ଗତକାଲି ସନ୍ଧ୍ୟାରୁ ନିଖୋଜ ଥିବା ଦୁଇ ନାବାଳକଙ୍କ ମୃତଦେହ ପୋଖରୀରୁ ଉଦ୍ଧାର

ରାୟଗଡ଼ା :ରାୟଗଡ଼ା ଜିଲ୍ଲା ମାଟିକଣା ଗ୍ରାମର ନିଖୋଜ ହୋଇଥିବା ଦୁଇ ଜଣ ଶିଶୁଙ୍କ ମୃତଦେହକୁ ଆଜି ସକାଳେ  ପୋଖରୀରୁ ଉଦ୍ଧାର କରାଯାଇଥିବା ଜଣାଯାଇଛି।  ମୃତ ଏହି ଦୁଇ ଶିଶୁଙ୍କ ନାମ ହେଲା ସୁନେର ହିମିରିକା ଓ ଅଲେଖ ହିମିରିକା। ଏମାନଙ୍କ ଭିତରୁ ସୁନେର ତୃତୀୟ ଶ୍ରେଣୀରେ ପଢ଼ୁଥିବାବେଳେ ସୁନେର ଦ୍ୱିତୀୟ ଶ୍ରେଣୀରେ ପଢୁଥିଲେ। ଏ ଦୁହେଁ ଗତକାଲି ବିଦ୍ୟାଳୟ ଛୁଟି ହେବା ପରେ ଘରକୁ ଫେରିଥିଲେ। ତାପରେ ସେଦୁହେଁ ଖିଆପିଆକରି ବ୍ୟାଗ୍ ରଖି ଖେଳିବାକୁ ଯାଇଥିଲେ। କିନ୍ତୁ ଏହାପରେ ସେଦୁହେଁ ଘରକୁ ଫେରି ନଥିଲେ।

ସନ୍ଧ୍ୟାହେବାପରେ ସୁନେର ଓ ଅଲେଖ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରି ନିରାଶ ହୋଇଥିଲେ। ସେମାନେ ଖୁବ୍ ଚିନ୍ତିତ ହୋଇ ବିନିଦ୍ର ରଜନୀ ବିତାଇଥିଲେ। ଆଜି ଉଭୟଙ୍କ ମୃତଦେହ ଗାଁ ପୋଖରୀରୁ ଉଦ୍ଧାର କରାଯାଇଛି। ଅଗ୍ନିଶମ ବିଭାଗ କର୍ମଚାରୀମାନେ ସେମାନଙ୍କ ମୃତଦେହ ଉଦ୍ଧାର କରିଥିବାର ସୂଚନା ମିଳିଛି।ପୁଲିସ୍ ଏ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର