ବିଷାକ୍ତ ମଦ ପିଇ ୨ମୃତ, ୪ ଗୁରୁତର

ପାତ୍ରପୁର : ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଆଙ୍କୁଲି ପଞ୍ଚାୟତ କରଡ଼ାବାଡ଼(ତପରଡ଼ା) ଗ୍ରାମରେ ଆଜି ରାତିରେ ବିଷାକ୍ତ ମଦ ପିଇ ଶିବ ବେହେରା (୫୭) ଓ ଧନୁ ବେହେରା (୬୦)ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେହିପରି ୪ ଜଣ ହରିଶ୍ଚନ୍ଦ୍ର ବେହେରା (୫୦), ଡୁଙ୍ଗୁରୁ ବେହେରା(୪୫), ଗୁରୁବାରୁ ବେହେରା (୩୫) ଗୁରୁତର ହୋଇଛନ୍ତି। ହରିଶ୍ଚନ୍ଦ୍ର ଓ ଡୁଙ୍ଗୁରୁଙ୍କୁ ବ୍ରହ୍ମପୁର ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଗୁରୁତର ମାନେ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି।

ଆଜି ଗାଁରେ ଆଦିବାସୀଙ୍କ ନୂଆଖାଇ ପର୍ବ ଥିଲା। ବୟସ୍କ ମାନେ ଉପବାସ ରହିବା ପରମ୍ପରା ଅଛି। ଗାଁର ପ୍ରାୟ ୨୦ଜଣ ଉପବାସ କରିଥିଲେ। ପୂଜା ସରିବା ପରେ ଅପରାହ୍ନ ୩ଟାରେ ସମସ୍ତ ୨୦ ଜଣ ଉପବାସ ଭାଙ୍ଗି ଭାତ, ଡାଲି ଓ ଦେଶୀ ଚିକେନ୍‌ ତରକାରୀ ରାନ୍ଧି ଖାଇ ଥିଲେ। ଏହା ସାଙ୍ଗକୁ ମଦ ମଧ୍ୟ ପିଇ ଥିଲେ। ସନ୍ଧ୍ୟା ବେଳେ ସେମାନଙ୍କୁ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା। ସମସ୍ତଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। କିନ୍ତୁ ଧନୁ ଗୁରୁତର ଅବସ୍ଥାରେ ଗାଁରେ ହିଁ ପ୍ରାଣ ହରାଇଥିଲେ।

ସେହିପରି ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶିବଙ୍କୁ ମୃତ ଘୋଷଣା କରାଯାଇଥିଲା। ଅନ୍ୟ ଗୁରୁତରଙ୍କୁ ସାଲାଇନ୍‌ ଓ ଇଂଜେକ୍‌ସନ ଦିଆଯାଇଛି। ତେବେ କେଉଁଠୁ ଏମାନେ ମଦ ଆଣି ପିଇଥିଲେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି। ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର କହିଛନ୍ତି, ଖାଦ୍ୟ କିମ୍ବା ମଦରେ ବିଷକ୍ରିୟା ମଦ ଯୋଗୁଁ ଉଭୟଙ୍କ ମୃତ୍ୟୁ ହୋଇ ଥାଇପାରେ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କାରଣ ସ୍ପଷ୍ଟ ହେବ।

ସମ୍ବନ୍ଧିତ ଖବର