ଦୁଇ ବାଇକ୍‌ ଧକ୍କା, ୨ ମୃତ

ବାହାଡ଼ାବାଙ୍କ ବୁଲାଣି ପାଲଟିଛି ‘ଡେଞ୍ଜର ଜୋନ୍‌’

ବେଲଗୁଣ୍ଠା : ଗାଙ୍ଗପୁର ଥାନା କଣ୍ଟେଇପଲୀ ନିକଟ ଦୁବଲୁଣ୍ଡା ବାହାଡ଼ା ବାଙ୍କ ରାସ୍ତାରେ ଆଜି ଦୁଇଟି ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଦୁଇଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ ଗାଙ୍ଗପୁର ଥାନା ସାନବୋରସିଙ୍ଗି ଗ୍ରାମର ଭାସ୍କର ସ୍ୱାଇଁ ଓରଫ ଟୁଟୁ(୪୨) ଓ ବାଘଲିଙ୍ଗି ଗ୍ରାମର ମିଟୁ ଗୌଡ଼ (୨୨) । ଏମାନଙ୍କ ବ୍ୟତୀତ ବୋରସିଙ୍ଗି ଗ୍ରାମର ଅବିନାଶ ଗୌଡ଼(୨୨) ଓ ସୁନୀଲ ନାୟକ(୨୩) ଗୁରୁତର ଅବସ୍ଥାରେ ଭଂଜନଗର ଉପଖଣ୍ଡ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ଅବିନାଶ, ସୁନୀଲ ଓ ମିଟୁ ତିନିଜଣ ଗୋଟିଏ ବାଇକ୍‌ (ସିବିଜେଡ୍‌ ଏକ୍ସଟ୍ରିମ୍‌, ଓଡି-୩୨-ବି-୭୭୯୨)ରେ ଭଂଜନଗରରୁ ନିଜ ଗ୍ରାମକୁ ଫେରୁଥିଲେ। ଏହି ସମୟରେ କଣ୍ଟେଇପଲୀ ନିକଟ ଦୁବଲୁଣ୍ଡା ବାହାଡାବାଙ୍କ ବୁଲାଣି ରାସ୍ତାରେ ବଡ଼ପଡ଼ା ଗ୍ରାମସ୍ଥିତ ନିଜ କ୍ଲିନିକକୁ ଦ୍ରୁତ ଗତିରେ ଯାଉଥିବା ଭାସ୍କରଙ୍କ ଟିଭିିଏସ ଷ୍ଟାର ବାଇକ (ଓଆର୦୭ଏନ ୭୬୬୪) ସହ ସେମାନଙ୍କ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଭାସ୍କରଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥଲା।

ସ୍ଥାନୀୟ ଲୋକେ ଆମ୍ବୁଲାନ୍‌ସ ଯୋଗେ ଅବିନାଶ, ସୁନୀଲ ଓ ମିଟୁଙ୍କୁ ଭଂଜନଗର ଉପଖଣ୍ଡ ଡାକ୍ତରଖାନା ଆଣିଥିବା ବେଳେ ମିଟୁ ଗୌଡ଼ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଅନ୍ୟ ଦୁଇ ଜଣ ଭଂଜନଗର ଡାକ୍ତରଖାନରେ ଚିକିତ୍ସିତ ହେଉଥିବା ବେଳେ ଗାଙ୍ଗପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଦୁର୍ଘଟଣାଗ୍ରସ୍ତ ବାଇକ୍‌କୁ ଜବତ କରିଛି। ସୂଚନା ଥାଉକି, ବାହାଡ଼ାବାଙ୍କ ବୁଲାଣି ରାସ୍ତାରେ ଗତ କିଛି ବର୍ଷ ମଧ୍ୟରେ ଦୁର୍ଘଟଣା ବଢ଼ି ଚାଲିଥିବା ବେଳେ ସେଠାରେ କୌଣସି ଦୁର୍ଘଟଣା ପଏଣ୍ଟ ଫଳକ ଲଗାଯାଇ ନାହିଁ। ସେହିପରି ଉଭୟ ପଟେ ହମ୍ପସ୍‌ ନିର୍ମାଣ ପାଇଁ ଦାବି ହୋଇଛି।

ସମ୍ବନ୍ଧିତ ଖବର