ଲିଙ୍କ୍‌ରୋଡ୍‌ରେ ଦୁଇ ଯୁବକଙ୍କୁ ଚାପିଦେଲା ବସ୍‌

କଟକ : କଟକ ଲିଙ୍କ୍‌ ରୋଡ୍‌ ଅରୁଣୋଦୟ ମାର୍କେଟ୍‌ସ୍ଥିତ ଶୀତଲ ହୋଟେଲ୍‌ ନିକଟରେ ଆଜି ରାତି ପ୍ରାୟ ୧୦ଟା ବେଳେ ଏକ ମମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ଦୁଇ ଯୁବକ ହେଉଛନ୍ତି ବିଡାନାସୀ ଶୌଚାଳୟ ଲେନ୍‌ ଅଞ୍ଚଳର ନୀଳମାଧବ ବେହେରା ଏବଂ ବୁଦ୍ଧିଆ ଗଡ଼ନାୟକ। ଉଭୟଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ସେଠାରେ ମୃତ ଘୋଷଣା କରିଛନ୍ତି।

ଏକ ହିରୋ ହୋଣ୍ଡା ସ୍ପ୍ଲେଣ୍ଡର ବାଇକ୍‌(ଓଆର୍‌-୦୫-ଏକ୍ୱ-୧୪୫୪)ରେ ନୀଳମାଧବ ଓ ବୁଦ୍ଧିଆ କୌଣସି କାମ ପାଇଁ ବାଦାମବାଡ଼ି ଆସିଥିଲେ। ରାତି ପ୍ରାୟ ୧୦ଟା ବେଳେ ଦୁହେଁ ଶୀତଲ ହୋଟେଲ୍‌ ସମ୍ମୁଖ କଟ୍‌ ପଏଣ୍ଟରେ ରାସ୍ତା ଡାହାଣ ପଟକୁ ଆସୁଥିଲେ। ଏହି ସମୟରେ ମଧୁପାଟଣାରୁ ବାଦାମବାଡ଼ି ଆସୁଥିବା ଯାତ୍ରୀବାହୀ ବସ୍‌ ମଣିଶଙ୍କର(ଓଡ଼ି୦୫ଓ୍ଵାଇ-୬୫୫୫) ବାଇକ୍‌କୁ ଧକ୍କା ଦେଇଥିଲା। ଦୁହେଁ ତଳେ ପଡ଼ିଯିବାରୁ ବସ୍‌ ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ନୀଳମାଧବ ଓ ବୁଦ୍ଧିଆଙ୍କୁ ଉଦ୍ଧାର କରି ବଡ଼ ମେଡିକାଲ୍‌ ନେଇଥିଲେ। ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ସେପଟେ ଏହି ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ବାଦାମବାଡ଼ି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା। ତେବେ ବାରମ୍ବାର ଏହି କଟ୍‌ ପଏଣ୍ଟ୍‌ରେ ଦୁର୍ଘଟଣା ଘଟୁଥିବା ବେଳେ ଏହାର ସ୍ଥାୟୀ ପ୍ରତିକାର ଦିଗରେ କୌଣସି ବ୍ୟବସ୍ଥା କରାଯାଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ତୁରନ୍ତ ଏଠାରେ ଜଣେ ଟ୍ରାଫିକ୍‌ କନେଷ୍ଟବଳଙ୍କୁ ଦେବା ପାଇଁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର