶ୍ୱରେ ଥିବା ପାଣିଭଣ୍ଡାର ଗ୍ରାମକୁ ଜଳ ନିଷ୍କାସନ ପାଇଁ ବେନିୟମ ଭାବେ ମୁଖ୍ୟ ପିଚୁ ରାସ୍ତାକୁ ଖୋଳି ଦେଇଥିଲେ। ତଳି ଅଞ୍ଚଳରେ ଥିବା ଏହି ଗାଁର କିଛି ପରିବାର ଏଥିରେ କ୍ଷତିଗ୍ରସ୍ତ ହେବା ଆଶଙ୍କା କରି ରାସ୍ତା ଖନନ କାର୍ଯ୍ୟକୁ ବିରୋଧ କରିଥିଲେ। ଏହାକୁ ନେଇ ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା।

ଏହି ଘଟଣାକୁ କେନ୍ଦ୍ର କରି ଆଜି ଦୁଇ ଗାଁ ଲୋକେ ମୁହାଁମୁହିଁ ହୋଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ବଧିସାହି ଗ୍ରାମବାସୀଙ୍କ ପକ୍ଷରୁ ୬ ରାଉଣ୍ଡ ଗୁଳିଚାଳନା କରାଯାଇଥିଲା। ଏଥିରେ ପାଣିଭଣ୍ଡାର ଗ୍ରାମର ଗୋବର୍ଦ୍ଧନ ପ୍ରଧାନଙ୍କ ପୁଅ ରାମ ପ୍ରଧାନ (୧୯) ଓ ଶରତ ପ୍ରଧାନଙ୍କ ପୁଅ ସିଲୁ ପ୍ରଧାନ (୨୩)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଗ୍ରାମର ମନୋଜ ସ୍ୱାଇଁ (୩୪) ଓ ଚନ୍ଦନ ପ୍ରଧାନ(୧୪) ଗୁରୁତର ଭାବେ ଆହତ ହୋଇ ଭୁବନେଶ୍ୱର କ୍ୟାପିଟାଲ ହସ୍‌ପିଟାଲକୁ ସ୍ଥାନାନ୍ତରିତ ହୋଇଛନ୍ତି। ଶରଣକୁଳ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି। ପୁଲିସ ଗିରଫଦାରୀ ଭୟରେ ବଧିସାହି ଗାଁ ପୁରୁଷଶୂନ୍ୟ ହୋଇଯାଇଛି। ଅନ୍ୟପକ୍ଷରେ ଏହି ଘଟଣାରେ ଅଭିଯୁକ୍ତମାନଙ୍କୁ ଧରିବା ଏବଂ କ୍ଷତିପୂରଣ ଦାବିରେ ପାଣିଭଣ୍ଡାର ଗାଁ ଲୋକେ ରାତି ସାଢେ ୮ଟାରେ ଥାନା ସମ୍ମୁଖରେ ଶବ ରଖି ରାସ୍ତାରୋକ କରିଥିବା ଖବର ମିଳିଛି।

ସମ୍ବନ୍ଧିତ ଖବର